/odishatv-khabar/media/media_files/2026/02/27/koraput-ganja-oil-seized-2026-02-27-19-59-57.jpg)
ସରଳ ବେପାର ପାଇଁ ଗଂଜେଇ ତେଲର ଅଭିନବ ଫଣ୍ଡା Photograph: (OTV)
ଗଞ୍ଜେଇ ଚୋରାଚାଲାଣର ଦ୍ବୀପ କୋରାପୁଟରେ ଗଂଜେଇ ତେଲ ବେପାରର ଅଭିନବ ଫଣ୍ଡା। ଜଲାପୁଟ ଜଳଭଣ୍ଡାରର ଟାପୁର ନିରକ୍ଷର ଲୋକେ ଗଂଜେଇ ତେଲର ଉତ୍ପାଦନ ଏବଂ ଚୋରାଚାଲାଣ ପାଇଁ ଯେଭଳି ଜ୍ଞାନକୌଶଳ ଆପଣାଇଛନ୍ତି, ଯିଏ ଶୁଣୁଛି ମୁଣ୍ଡରେ ହାତ ଦେଉଛି। ଟାପୁ ଗୁଡ଼ିକରୁ ୨ ଶହ କୋଟିର ଗଂଜେଇ ତେଲକୁ ପୋଲିସ ଜବତ କରିବା ସହ ସରଳ ବେପାର ପାଇଁ ତରଳ ଗଂଜେଇର କେମିତି ଖୋଲିଛି ମହାଗୁମର, ଆସନ୍ତୁ ଜାଣିବା।
ସରଳ ବେପାର ପାଇଁ ତରଳ ଗଂଜେଇର ଅଭିନବ ଫଣ୍ଡା। ଯିଏ ଶୁଣୁଛନ୍ତି ମୁଣ୍ଡ ଟିଣ ହୋଇଯାଉଛି। କାରଣ ଯେଉଁ ଗଂଜେଇକୁ କଠିନ ଅବସ୍ଥାରେ ଚୋରାଚାଲାଣ କଲେ, ଧରାପଡ଼ିଯିବାର ଭୟ ରହୁଥିଲା। ସେହି ଗଂଜେଇକୁ ତରଳ ଅବସ୍ଥାରେ ଚୋରାଚାଲାଣ କଲେ ନା କେହି ଜାଣୁଥିଲା ନା ଧରାପଡୁଥିଲା। ହେଲେ ଏବେ ଖେଳ ଖତମ୍ କଲା କୋରାପୁଟ ପୋଲିସ। ଲକ୍ଷେ କି କୋଟିଏ ନୁହେଁ। ୨ ଶହ କୋଟି ଟଙ୍କାର ଗଂଜେଇ ତେଲ ଜବତ। ପାଡୁଆ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାର ଭିତରେ ଟାପୁରୁ ଜବତ ହୋଇଛି ୧୮ ଶହ ଲିଟର ତରଳ ଗଂଜେଇ। ଯାହା ଚିତ୍ର ଦେଖୁଛନ୍ତି ଆପଣ। ଜବତ ହୋଇଛି ଗଂଜେଇ ସହ ଗଂଜେଇ ତେଲ, କେମିକାଲ ଜାର୍କିନ, ବୋତଲ।
କିଛି ମାସ ତଳେ ଜୟପୁରରୁ ଗଞ୍ଜେଇ ତେଲ ଜବତ ମାମଲାରୁ ହିଁ ଏହି ନୀଳ ଜହରର ବିଶାଳ ନେଟୱାର୍କ ସଂପର୍କରେ ସୁରାଗ ପାଇଥିଲା କୋରାପୁଟ ପୋଲିସ। ଜଣେ ଚାଲାଣକାରୀକୁ ଗିରଫ ପରେ ସିଏ ହିଁ ଖୋଲିଥିଲା ଜଲାପୁଟ ଜଳଭଣ୍ଡାରରେ ସରଳ ବେପାର ପାଇଁ ତରଳ ଗଂଜେଇର ଫଣ୍ଡା। ପକ୍କା ଖବର ପରେ ପ୍ରଥମେ ଡ୍ରୋନର ସହାୟତା ନେଇଥିଲା ପୋଲିସ।
ଏହାପରେ ଏସପିଙ୍କ ନେତୃତ୍ବରେ ବଡ଼ ଟିମ୍ ତିଆରି କରି ଆରମ୍ଭ ହୋଇଥିଲା ମିଶନ୍। ଗଞ୍ଜେଇ ତେଲ ପ୍ରସ୍ତୁତି ହେଉଥିବା କାଜୁବାଡ଼ର ଏକ ଅସ୍ଥାୟୀ କ୍ୟାମ୍ପରେ ପହଞ୍ଚିବାକୁ ଡ଼ଙ୍ଗାରେ ଯାଇଥିଲା ସ୍ପେଶାଲ୍ ଟିମ୍। ଆଉ ଦେଖିବାକୁ ପାଇଥିଲା ବିନା ନିଆଁରେ ଗଂଜେଇ ତେଲ ପ୍ରସ୍ତୁତିର ଅଦଭୁତ ଜ୍ଞାନକୌଶଳ। ଲାଗିଥିଲା ୩୦ରୁ ଅଧିକ ପ୍ରେସର୍ କୁକର, ୧୦ରୁ ଅଧିକ ଡ୍ରମରେ ପାଇପ୍ ସଂଯୋଗ କରି ରସାୟନିକ ପଦାର୍ଥ ମିଶାଇବା ପରେ ବାହାରୁଥିଲା ବାଷ୍ଫ। ସେହି ବାଷ୍ପ ତଥା ଜଳୀୟ ଅଂଶକୁ ସଂଗ୍ରହ କରି ପ୍ରସ୍ତୁତ କରାଯାଉଥିଲା ତେଲ।
ଯେହେତୁ ବର୍ଷା ଦିନରେ ଉଛୁଳୁଥାଏ ଜଳଭଣ୍ଡାର ଏବଂ ଶୀତରେ ପ୍ରବଳ ଥଣ୍ଡା ହୁଏ, ତେଣୁ ପୋଲିସ ଚଢ଼ାଉର ଭୟ ନଥିବାରୁ ବର୍ଷା ମାସରେ ହିଁ ଗଂଜେଇ ଚାଷ କରିଥାନ୍ତି ସ୍ଥାନୀୟ ଲୋକେ। କେରଳର ଜଣେ କେମିକାଲ ଇଞ୍ଜିନିୟରଙ୍କ ଫର୍ମୁଲା ଅନୁଯାୟୀ, ଶୀତ ସରିବା ଆଗରୁ ଅମଳ କରି ତିଆରି କରୁଥିଲେ ଗଂଜେଇ ତେଲ। ସେସବୁକୁ ଜାର୍କିନ୍, ବୋତଲ, ଶିଶି ଆଦିରେ ଭର୍ତ୍ତି କରି ରଖିବା ପରେ ବିଶାଖାପାଟଣା, ସାଲୁର୍, ବିଜୟନଗରମ୍, ଜଗଦଲପୁର, ଆରକୁ ପଟୁ ଦଲାଲ୍ ଜଲାପୁଟ ଏବଂ ଆଖପାଖ ଅଞ୍ଚଳକୁ ଆସି ନେଇଯାଉଥିଲେ ଲକ୍ଷ୍ୟସ୍ଥଳକୁ।
ବିଶେଷ କରି କେରଳ, ଆନ୍ଧ୍ର ଓ ମହାରାଷ୍ଟ୍ରକୁ ଚାଲାଣ ହେଉଥିଲା ଏସବୁ। ପୋଲିସ ଏହି ମାମଲାରେ କେରଳର ଜଣେ ମାଫିଆ ସହ ୩ ଜଣଙ୍କୁ ଧରିଥିବା କୁହାଯାଉଛି।
ତରଳ ଗଂଜେଇ ବା ଗଂଜେଇ ତେଲ। ଯାହାକୁ ହାସିସ୍ ଅଏଲ୍ ବୋଲି କୁହାଯାଏ। ଏହାକୁ ନିର୍ଦ୍ଧିଷ୍ଟ କିଛି ରୋଗ ଓ ଯନ୍ତ୍ରଣାରୁ ମୁକ୍ତି ପାଇଁ ପ୍ରସ୍ତୁତ ଔଷଧରେ ବ୍ୟବହାର କରାଯାଏ। ଏହା ସାଧାରଣତଃ ଗଂଜେଇ ନିଶାଠୁ ବି ମାରାତ୍ମକ। ହୁଏତ ସାମୟିକ ଭାବେ ମସ୍ତିଷ୍କରୁ ହାପି ହରମୋନ୍ ତଥା ଡୋପାମାଇନ୍ ନିର୍ଗତ ହୁଏ। କିନ୍ତୁ ଥରେ ଅଭ୍ୟାସରେ ପଡ଼ିଗଲେ ମାନସିକ ସମସ୍ୟା ଉପୁଜିବା ସହ ହୃଦରୋଗ, ରକ୍ତଚାପ ଭଳି ରୋଗ ମାଡ଼ିବସେ। ତେଣୁ NDPS ଆକ୍ଟ ଅନୁଯାୟୀ, ଭାରତରେ ଏହାର ବ୍ୟବହାର ନିଷେଧ। କିନ୍ତୁ କାନାଡା, ଆମେରିକା, ଜର୍ମାନରେ କୌଣସି ବାରଣ ନାହିଁ।
ସେ ଯାହା ବି ହେଉ, ତରଳ ଗଂଜେଇ ଚୋରାଚାଲାଣ ପଛର ମାଷ୍ଟରମାଇଣ୍ଡ କିଏ ? ଭାରତରେ ନିଷିଦ୍ଧ ଦ୍ରବ୍ୟର ଏହି କାରବାର ପଛରେ ନାହିଁ ତ ଅନ୍ତର୍ଜାତୀୟ ଲିଙ୍କ୍ ? ଏବେ ଏଭଳି ପ୍ରଶ୍ନ ଛିଡ଼ା ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)