/odishatv-khabar/media/media_files/2026/02/24/massive-fire-breaks-out-in-supermarket-2026-02-24-19-37-28.jpg)
କାଲି ରାତି ୧୦ରେ ଲାଗିଲା, ଆଜି ଅପରାହ୍ଣରେ ଲିଭିଲା Photograph: (OTV)
ଜଳିଲା ଯେ ଜଳିଲା। ଲିଭିବାର ନାଁ ହିଁ ଧରିନଥିଲା। ଗତ ରାତି ୧୦ଟାରୁ ଆଜି ଅପରାହ୍ନ ୫ଟା ହୋଇଗଲା। ପ୍ରାୟ ୧୯ ଘଣ୍ଟା ଧରି ଆୟତ୍ତକୁ ଆସିନଥିଲା ଭୁବନେଶ୍ବର ଲିଙ୍ଗିପୁର ନିକଟ ସୁପରମାର୍ଟ ନିଆଁ। ନିଆଁର ଆଁରେ କିଛି ବି ଆଉ ବାକି ନାହିଁ କହିଲେ ଚଳେ। ପ୍ଲାଷ୍ଟିକ୍ ହେଉ କି ଷ୍ଟିଲ୍, ଘରୋଇ ଉପକରଣ ହେଉ କି ଅନ୍ୟ ସାମଗ୍ରୀ। ଯାହା ଥିଲା ସବୁକିଛି ପାଉଁଶ। ୬୦ରୁ ଅଧିକ ଦମକଳ ବାହିନୀ ନିଆଁକୁ ଆୟତ୍ତ ପାଇଁ ଅନବରତ ସଂଘର୍ଷ ଜାରି ରଖିଥିଲେ। ତଥାପି ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ନହେବାରୁ ସୁପରମାର୍ଟ କୋଠା ଏବେ ବିପଦସଙ୍କୁଳ ଅବସ୍ଥାକୁ ଚାଲିଯାଇଥିବା ଆଶଙ୍କା କରାଯାଉଛି।
ଭୟଙ୍କର..ଅଦଭୂତ...ଆଶ୍ଚର୍ଯ୍ୟ...ନା କେହି କେବେ କଳ୍ପନା କରିଥିଲେ ନା ଭାବିଥିଲେ ନିଆଁ ବି ଦେଖାଇପାରେ ଏମିତି ପ୍ରକୋପ। ଯେତେ ଲିଭାଇବାକୁ ଚେଷ୍ଟା କରାଗାଲା, ସେତିକି ଭୁଷ୍ ଭୁଷ୍ ହୋଇ ନିଆଁ ଆଉ ଧୂଆଁ ବାହାରୁଥିଲା। ନିଆଁକୁ ଆୟତ୍ତ ପାଇଁ ଯେତିକି ପାଣି ମାଡ଼ କରାଯାଉଥିଲା, ସେତିକି ଉଗ୍ର ହୋଇପଡୁଥିଲା ସର୍ବଗ୍ରାସୀ ନିଆଁ। ଆଖି ସାମ୍ନାରେ ଜଳିଯାଉଥିଲା କୋଟି କୋଟି ଟଙ୍କାର ସମ୍ପତ୍ତି... ସବୁକିଛି ପାଉଁଶ ହୋଇଯାଉଥିବା ଦେଖି ବ୍ୟବସାୟୀଙ୍କ ଛାତି କୋରି ହୋଇଯାଉଥିଲା। ମାଲିକଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଯାଉଥିଲା।
ସୋମବାର ରାତି ପ୍ରାୟ ୧୦ଟା। ପ୍ରଥମେ ଦ୍ବିତୀୟ ମହଲାରେ ଲାଗିଥିଲା ନିଆଁ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ୨ଟି ଅଗ୍ନିଶମ ଟିମ୍। କିଛି ସମୟ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା ସତ, କିନ୍ତୁ ପୁଣି ସେହି ନିଆଁ ଡେଇଁଲା ତୃତୀୟ ମହଲାକୁ। ରାତିରେ ଧିରେ ଧିରେ ତାର ପ୍ରକୋପ ଦେଖାଇ ସିଧା ମାଡ଼ିଗଲା ଚତୁର୍ଥ ମହଲା। ତାହାରି ଭିତରେ ଖବର ପାଇ ପହଞ୍ଚିଥିଲେ ଭୁବନେଶ୍ବର ଏବଂ ଉପକଣ୍ଠରେ ଥିବା ମୋଟ୍ ୮ଟି ଅଗ୍ନିଶମ କେନ୍ଦ୍ରରୁ ୬୦ରୁ ଅଧିକ ଅଗ୍ନିଯୋଦ୍ଧା। ଏପରିକି ବିଲିଡିଂ ଭିତରକୁ ରୋବୋଟିକ ମନିଟର୍ ବି ପଠାଯାଇଥିଲା।
ସୁଉଚ୍ଚ କୋଠା ଉପରକୁ ଯାଇ ନିଆଁ ଲିଭାଇବା ସମ୍ଭବ ନହେବାରୁ ଅତ୍ୟାଧୁନିକ ବ୍ରୋଣ୍ଟେ ସ୍କାଏ ଲିଫ୍ଟ ଏବଂ ଫୋମ୍ ଜେନେରେଟର ବ୍ୟବହାର କରାଯାଇଥିଲା। ଆଡ଼ଭାନ୍ସ ରେସ୍କ୍ୟୁ ଟେଣ୍ଡରର ବି ନିଆଯାଇଥିଲା ସହାୟତା। ପ୍ରାୟ ୫୦ରୁ ଅଧିକ ଟ୍ରିପ୍ ପାଣି ଆଣି ପକାଇଥିଲା ଫାୟାର ଗାଡ଼ି। ଛାତ ଉପରକୁ ଯାଇ ଅଗ୍ନିଶମ ବାହିନୀ କ୍ରମାଗତ ପାଣି ମାଡ଼ ବି କରିଥିଲେ, ତଥାପି ନା ନିଆଁ ଲିଭିଥିଲା, ନା ଆୟତ୍ତ ହୋଇଥିଲା। ସ୍ଥିତି ଏମିତି ହେଲା ଯେ, ସୁପରମାର୍ଟର ସବୁ ସାମଗ୍ରୀ ଜଳିପୋଡ଼ି ଛାରଖାର୍ ହୋଇଯାଇଛି।
ଏହି ସୁପରମାର୍ଟ ହେଉଛି ବେସମେଣ୍ଟ ବ୍ୟତୀତ ୪ ମହଲା ବିଶିଷ୍ଟ ବିଲଡିଂ। ପ୍ରଥମ ମହଲାରେ ରହିଥିଲା ସୁପରମାର୍ଟ ତଥା ଗ୍ରୋସୋରୀ ଆଇଟମ୍। ଦ୍ବିତୀୟ ମହଲାରେ ଥିଲା ପ୍ଳାଷ୍ଟିକ୍ ଆଇଟମ୍ ଏବଂ ତୃତୀୟ ଓ ଚତୁର୍ଥ ମହଲା ସମ୍ପୂର୍ଣ୍ଣ ଗୋଦାମ ଥିଲା। ଏହି ବିଲଡିଂର ମାଲିକ ହେଉଛନ୍ତି କୋରାପୁଟ ଜିଲ୍ଲାର ସୁଶାନ୍ତ କୁମାର ବାରିକ। ତାଙ୍କ ଠାରୁ ସୁବାସ ଗଜପତି ନାମକ ଜଣେ ବ୍ୟବସାୟୀ ଭଡ଼ାରେ ନେଇ ନିଜ ବ୍ୟବସାୟ ଜାରି ରଖିଥିଲେ।
ତେବେ ନିଆଁ ଲାଗିଥିବା ତୃତୀୟ ଏବଂ ଚତୁର୍ଥ ମହଲାରେ କୌଣସି ଅଗ୍ନି ନିର୍ବାପନ ବ୍ୟବସ୍ଥା ଥିଲା କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।କିନ୍ତୁ ଚାରିଆଡ଼େ ବନ୍ଦ ଥିବା ଏହି ବିଲଡିଂର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ବାର ଥିଲା ମାତ୍ର ଗୋଟିଏ। ଫଳରେ ନିଆଁକୁ ଆୟତ୍ତ କରିବା ଅଗ୍ନିଯୋଦ୍ଧାଙ୍କ ପାଇଁ ଥିଲା ସବୁଠୁ ବଡ଼ ଆହ୍ବାନ।
୧୯ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତକୁ ଆସିଛି ସତ, କିନ୍ତୁ ସୁପରମାର୍ଟ ବିଲଡିଂର କାନ୍ଥ ଏବଂ ଛାତରେ ଫାଟ ସୃଷ୍ଟି ହୋଇଛି। ବିଲ୍ଡିଂ ସେଫ୍ କି ଅନସେଫ୍ ଇଞ୍ଜିନିୟରମାନେ ଦେଖି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଅଗ୍ନିଶମ ଡିଜି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)