/odishatv-khabar/media/post_attachments/uploadimage/library/16_9/16_9_0/matric-result_1624952786.jpg)
matric result
ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାଫଳକୁ ନେଇ ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେବା ପରେ ମୁହଁ ଖୋଲିଛି ବୋର୍ଡ। ପୂର୍ବରୁ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିବେ। ସ୍ଥିତି ସୁଧୁରିଲେ ପରୀକ୍ଷା କରାଯିବ ଏବଂ ଏ ନେଇ ସୂଚନା ଦିଆଯିବ। ତେବେ ରାଜ୍ୟ ବ୍ୟାପି ପିଲାଙ୍କ ଅସନ୍ତୋଷ ଦେଖିବା ପରେ ବିକଳ୍ପ ଅଫ୍ ଲାଇନ ପରୀକ୍ଷା ପାଇଁ ଘୋଷଣା କରିଛି ବୋର୍ଡ।
ବୋର୍ଡ ପକ୍ଷରୁ କୁହାଯାଇଛି, ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍ଲାଇନ ମାଟ୍ରିକ ପରୀକ୍ଷା ବ୍ୟବସ୍ଥା କରାଯାଉଛି। ଜୁଲାଇ ୫ରୁ ଅଫ୍ଲାଇନ ପରୀକ୍ଷା ନେଇ ଫର୍ମ ଫିଲ୍ଅପ୍ କରାଯିବ। ୧୦ ଦିନ ଭିତରେ ଫର୍ମ ଫିଲ୍ଅପ୍ ଶେଷ ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇରେ ପରୀକ୍ଷା କରି ଶୀଘ୍ର ରେଜଲ୍ଟ ପ୍ରକାଶ କରାଯିବ। ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ପାଇଁ +2 ନାମଲେଖା ସମସ୍ୟା ହେବନି ବୋଲି ବୋର୍ଡ ପକ୍ଷରୁ ଆଶ୍ୱାସନା ଦିଆଯାଇଛି।
ତେବେ ପରୀକ୍ଷା ମୂଲ୍ୟାୟନ ନେଇ ଛାତ୍ରଛାତ୍ରୀ ଓ ଅଭିଭବକଙ୍କ ଅସନ୍ତୋଷଙ୍କୁ ଦେଖିବା ପରେ ସଫେଇ ଦେଇଛି ବୋର୍ଡ। ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି। ବିକଳ୍ପ ପଦ୍ଧତି ଅନୁଯାୟୀ ମାର୍କ ଦିଆଯାଇଛି ବୋଲି କହିଛି ବୋର୍ଡ। ତେବ ଯଦି ଅସନ୍ତୁଷ୍ଟ ଅଛ, ପରୀକ୍ଷା ଦିଅ, ମାର୍କ ନିଅ ବୋଲି ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।
ବୋର୍ଡ ସଭାପତି ଓ ଉପସଭାପତି ଆଜି ପ୍ରେସମିଟ କରି କହିଛନ୍ତି, ମୂଲ୍ୟାୟନ ପଦ୍ଧତି ନେଇ ସବୁ କିଛି ବୋର୍ଡୱେବସାଇଟରେ ଥିଲା। ମୂଲ୍ୟାୟନ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା ହୋଇଛି । ତର୍ଜମା କରିଥିଲା ସ୍ୱତନ୍ତ୍ର କୋର କମିଟି । ୪ ବର୍ଷର ପ୍ରଦର୍ଶନକୁ ବିଚାରକୁ ନେଇ ମୂଲ୍ୟାୟନ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ୨୦୧୭, ୨୦୧୮, ୨୦୧୯, ୨୦୨୦ ବର୍ଷର ପ୍ରଦର୍ଶନକୁ ବିଚାରକୁ ନିଆ ଯାଇଥିଲା । CBSE ମୂଲ୍ୟାୟନ ପଦ୍ଧତିକୁ ମଧ୍ୟ ଅନୁସରଣ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ଉଚ୍ଚ ପାସ୍ ହାର ସଂପର୍କରେ କୁହାଯାଇଛି ଯେ, ଗତ ବର୍ଷ ତୁଳନାରେ A-1ରେ ୨ ଗୁଣା ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହିପରି A-2ରେ ତିନିଗୁଣାରୁ ଅଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସୂଚନାଥାଉ କି, ମୂଲ୍ୟାୟନରେ ସାଂଘାତିକ ତ୍ରୁଟି କରାଯାଇଥିବା ଅଭିଯୋଗ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ବିକ୍ଷୋଭ କରିଛନ୍ତି । ଏହାସହ ଅଭିଭାବକମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି । ସରକାରୀ ସ୍କୁଲକୁ ବୋର୍ଡ କର୍ତ୍ତୃପକ୍ଷ ଅନୁକମ୍ପା ପ୍ରଦର୍ଶନ କରିଥିବା ବେଳେ ଘରୋଇ ସ୍କୁଲ ପ୍ରତି ବୈମାତୃକ ମନୋଭାବ ଦେଖାଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏମିତି କି କିଛି ପିଲାଙ୍କ ମାର୍କରେ ସଂଶୋଧନ କରାଯାଇଥିବାବେଳେ ଅନ୍ୟ ପିଲାଙ୍କର କାହିଁକି ସଂଶୋଧନ କରାଯିବନି, ସେନେଇ ପ୍ରଶ୍ନ କରାଯାଇଛି ।
ଏଠି କହି ରଖିବୁ, ବାଲେଶ୍ୱର ଜଳେଶ୍ୱର ବ୍ଲକର ଓଲମରା ହାଇସ୍କୁଲର ୪୭ଜଣଙ୍କ ମଧ୍ୟରୁ ୨୩ଜଣ ପାସ୍ କରିଛନ୍ତି। ସେହିଭଳି ଭୋଗରାଇ ବ୍ଲକର ବଡ଼ମରୁଣୀ ନୋଡାଲ ହାଇ ସ୍କୁଲରେ ଗତ ବର୍ଷ ମେଟ୍ରିକରେ ପରୀକ୍ଷା ୨୭ରୁ ୧୩ଜଣ ଛାତ୍ର ଛାତ୍ରୀ ୫୦ ପ୍ରତିଶତରୁ କମ ପାସ କରି ଥିଲେ ହେଲେ ଚଳିତ ବର୍ଷ କରୋନା ପାଇଁ ଏହି ସ୍କୁଲ ଗୁଡିକରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ହେଲେ ମେଧାବୀ ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।
ଗଂଜାମ ଖଲ୍ଲିକୋଟରେ ମଧ୍ୟ ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଅଛନ୍ତି ଛାତ୍ରଛାତ୍ରୀ । ଏ ନେଇ ସ୍ଥାନୀୟ କନକ ମଞ୍ଜରୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଘେରାଉ କରିଥିଲେ। ଛାତ୍ରଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟର ଅଧିକାଂଶ ପିଲା ଚଳିତ ବର୍ଷ ଭଲ ନମ୍ବର ଆଣିବା ଆଶା ରଖିଥିଲେ। ମାତ୍ର ବୋର୍ଡ ପକ୍ଷରୁ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଭଲ ନମ୍ବର ଆସିନଥିବା ପିଲାମାନେ ଅଭିଯୋଗ କରିଛନ୍ତି ।
ସେହିପରି ସ୍ଥାନୀୟ ଗାର୍ଲସ ହାଇସ୍କୁଲର ଛାତ୍ରୀ ସୁପ୍ରିୟା ପ୍ରିୟଦର୍ଶିନୀ ବେହେରା ହିନ୍ଦୀ ନେଇଥିବା ବେଳେ ବୋର୍ଡ ପକ୍ଷରୁ ତାଙ୍କୁ ସଂସ୍କୃତ ପାଇଁ ୪୬ ମାର୍କ ଦିଆଯାଇଥିବା ଅଭିଯୋଗ ହୋଇଛି । ତୁରନ୍ତ ଏସବୁ ତ୍ରୁଟି ସୁଧାରି ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ମାର୍କ ଦେବା ପାଇଁ ଦାବି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)