/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error646_1622801929.jpg)
Bolangir
ବଲାଙ୍ଗିର: ମାନବ ସମାଜକୁ ଦାରୁଣ ଦୁଃଖ ଦେଇ କଲବଲ କରୁଛି କରୋନା । ଅଦିନରେ ସଂକ୍ରମିିତ ହୋଇ ଚାଲିଯାଉଛି ସୁସ୍ଥ ସବଳ ମଣିଷଙ୍କ ଜୀବନ । ମହାମାରୀରେ ମୃତ୍ୟୁ ଯୋଗୁଁ, ଚାରିକାନ୍ଧ ବଦଳରେ ସରକାରୀ ଗାଡି ସାଜିଛି ସାହାରା । ସରକାରୀ କଟକଣା ଭିତରେ ହେଉଛି ଦାହ ସଂସ୍କାର ।
ହେଲେ ବଲାଙ୍ଗିରର କୋଭିଡ ମଶାଣିରୁ ପୁଣି ଥରେ ଆସିଛି ଭିନ୍ନ କାହାଣୀ । ଶବକୁ ତ ଉଚିତ ସମ୍ମାନ ମିଳୁନି, ସେଭଳି ସ୍ଥିତିରେ କେଉଁ ଚିତାଭସ୍ମ କାହାର, ଜାଣିବା ବି ମୁସ୍କିଲ୍ ହୋଇପଡ଼ୁଛି । କାରଣ ଗୋଟିଏ ଜୁଇରେ ଜଳୁଛି ଏକାଧିକ ଶବ । ଫଳରେ ନିଜ ସମ୍ପର୍କୀୟଙ୍କ ଅସ୍ଥି ସଂଗ୍ରହ କରିନପାରି ଅସନ୍ତୋଷ ପ୍ରକାଶ କରିଛନ୍ତି ବନ୍ଧୁ ପରିଜନ ।
ଆମେ କହୁଛୁ ସେହି ମଶାଣି କଥା । ଯେଉଁଠି ଦିନେ ଗଡୁଥିଲା ମଣିଷ ମୁଣ୍ଡର ଖପୁରୀ । ଆଉ ପଡ଼ିରହିଥିଲା ଦରପୋଡ଼ା କଙ୍କାଳ । ଆଉ ଯାହାକୁ ନେଇ ହୋଇଥିଲା ଅନେକ ଚର୍ଚ୍ଚା । ଏବେ ଠିକ୍ ସେହି ମଶାଣିରୁ ପୁଣି ସାମ୍ନାକୁ ଆସିଛି ଅମାନବୀୟ କାହାଣୀ ।
/odishatv-khabar/media/post_attachments/wp-content/uploads/2021/06/vlcsnap-error256.png)
ବଲାଙ୍ଗିର ଉପକଣ୍ଠ ବିଜାଖମନର ସେହି କୋଭିଡ୍ ମଶାଣି ଏବେ ପୁଣି କହୁଛି କଳାକାହାଣୀ । ଶବ ଧରି ମଶାଣିରେ ପହଞ୍ଚୁଛି ସରକାରୀ ଆମ୍ବୁଲାନସ । ଅନ୍ତିମ ସଂସ୍କାର ପାଇଁ ହେଉଛି ପ୍ରସ୍ତୁତି । ଗଦାଗଦା କାଠ ଦେଇ ସଜଡ଼ା ହେଉଛି ଜୁଇ । ଗୋଟିଏ ଜୁଇରେ ଲଦା ହେଉଛି ଜଣଙ୍କ ପରେ ଜଣଙ୍କ ଶବ । କିଏ କାହାର ଚିହ୍ନିବା ବି ମୁସ୍କିଲ । ଅବଶ୍ୟ ପଲିଥିନ ଉପରେ ମୃତବ୍ୟକ୍ତିଙ୍କ ନାଁ ଲେଖାଯାଇଛି ।
ଦାହ ସଂସ୍କାର ବେଳେ ପରିବାରର ଜଣକୁ ପିପିଇ କିଟ୍ ପିନ୍ଧାଇ କିଛି ସମୟ ପାଇଁ ଉପସ୍ଥିତ ରହିବାକୁ ଅନୁମତି ବି ଦିଆଯାଉଛି । ତେବେ ଜୁଇ ନିଆଁରେ ଜଳିଗଲା ପରେ ଚିତା କାହାର, ତାକୁ ନେଇ ଅଡୁଆ ବଢୁଛି । ଦାହ ସଂସ୍କାର ପରଦିନ ଅସ୍ଥି ସଂଗ୍ରହ ପାଇଁ ଆସୁଥିବା ମୃତକଙ୍କ ପରିବାର ଲୋକେ ଦ୍ୱନ୍ଦ୍ୱରେ ରହିବା ସହ ଅସନ୍ତୋଷ ଝାଡୁଛନ୍ତି ବ୍ୟବସ୍ଥା ବିରୋଧରେ ।
/odishatv-khabar/media/post_attachments/wp-content/uploads/2021/06/vlcsnap-error504.png)
କୋଭିଡ୍ ନିୟମ ଅନୁଯାୟୀ, କରୋନାରେ ମୃତକଙ୍କ ଶବକୁ ଦାହ କରୁଛି ପ୍ରଶାସନ । ଏଥିପାଇଁ ସ୍ୱାସ୍ଥ୍ୟବିଭାଗ, ପୌରସଂସ୍ଥା ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏକ ଟିମ୍ କରିଛନ୍ତି । ପ୍ରତି ଶବର ଦାହ ସଂସ୍କାର ପାଇଁ ୭ ହଜାର ଟଙ୍କା ଖର୍ଚ୍ଚ କରିବାର ବ୍ୟବସ୍ଥା ଅଛି ।ହେଲେ, ଗୋଟିଏ ଜୁଇରେ କାହିଁକି ଏଭଳି ଜାକି ଜୁକି ଦାହ ସଂସ୍କାର କରାଯାଉଛି ? ଏତେ କାଣ୍ଟଛାଣ୍ଟ କରି ଗୋଟିଏ ଜୁଇରେ ଏକାଧିକ ଶବର ଅନ୍ତିମ ସଂସ୍କାର କରି ସେହି ଶବ ଗୁଡ଼ିକୁ ଅସମ୍ମାନ କରାଯାଉନି କି ? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।
ଗତ କିଛିଦିନ ତଳେ ଏହି ମଶାଣିରେ ହିଁ ମଣିଷ ମୁଣ୍ଡର ଖପୁରୀ ସହ ଅଧାପୋଡ଼ା କଙ୍କାଳ ପଡ଼ିରହିଥିଲା । କେବଳ ଧର୍ମ ଏବଂ ଆଇନକୁ ଆଖିଠାର ଭଳି ମୃତଦେହର ଦାହ ସଂସ୍କାର କରାଯାଇଥିଲା । ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଶବକୁ ଉଚିତ ସମ୍ମାନ ଦେଇ ଦାହ ସଂସ୍କାର କରାଯିବ ବୋଲି କହିଥିଲେ ଉପଜିଲ୍ଲାପାଳ । କିନ୍ତୁ ବଦଳିଲାନି ବ୍ୟବସ୍ଥା । ଏସମ୍ପର୍କରେ ପଚାରିବା ପରେ ଦାହ ସଂସ୍କାର ସମୟରେ ଉପସ୍ଥିତ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅଧିକାରୀ ଲୋକଙ୍କ ଅଭିଯୋଗକୁ ବାଏଁ ବାଏଁ ଉଡାଇଦେବା ସହ ନିୟମ ଅନୁଯାୟୀ ଦାହ କରାଯାଉଥିବା କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)