Advertisment

Musk Shortage Issue: ବିନା ମୃଗନାଭି କସ୍ତୁରୀରେ ହେଉଛି କି ଶ୍ରୀଜୀଉଙ୍କ ବନକ ଲାଗି ?

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନୀତିକାନ୍ତି ପାଇଁ କସ୍ତୁରୀରେ ଘୋର ଅଭାବ। ଶ୍ରୀଜିଉଙ୍କ ବନକ ଲାଗିରେ କସ୍ତୁରୀ ଏକ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବ୍ୟବହାର ହେଉଥିବାରୁ ଏହାର ଅଭାବରେ ଶ୍ରୀଅଙ୍ଗ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

author-image
Pramod Behera
Musk Shortage Issue

କସ୍ତୁରୀ ଅଭାବରେ ଶ୍ରୀମନ୍ଦିରରେ ନୀତିକାନ୍ତି ସଙ୍କଟ Photograph: (OTV)

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନୀତିକାନ୍ତି ପାଇଁ କସ୍ତୁରୀରେ ଘୋର ଅଭାବ। ଶ୍ରୀଜିଉଙ୍କ ବନକ ଲାଗିରେ କସ୍ତୁରୀ ଏକ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବ୍ୟବହାର ହେଉଥିବାରୁ ଏହାର ଅଭାବରେ ଶ୍ରୀଅଙ୍ଗ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏ ଦିଗରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଦତ୍ତମହାପାତ୍ର ସେବକ।

Advertisment

ନୂଆବର୍ଷରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରଥମ ବନକଲାଗି ଓ ଶ୍ରୀମୁଖ ଶୃଙ୍ଗାର ପୂର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦତ୍ତମହାପାତ୍ର ସେବକଙ୍କ ଏ ଅପିଲକୁ ନେଇ ଉଦବେଗ। କାରଣ ବେଶ୍ କିଛି ବର୍ଷ ହେବ ବିଶ୍ୱନିୟନ୍ତାଙ୍କ ବନକଲାଗିର ଏକ ପ୍ରମୁଖ ସାମଗ୍ରୀ ମୃଗନାଭି କସ୍ତୁରୀରର ଘୋର ଅଭାବ ଦେଖାଦେଇଛି। 

ଏମିତି କେବଳ ବିଧି ରକ୍ଷା ପାଇଁ କେବେ ବିଗତ ନବକଳେବର ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ନାଁକୁ ମାତ୍ର କସ୍ତୁରୀକୁ ଛୁଆଁଇ ଦିଆଯାଉଛି ତ କେବେ ସେତକ ବି ମିଳୁନି। ଯେଉଁ କସ୍ତୁରୀ ଦିଆଯାଉଛି ତାହା ବି ଠିକ୍ ନଥିବାର ଅଭିଯୋଗ ଉଠିଛି। ତେଣୁ ତୁରନ୍ତ ଏଥିପ୍ରତି ଧ୍ୟାନ ଦେବାକୁ ଦାବି କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ବି ଅପିଲ କରିଛନ୍ତି ଦତ୍ତ ମହାପାତ୍ର ସେବକ।

Advertisment

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁସାରେ ଶ୍ରୀବିଗ୍ରହଙ୍କ ବନକଲାଗି ଓ ଶ୍ରୀମୁଖ ଶୃଙ୍ଗାରରେ ବିଭିନ୍ନ ପ୍ରାକୃତିକ ରଙ୍ଗ ସହ କସ୍ତୁରୀ ବ୍ୟବହାରର ବିଧି ରହିଛି। ଶ୍ରୀମୁଖ ସୁନ୍ଦର ଓ ଉଜ୍ଜ୍ୱଳ ଦିଶିବା ପାଇଁ ଏହାର ବ୍ୟବହାର ହୁଏ। ମୃଗ ନାଭିରୁ ବାହାରିଥିବା ଦିବ୍ୟ କସ୍ତୁରୀ ଅତ୍ୟନ୍ତ ସୁଗନ୍ଧଯୁକ୍ତ ହୋଇଥିବାରୁ ଏହାର ପ୍ରଭାବରେ କୀଟପତଙ୍ଗ, ପୋକ ଯୋକ ପାଖ ମାଡ଼ନ୍ତି ନାହିଁ। ଫଳରେ ସୁରକ୍ଷିତ ରହିଥାଏ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ। 

ତେବେ ଶ୍ରୀଅଙ୍ଗ ସୁରକ୍ଷାର ଏ ଜରୁରୀ ଅତ୍ୟାବଶ୍ୟକ ସାମଗ୍ରୀ ପରମ୍ପରାଗତ ନେପାଳରୁ ଦାନ ଭାବେ ଶ୍ରୀମନ୍ଦିରକୁ ଆସିଥାଏ। ନେପାଳର ରାଜା ଶ୍ରୀମନ୍ଦିର ପାଇଁ ଆବଶ୍ୟକ କସ୍ତୁରୀ ଯୋଗାଉଥିବାରୁ ଶ୍ରୀମନ୍ଦିରରେ ବି ନେପାଳ ରାଜାଙ୍କର ସ୍ବତନ୍ତ୍ର ମାନ୍ୟତା ରହିଥିଲା। 

କିନ୍ତୁ ଆଇନଗତ ପ୍ରତିବନ୍ଧକ ଦର୍ଶାଇ ନେପାଳ ସରକାର କସ୍ତୁରୀ ଦେବା ବନ୍ଦ କରିଦେବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଯେହେତୁ ଏହା ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସୁରକ୍ଷାର ପ୍ରସଙ୍ଗ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ଏହାକୁ ଗୁରୁତ୍ବର ସହ ନେବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ଓ ସେବକ। ଏପରିକି ନେପାଳ ସରକାରଙ୍କ ସହ ଆଲୋଚନା କରି ପୁଣି ସେଠାରୁ କସ୍ତୁରୀ ଅଣାଯିବା ଦିଗରେ ଉଦ୍ୟମ କରିବାକୁ ଦାବି କରିଛନ୍ତି।

ଶ୍ରୀଜୀଉଙ୍କ ବନକଲାଗିରେ ବନ୍ଦ ହେବା ସ୍ଥିତିକୁ ଆସିଯାଇଥିବା ଏ କସ୍ତୁରୀର ଅଭାବ ପୂରା କରିବା ଦିଗରେ ସରକାର କି ପଦକ୍ଷେପ ନେଉଛନ୍ତି ଏବେ ତା ଉପରେ ନଜର।

Jagannath Temple Jagannath Culture Jagannath Culture Of Odisha
Advertisment
Advertisment