Advertisment

Red Rebellion Weakens: ଓଡ଼ିଶାରେ ଇତିହାସ ପାଲଟିବେ ‘ମାଓବାଦୀ’, ନିଖିଲ-ଇନ୍ଦୁଙ୍କ ସରେଣ୍ଡର ପରେ ରହିଲେ ହାତ ଗଣତି

ରାଜ୍ୟରେ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମାଓ ଦମନ ଅଭିଯାନ। ଶେଷ ଥର ପାଇଁ ରାୟଗଡ଼ା ଜିଲ୍ଲାର ଘଞ୍ଚ ଜଙ୍ଗଲରୁ ଓଡ଼ିଆ ନକ୍ସଲ ଦମ୍ପତି ନିଖିଲ ଓ ଇନ୍ଦୁ ସମେତ ମୋଟ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ କରିବା ପରେ ଏବେ ହାତ ଗଣତି ପ୍ରାୟ ୪୦ ନକ୍ସଲ ସକ୍ରିୟ ଥିବା ବିଧାନସଭାରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ।

author-image
Tapan Swain
Naxal

Naxal Photograph: (OTV)

ଘଞ୍ଚ ଜଙ୍ଗଲରେ ମାଓ ବିରୋଧୀ ଅପରେସନକୁ ନେଇ ଘମାସାନ୍...ଦିନ ତ ଦିନ, ରାତିରେ ବି ଜାରି ରହିଛି ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ SOGର ବଡ଼ ନକ୍ସଲ ବିରୋଧୀ ଅଭିଯାନ...କନ୍ଧମାଳ ନଣ୍ଡାବାଡ଼ି ଜଙ୍ଗଲରେ ଆଜିକୁ ୩ ଦିନ ହେଲା ଖେଦି ବୁଲୁଛନ୍ତି ସୁରକ୍ଷାକର୍ମୀ। ଇତିମଧ୍ୟରେ ନଣ୍ଡାବାଡ଼ି ଜଙ୍ଗଲରେ ସିପିଆଇ ମାଓବାଦୀର ଡେପୁଟି କମାଣ୍ଡର ଯୋଗେଶ ଓ ପାର୍ଟି ସଦସ୍ୟା ରତ୍ନାର ମୁଣ୍ଡ ଗଡ଼ିଲାଣି।

Advertisment

ଯୋଗେଶ ବିରୋଧରେ ଇନାମ ରାଶି ଥିଲା ୨୨ ଲକ୍ଷ ଏବଂ ରତ୍ନା ବିରୋଧରେ ଥିଲା ୧ ଲକ୍ଷ ୬୫ ହଜାର ଟଙ୍କା। ତେବେ କରଡ଼ା ଜଙ୍ଗଲରେ ଠାବ ମାଓ କ୍ୟାମ୍ପରୁ କିଛି ନକ୍ସଲ ଛତ୍ରଭଙ୍ଗ ଦେଇଥିବାବେଳେ ଘଟଣାସ୍ଥଳରୁ ମିଳିଛି AK 47, INSAS ବନ୍ଧୁକ, UGBL ସହିତ ବହୁ ପରିମାଣର ମାଓ ସାମଗ୍ରୀ। ଗୁଳିମାଡ଼ରେ ଆହତ ହୋଇ ଖସିଯାଇଥିବା ନିଜ ସାଥୀଙ୍କୁ ଧରି ସିପିଆଇ ମାଓବାଦୀର ରାଜ୍ୟ କମିଟି ସଦସ୍ୟ ଶୁକ୍ରୁ ଲୁଚି ରହିଥିବା ଆଶଙ୍କା ଥିବାରୁ ଜଙ୍ଗଲ ଭିତରେ ଜାରି ରହିଛି ସର୍ଚ୍ଚ ଅପରେସନ୍।

ଆଣ୍ଟି ନକ୍ସଲ୍ ଅପରେସନ୍ ଏଡିଜି ସଞ୍ଜିବ ପଣ୍ଡା ପ୍ରେସମିଟରେ ସୂଚନା ଦେଇ କହିଛନ୍ତି, କନ୍ଧମାଳର ରାଇକିଆ, ଦାରିଙ୍ଗବାଡ଼ି ଏବଂ କୋଟଗଡ଼ ଇଲାକାରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି। ଯାହାର ନେତୃତ୍ବ ନେଉଛି ଶୁକ୍ରୁ। ତେଣୁ ତାକୁ ହିଂସାର ପଥ ଛାଡ଼ି ଆତ୍ମସମର୍ପଣ କରିବାକୁ ଆହ୍ବାନ କରାଯାଇଛି। 

Advertisment

କିଛି ଦିନ ତଳେ ରାୟଗଡ଼ା ଜିଲ୍ଲାର ଘଞ୍ଚ ଜଙ୍ଗଲରୁ ମାଓ ଦମ୍ପତି ନିଖିଲ ଏବଂ ପତ୍ନୀ ଇନ୍ଦୁ ସହ ମୋଟ୍ ୧୫ ନକ୍ସଲ ଆତ୍ମସମର୍ପଣ କରିଥିଲେ। ତା’ଭିତରେ କନ୍ଧମାଳରୁ କଳାହାଣ୍ଡି, ବୌଦ୍ଧରୁ ବଲାଙ୍ଗିର। ଘନ ଘନ ନକ୍ସଲ ବିରୋଧୀ ଅପରେସନ୍ ଭିତରେ ମାଓଶୂନ୍ୟ ହେବାକୁ ଯାଉଛି ସାରା ରାଜ୍ୟ। ବିଧାନସଭାରେ ତଥ୍ୟ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ରାଜ୍ୟରେ ଏବେ ସକ୍ରିୟ ରହିଛନ୍ତି ୪୦ ମାଓବାଦୀ।

ଛୋଟ ଛୋଟ ଦଳ ହୋଇ କାର୍ଯ୍ୟ କରୁଛନ୍ତି

କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ଛୋଟ ଛୋଟ ଦଳ ହୋଇ କାର୍ଯ୍ୟ କରୁଛନ୍ତି। ୫ ବର୍ଷରେ ୪୮ ମାଓବାଦୀ ନିହତ ଓ ୭୮ ଜଣ ଗିରଫ ହୋଇଥିବାବେଳେ ୮୨ ଜଣ ଆତ୍ମସମର୍ପଣ କରିଛନ୍ତି। ୨୦୨୫ରେ ୨୫ ମାଓ କ୍ୟାଡରଙ୍କୁ ନିପାତ କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଣ୍ଟି ନକ୍ସଲ ଅପରେସନ୍ ଏଡିଜି କହିଛନ୍ତି, ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଗୃହମନ୍ତ୍ରୀ ଶାହଙ୍କ ଡେଡଲାଇନ୍ ନିଶ୍ଚୟ ପାଳନ କରିବୁ। 

ସେପଟେ ତେଲେଙ୍ଗାନା ପୋଲିସ ନିକଟରେ ୫୦ ସମର୍ଥକଙ୍କ ସହ ଆତ୍ମସମର୍ପଣ କରିଛି ତେଲେଙ୍ଗାନାର କୁଖ୍ୟାତ ନକ୍ସଲ ନେତା ମଲ୍ଲା ରାଜି ରେଡ୍ଡୀ। ମାଓ ସଂଗଠନର ପଲିଟିବ୍ୟୁରୋ ସଦସ୍ୟ ମଲ୍ଲା ରାଜି ରେଡ୍ଡି ଜଣେ ରଣନୀତିଜ୍ଞ, କ୍ୟାଡର ନେତା ଏବଂ ଅନେକ ବଡ଼ ଅପରେସନର ମାଷ୍ଟରମାଇଣ୍ଡ। ଅପରେସନ ବ୍ଲାକ୍ ଫରେଷ୍ଟ-୨ ଜାରି ରହିଥିବାରୁ ଆଉ ସୁରକ୍ଷିତ ନୁହଁ ଭାବି ସେ ଆତ୍ମସମର୍ପଣ କରିଥିବା କୁହାଯାଉଛି।

ଦେଶରୁ ମାଓ ନିପାତ ପାଇଁ ଗୃହମନ୍ତ୍ରୀ ଶାହଙ୍କ ଡେଡଲାଇନକୁ ମଝିରେ ରହିଲା ଆଉ ମାତ୍ର ୩୬ ଦିନ। ଏହି ୩୬ ଦିନ ଭିତରେ ଆଉ କି ଚିତ୍ର ସାମ୍ନାକୁ ଆସୁଛି, ତାକୁ ଅପେକ୍ଷା।... 

cm mohan majhi Anti-Naxal Operations
Advertisment
Related Articles
Advertisment