/odishatv-khabar/media/post_attachments/uploadimage/library/16_9/16_9_0/low-pressure_1626259777.jpg)
low-pressure
ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଲଘୁଚାପ କ୍ଷେତ୍ର ସୃଷ୍ଟି। ଲଘୁଚାପ କ୍ରମେ ଘନୀଭୂତ ହୋଇ ୨୪ରେ ବାତ୍ୟାରେ ପରିଣତ ହେବ। କ୍ରମେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ମୁହାଁ ହେବ। ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଉପକୂଳ ମୁହାଁ ହେବ ବାତ୍ୟା। ୨୬ ତାରିଖ ସଂଧ୍ୟା ସୁଦ୍ଧା ବାତ୍ୟା ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ବାତ୍ୟା ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟ ମଧ୍ୟରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି । ବିଭାଗ ଭାରତୀୟ ପାଣିପାଗ ବିଭାଗ ଟୁଇଟ୍ କରି ଏହି ସୂଚନା ଦେଇଛି।
ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ
ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ OTVକୁ ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା। ଆଜି ସକାଳେ ସୃଷ୍ଟ ଲଘୁଚାପ କାଲି ଅବପାତରେ ପରିଣତ ହେବ। ୨୪ ତାରିଖ ସକାଳେ ଏହା ବାତ୍ୟାରେ ରୂପାନ୍ତରିତ ହେବ। ୨୬ ତାରିଖ ସଂଧ୍ୟାରେ ବାତ୍ୟା ଉପକୂଳ ଅତିକ୍ରମ କରିବ। ଅତି ଭୀଷଣ ବାତ୍ୟାଭାବେ ଉପକୂଳ ଅତିକ୍ରମ କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଉପକୂଳ ଛୁଇଁଲା ବେଳକୁ ପବନର ବେଗ ୧୨୦ରୁ ୧୬୫ କିମି ରହିବ। ସ୍ଥଳ ବିଶେଷରେ ମଝିରେ ମଝିରେ ପବନ ୧୮୫ କିମି ଛୁଇଁପାରେ। ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ। ନିର୍ଦ୍ଦିଷ୍ଟ କେଉଁଠି ସ୍ଥଳଭାଗ ଛୁଇଁବ, କାଲି ଅବପାତ ହେଲା ପରେ ସ୍ପଷ୍ଟ ହେବ। ବାତ୍ୟା ପ୍ରଭାବରେ ୨୫ ଅପରାହ୍ନରୁ ବର୍ଷା ଆରମ୍ଭ ହୋଇଯିବ। ଉତ୍ତର ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ୨୪ ସଂଧ୍ୟାରୁ ଉପକୂଳ ଓଡ଼ିଶାରେ ୪୦ରୁ ୫୦ କିମି ପବନ ହେବ। ୨୫ ସକାଳୁ ୫୦ରୁ ୬୦ କିମି ଓ ୨୬ରେ ପବନ ବେଗ ବଢ଼ିବ।
ସେହିପରି ଉତ୍ତର ଆଣ୍ଡାମାନ କ୍ଷେତ୍ରରେ ସୃଷ୍ଟ ଲଘୁଚାପ ଏବଂ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ସେ କହିଛନ୍ତି ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଛି। କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନାହାନ୍ତି। କୃଷକମାନେ ସେମାନଙ୍କ କୃଷି ଜାତ ଦ୍ରବ୍ୟକୁ ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ ବୋଲି ଅନୁରୋଧ କରାଯାଇଛି। ତୁରନ୍ତ ଜଳ ନିଷ୍କାସନ ପାଇଁ ଡ୍ରେନେଜ ସଫା ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ସ୍ଥାନାନ୍ତରିତ, ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ ବଡ଼ ଏନଜିଓମାନଙ୍କ ସହଯୋଗ ଲୋଡ଼ାଯାଇଛି।
ଅକ୍ସିଜେନ ଉତ୍ପାଦନ ଓ ରିଫିଲିଂ ପାଇଁ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ଅକ୍ସିଜେନ ଯୋଗାଉଥିବା ବିଭିନ୍ନ ସଂସ୍ଥାମାନଙ୍କ ସହ ଆଲୋଚନା କରାଯାଇଛି। ସେଥିପାଇଁ ଶିଳ୍ପ ବିଭାଗ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ଜିଲ୍ଲା କୋଭିଡ କେୟାର ସେଣ୍ଟର ଓ ଜିଲ୍ଲା କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ଏହାବାଦ ପାନୀୟ ଜଳ ଓ ଜେନେରେଟର ରଖିବା ପାଇଁ କୁହାଯାଇଛି । ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରସୂତି ମହିଳାମାନେ ବାତ୍ୟା ଆଶ୍ରୟ ସ୍ଥଳକୁ ନ ଯାଇ ସିଧା ହସ୍ପିଟାଲ ଆସିବାକୁ କୁହାଯାଇଛି । ବାତ୍ୟା ଆସିବା ପୂର୍ବରୁ ଆଶ୍ରୟସ୍ଥଳୀକୁ ଆସିବାକୁ ସମସ୍ତ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ଯୋଗେ ଅନୁରୋଧ କରାଯାଉଛି। ଅଶ୍ରୟସ୍ଥଳୀରେ ମାସ୍କ ଦେବା ସହ ଓ ରାପିଡ ରେସପନସ ଟିମ୍ ପଠାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି । ସଂକ୍ରମିତ ଥିଲେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି SRC କହିଛନ୍ତି। ପ୍ରସ୍ତୁତ ଥିବା ୧୭ଟି ଏନଡ଼ିଆରଫ,୨୦ଟି ଓଡ୍ରାଫ, ୧୫୦ଟି ଫାୟାର ଟିମକୁ ଆସନ୍ତା କାଲି ବିଭିନ୍ନ ଜିଲ୍ଲାକୁ ପଠାଯିବ । ବାତ୍ୟା ପରେ ଗଛ କାଟିବା ଲାଗି ବନ ବିଭାଗକୁ ମଧ୍ୟ ପ୍ରସ୍ତୁତ ରହିବା ପାଇଁ କୁହାଯାଇଥିବା SRC ସୂଚନା ଦେଇଛନ୍ତି।
ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିର ଜରୁରୀ ବୈଠକ ବସିଛି। ଆସନ୍ତା ୨୫ରୁ ଭୁବନେଶ୍ୱରରେ ବର୍ଷା ପବନ ହେବାର ଆଶଙ୍କା ଥିବାରୁ ଏଥିଲାଗି ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେନେଇ ବିଏମସି କମିଶନର ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବିଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ବିଏମସି କମିଶନର ସଂଜୟ ସିଂହ ଭର୍ଚୁଆଲ୍ ମାଧ୍ୟମରେ ଅଧ୍ୟକ୍ଷତା କରିଥିବା ବେଳେ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠି, ଡେପୁଟି କମିଶନର ଏବଂ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ।
ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ରାପଡା ଜିଲ୍ଲାରେ ସ୍ଥିତି ସମୀକ୍ଷା କରିଛନ୍ତି ଅଗ୍ନିଶମ ଡିଜି। ଆଜି ସକାଳୁ ଅଗ୍ନିଶମ ଡିଜି ଏମ୍. ଅକ୍ଷୟ କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ଏସପିଙ୍କ ସମିଳନୀ କକ୍ଷରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ଜିଲ୍ଲାରେ କେତେ ଟିମ୍ ଅଛନ୍ତି ଆଉ କେତେ ଆବଶ୍ୟକ ଏବଂ କେତେ ମେସିନାରୀ ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅଗ୍ନିଶମ ଡିଜି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)