Advertisment

ରାଜ୍ୟର ସରୁନି ମଣ୍ଡି ଅବ୍ୟବସ୍ଥା; ଦିନରାତି ଧାନ ଜଗି ଆଖିବୁଜିଲେ ଚାଷୀ

ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ଆନ୍ଦୋଳନ, ରାଜରାସ୍ତାରେ ଚାଷୀଙ୍କ ଧାରଣା ଏବଂ ଲାମ୍ପସ୍‌ରେ ଉତ୍ତେଜନା ପରେ ବି ସରୁନି ମଣ୍ଡି ସମସ୍ୟା। ୟା ଭିତରେ ନୂଆପଡ଼ା କୋମନାରେ ଜଣେ ଚାଷୀ ମଣ୍ଡିରେ ମାସାଧିକ କାଳ ଧାନ ପକାଇ ଶୀତ କାକରରେ ଭିଜି ଶେଷରେ ବିକ୍ରି ପୂର୍ବରୁ ଆଖି ବୁଜିଥିବାର କରୁଣ କାହାଣୀ ସାମ୍ନାକୁ ଆସିଛି। ସେପଟେ ପଦ୍ମପୁରରେ ବି ଟୋକନ୍ ବାତିଲ କାରଣରୁ ୧୧ ଦିନ ଧରି ଆନ୍ଦୋଳନରେ ବସିଛନ୍ତି ହଜାର ହଜାର ଚାଷୀ। ଏସବୁ ବାଦ୍ ଦେଲେ […]

ରାଜ୍ୟର ସରୁନି ମଣ୍ଡି ଅବ୍ୟବସ୍ଥା; ଦିନରାତି ଧାନ ଜଗି ଆଖିବୁଜିଲେ ଚାଷୀ

ujjwala

Advertisment

ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ଆନ୍ଦୋଳନ, ରାଜରାସ୍ତାରେ ଚାଷୀଙ୍କ ଧାରଣା ଏବଂ ଲାମ୍ପସ୍‌ରେ ଉତ୍ତେଜନା ପରେ ବି ସରୁନି ମଣ୍ଡି ସମସ୍ୟା। ୟା ଭିତରେ ନୂଆପଡ଼ା କୋମନାରେ ଜଣେ ଚାଷୀ ମଣ୍ଡିରେ ମାସାଧିକ କାଳ ଧାନ ପକାଇ ଶୀତ କାକରରେ ଭିଜି ଶେଷରେ ବିକ୍ରି ପୂର୍ବରୁ ଆଖି ବୁଜିଥିବାର କରୁଣ କାହାଣୀ ସାମ୍ନାକୁ ଆସିଛି।

Advertisment

ସେପଟେ ପଦ୍ମପୁରରେ ବି ଟୋକନ୍ ବାତିଲ କାରଣରୁ ୧୧ ଦିନ ଧରି ଆନ୍ଦୋଳନରେ ବସିଛନ୍ତି ହଜାର ହଜାର ଚାଷୀ। ଏସବୁ ବାଦ୍ ଦେଲେ ପୂରା ପଶ୍ଚିମ ଓଡ଼ିଶା ର ବିଭିନ୍ନ ସ୍ଥାନରେ ଧାନ ବିକି ନପାରି ସରକାରଙ୍କ ନିଷ୍ପତ୍ତିକୁ ଅନାଇ ରହିଛି ଚାଷୀ। ଆସନ୍ତାକାଲି ବିଧାନସଭାରେ ଏ ପ୍ରସଙ୍ଗରେ ଆଲୋଚନା ଥିବାରୁ କିଛି ନିସ୍କର୍ଷ ଅପେକ୍ଷାରେ ଅଛନ୍ତି ଚାଷୀ।

ନୂଆପଡ଼ା ଜିଲ୍ଲା କୋମନା ପଏଁର ଗାଁର ଉଜ୍ଜ୍ୱଳ ଶବରଙ୍କ କରୁଣ କାହାଣୀ କଥା ଶୁଣିଲେ ଆପଣ ବି ସରକାରଙ୍କର ବ୍ୟବସ୍ଥା ଉପରୁ ବିଶ୍ୱାସ ଉଠାଇ ନେବେ। ଧାନ ବିକ୍ରି ପାଇଁ ଉଜ୍ଜ୍ଵଳଙ୍କର ମଣ୍ଡି ଜଗି ଜଗି ଜୀବନ ଗଲା। ହେଲେ ଉଠି ପାରିଲାନି ଧାନ। ବିକ୍ରିର ଧାର୍ଯ୍ୟ ତାରିଖଠୁ ମାସେ ଗଡ଼ିଗଲା। ତଥାପି ସରିଲାନି ଅପେକ୍ଷା। ଏବେ ବି ସେମିତି ମଣ୍ଡିରେ ପଡ଼ିଛି ଉଜ୍ଜ୍ଵଙ୍କ ଧାନ।  

Advertisment

ଏ ସମ୍ପର୍କରେ ଉଜ୍ଜ୍ଵଳଙ୍କ ପରିବାର ଲୋକ ଅଭିଯୋଗ କରି କହିଛନ୍ତି ଯେ ଗତ ଜାନୁଆରୀ ୨୨ରେ ଧାନ ବିକ୍ରି ଲାଗି ଟୋକନ୍ ପାଇଥିଲେ ଉଜ୍ଜ୍ୱଳ। ସେହି ଅନୁସାରେ ମଣ୍ଡିକୁ ଆଣିଥିଲେ ୭୨ କୁଇଣ୍ଟାଲ ଧାନ। ଦିନ ପରେ ଦିନ ବିତିଲା ସିନା ହେଲେ ଧାନ ଉଠି ପାରିଲାନି। ଶେଷରେ ଦିନରାତି ଖରା କାକରରେ ଜଗି ଜଗି ଅସୁସ୍ଥ ହୋଇପଡ଼ିବାରୁ ଗତ ମଙ୍ଗଳବାର କୋମନା ଓ ପରେ ନୂଆପଡ଼ା ମେଡିକାଲ ଯାଇ ଶେଷରେ ଆଖି ବୁଜିଛନ୍ତି ଉଜ୍ଜ୍ଵଳ ଶବର। ତାଙ୍କ ବିୟୋଗରେ ଉଜୁଡ଼ି ଯାଇଛି ପରିବାର। ପୂରା ପରିବାର ଅଟକି ଯାଇଛି। ମୁଣ୍ଡ ଉପରେ ଥିବା ପୁଅ ବାହାଘର ଟୋକନ ବାତିଲ ହେବାକୁ ଆଉ ଦିନଟିଏ ବାକି ଥିଲେ ବି ଉଠିପାରିନି ଉଜ୍ଜଳ କି ତାଙ୍କ ଭଳି ବହୁ ଚାଷୀଙ୍କ ଧାନ।

ସେହିପରି ବରଗଡ଼ରୁ ମଧ୍ୟ ମଣ୍ଡି ସମସ୍ୟା ଓ ଚାଷୀ ହନ୍ତସନ୍ତର ଦୃଶ୍ୟ ଦେଖିବାକୁ ମିଳିଛି। ଚାଷୀଙ୍କ ଟୋକନ୍ ବାତିଲ ଓ ଧାନ ବିକ୍ରି ହେଉନଥିବାରୁ ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଜିକୁ ୧୧ ଦିନ ଧରି ଅହୋରାତ୍ର ଧାରଣାରେ ବସିଛନ୍ତି ଚାଷୀ। ୬ ହଜାରରୁ ଅଧିକ ଚାଷୀଙ୍କ ଟୋକନ୍ ବାତିଲ ହୋଇଥିବା ବେଳେ ଆଉ ଥରେ ଟୋକନ୍ ଇସୁ ଲାଗି ଏମାନେ ଆନ୍ଦୋଳନ କରୁଛନ୍ତି।

Advertisment

ମଣ୍ଡି ବଦଳରେ ଆନ୍ଦୋଳନରତ ଚାଷୀ ଏସଡିଜେଏମ୍, ଉପଜିଲ୍ଲାପାଳ, ତହସିଲ ଅଫିସ ଆଗରେ ଧାନ ରଖି ଧାରଣା ଦେଇଛନ୍ତି। ସେହିଭଳି ପଶ୍ଚିମ ଓଡ଼ିଶାର କୁଚିଣ୍ଡା ଓ ଆହୁରି ଅନେକ ସ୍ଥାନରେ ଚାଷୀ ଧାନ ବିକି ନ ପାରି ମଣ୍ଡିରେ ଅପେକ୍ଷା କରିଥିବାରୁ ପିଲା ପରିବାର କେମିତି ଚଳାଇବ, ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ଏପଟେ ସାରା ରାଜ୍ୟରେ ମଣ୍ଡି ସମସ୍ୟା ଓ ଚାଷୀ ହିନସ୍ତା ଖବର ପରେ ବିଧାନସଭାରେ ବିରୋଧୀଙ୍କ ତମ୍ବି ତୋଫାନ ଯୋଗୁ ଆସନ୍ତାକାଲି ଏ ପ୍ରସଙ୍ଗରେ ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ପରେ ନିଷ୍ପତ୍ତି ହୋଇଛି। କାଲି ପ୍ରଶ୍ନକାଳ ପରେ ୨ ଘଣ୍ଟା ଧରି ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବାଚସ୍ପତି। ତେଣୁ ଟୋକନ୍ ଲାପ୍ସ ହୋଇଥିବା ଚାଷୀଙ୍କ ଧାନ କେବେ ଓ କେମିତି ବିକ୍ରି ହେବ ? ରିଜେନେରେଟ୍ ହେବ କି ନାହିଁ ? ସେ ନେଇ ସରକାର କି ନିଷ୍ପତ୍ତି ନେଉଛନ୍ତି, ତା ଉପରେ ସମସ୍ତଙ୍କ ନଜର ରହିଛି ।

ରିପୋର୍ଟ:- ମାୟାଧର ସରାଫ, ପଦ୍ମପୁରରୁ ସୋମେଶ ଚନ୍ଦ୍ର ମହାନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ