/odishatv-khabar/media/media_files/2026/01/17/mobile-phones-banned-inside-puri-srimandir-2026-01-17-19-45-17.jpg)
ଶ୍ରୀମନ୍ଦିରରେ ମୋବାଇଲ୍ ଫୋନ୍ ବ୍ୟବହାରକାରୀ ସାବଧାନ Photograph: (OTV)
ଶ୍ରୀମନ୍ଦିର ପରିସରରେ ସମସ୍ତଙ୍କ ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ପୁରା ରୋକ୍। ପୋଲିସ ହୁଅନ୍ତୁ କି ସେବାୟତ, ଜରୁରୀ ପଡ଼ିଲେ ସେମାନେ ଗାରଦ କିମ୍ବା ଟେମ୍ପୁଲ ଶାଖା ଅଫିସକୁ ଆସି ମନ୍ଦିର ପ୍ରଶାସନର ଫୋନ୍ ରେ କଥା ହେବେ। ନିୟମ ନ ମାନିଲେ ହେବ କଡ଼ା ଆକ୍ସନ।
ଏଭଳି ନିଷ୍ପତ୍ତି ସହ ଶନିବାର ଶ୍ରୀମନ୍ଦିର ପରିଚାଳନା କମିଟିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଛି ମୋହର। ରତ୍ନଭଣ୍ଡାର ଗଣତି ମଣତି ପାଇଁ ୧୧ ପୃଷ୍ଠାର ଚିଠା ମାର୍ଗଦର୍ଶିକା ରାଜ୍ୟ ସରକାରଙ୍କ ଅନୁମୋଦନ ଲାଗି ପଠାଯିବାକୁ ସ୍ଥିର ହୋଇଛି। ଏଥିସହ ଗୁଣ୍ଡିଚା ମନ୍ଦିର ଦର୍ଶନକୁ ନେଇ ବି ହୋଇଛି ବଡ଼ ନିଷ୍ପତ୍ତି।
ଶ୍ରୀମନ୍ଦିର ପ୍ରଶାସନ ହେଉ କି ପୋଲିସ ପ୍ରଶାସନର କର୍ମଚାରୀ ଅବା ପାଳିଆ ସେବକ। କେହି ବି ମନ୍ଦିର ପରିସରରେ ବ୍ୟବହାର କରିପାରିବେନି ମୋବାଇଲ୍ ଫୋନ୍। ଯଦି ଜରୁରୀକାଳୀନ ପରିସ୍ଥିତିରେ ଦରକାର ପଡ଼େ, ତାହାଲେ ଶ୍ରୀମନ୍ଦିର ଗାରଦ କିମ୍ବା ଶାଖା କାର୍ଯ୍ୟାଳୟକୁ ଆସିବେ ଓ ସେଠି ଥିବା ମାଗଣା ଫୋନ୍ ଯୋଗେ କଥା ହେବେ।
ଏଥିସହ ଫୋନ୍ କିମ୍ବା କ୍ୟାମେରାରେ ଗୁପ୍ତ ଫଟୋ କି ଭିଡ଼ିଓ ଉଠାଇଲେ, ସେମାନଙ୍କ ବିରୋଧରେ ବି କଡ଼ା ଆକ୍ସନ ପାଇଁ ପ୍ରସ୍ତାବ ପାରିତ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ଆଇନରେ ଯେଉଁ ସଂଶୋଧନ ବ୍ୟବସ୍ଥା ରହିଛି ତାକୁ କଡ଼ା କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ।
ଏଥିସହ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଛିବା ମ୍ୟାନେଜିଂ କମିଟି ମିଟିଂରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିଛି। ରତ୍ନଭଣ୍ଡାର ଗଣତି ମଣତି ନେଇ ୧୧ ପୃଷ୍ଠାର ଚିଠା ମାର୍ଗଦର୍ଶିକାକୁ ଅନୁମୋଦନ କରାଯାଇ ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ। ସେଠୁ ସ୍ବୀକୃତି ମିଳିବା ପରେ ଶୁଭ ଲଗ୍ନ ଓ ବାର ଦେଖି ଅଳଙ୍କାର ଗଣତି-ମଣତି ଆରମ୍ଭ ହେବ, କିନ୍ତୁ ସେଥିପାଇଁ ଠାକୁରଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନ ହୁଏ ଧ୍ୟାନ ଦିଆଯିବ।
ଗୁଣ୍ଡିଚା ମନ୍ଦିରରେ ଖୁବଶୀଘ୍ର ସର୍ବ ସାଧାରଣ ଦର୍ଶନ ଆରମ୍ଭ ହେବ, ଏଥିପାଇଁ ଦିବ୍ୟାଙ୍ଗ, ବୟସ୍କ ଓ ଶିଶୁଙ୍କୁ କୌଣସି ଶୁଳ୍କ ପଡ଼ିବ ନାହିଁ, ଅନ୍ୟମାନଙ୍କ ପାଇଁ କେବଳ ୧୦ଟଙ୍କା ମାହାଲ୍ ରଖାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତାଛଡ଼ା ନାଟମଣ୍ଡପରେ ଏସି ଲଗାଯିବା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ରାମ୍ପ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି।
ମହାପ୍ରଭୁଙ୍କ ଶୟନ ପାଇଁ ନୂଆ ରତ୍ନ ପଲଙ୍କ ସେଟ୍ କୁ ଶୁଭ ଲଗ୍ନ ଦେଖି ଲାଗି କରାଯିବାକୁ ଅନୁମୋଦନ ସହ ସିଂହଦ୍ବାର ଗୁମୁଟସ୍ଥ ଦଶାବତାର ମୂର୍ତ୍ତିଙ୍କ ନବମ ସ୍ଥାନରେ କିଏ ରହିବେ ? ସେ ପରାମର୍ଶ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କଠାରୁ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି।
ଏହା ବାଦ ମନ୍ଦିର ଆକାଉଣ୍ଟରେ ଥିବା ୧୬୫୦ କୋଟିର ସ୍ଥାୟୀ ଜମାକୁ କିପରି ଅଧିକ କରାଯିବ ସେ ନେଇ ମ୍ୟାନେଜିଂ କମିଟିରେ ଯୋଜନା ସହ ସେବାୟତଙ୍କ ପାଇଁ ବାସଗୃହ ଓ ଗୁରୁକୂଳ ଯୋଜନାକୁ ବିର୍ଲା କଂପାନୀ ପରିବର୍ତ୍ତେ ଅନ୍ୟ କୌଣସି ସଂସ୍ଥାକୁ ଦିଆଯିବାକୁ ସ୍ଥିର ହୋଇଛି। ତାସହ ଶ୍ରଦ୍ଧାଳୁଙ୍କ ରହଣୀ ପାଇଁ ଭକ୍ତ ନିବାସ ଭଳି ସାଧୁ ସନ୍ଥଙ୍କ ରହଣୀ ଲାଗି ଏକ ସନ୍ଥ ନିବାସ ବି ପୁରୀରେ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)