Advertisment

Killer Thar Cars Spread Panic: ରାଜଧାନୀରେ ଛାତି ଥରାଉଛନ୍ତି ‘ଥାର୍’ କାର୍ ଚାଳକ; ଦୁର୍ଘଟଣାକୁ ନେଇ ଆତଙ୍କ

ରାଜଧାନୀରେ ଛାତି ଥରାଉଛନ୍ତି ‘ଥାର୍’ କାର୍ ଚାଳକ। ୨୪ ଘଣ୍ଟା ଭିତରେ ଦୁଇ ଦୁଇଟି ଦୁର୍ଘଟଣାକୁ ନେଇ ଆତଙ୍କ। କ୍ୟାପିଟାଲ୍ ହସ୍ପିଟାଲ୍ ଛକରେ ୩ ବାଇକ ଚାଳକଙ୍କୁ। ପିଟିଲା ‘ଥାର୍’। ଜଣଙ୍କ ନେଲା ଜୀବନ, ୨ ଜଣଙ୍କ ଅବସ୍ଥା ଗୁରୁତର।

author-image
Pramod Behera
Killer Thar Cars Spread Panic

ରାଜଧାନୀରେ ଛାତି ଥରାଉଛନ୍ତି ‘ଥାର୍’ କାର୍ ଚାଳକ Photograph: (OTV)

ରାଜଧାନୀରେ ‘ଥାର୍’ ଦେଖିଲେ ଛାତି ଥରୁଛି। କାରଣ ଉଦ୍ଧତ ଡ୍ରାଇଭରଙ୍କ ହାତରେ ପଡ଼ି ଏହି ଅତ୍ୟାଧୁନିକ ଚାରିଚକିଆ ଯାନ ପାଲଟିଯାଇଛି କିଲର୍ କାର୍। ଦୁର୍ଘଟଣା ଏମିତି ଘଟୁଛି ଯେ, ରାଜରାସ୍ତାରେ ସିଧା ମୁଣ୍ଡ ନେଉଛି। ନା ଆଇନକୁ ଭୟ ରହୁଛି, ନା ପୋଲିସକୁ ଖାତିର। ୨୪ ଘଣ୍ଟା ଭିତରେ ଦୁଇ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା ଘଟାଇ ଭୁବନେଶ୍ବରରେ ଦାଦାଗିରି ଦେଖାଇଛନ୍ତି ଥାର୍ ଚାଳକ। କେବଳ ୨୪ ଘଣ୍ଟା ନୁହଁ, ଗତ ୬ ମାସରେ ପାଞ୍ଚ ପାଞ୍ଚଟି ଥାର୍ ଚାଳକଙ୍କ ଦ୍ୱାରା ଦୁର୍ଘଟଣା, ଚିନ୍ତା ବଢ଼ାଇଛି।

Advertisment

କ୍ୟାପିଟାଲରେ ବୁଲୁଛି କିଲର୍ ‘ଥାର୍’...ଛାତି ଥରାଉଛି ରାଜରାସ୍ତାରେ...ସିଧା ପିଟି ଚାଲୁଛି ମଣିଷକୁ...ମୁଣ୍ଡ ଗଡୁଛି ଚକ ତଳେ...ଦିନ ହେଉ କି ରାତି, ଯମ ସାଜି ପ୍ରାଣ ନେଉଛନ୍ତି କିଲର୍ ଚାଳକ। ଦୁର୍ଘଟଣା ଭିଆଇ ଛିନଛତ୍ର ହୋଇଯାଇଛି କଳାରଙ୍ଗର ଥାର୍ ସାମ୍ନା ପଟ। ଭିତରେ ପଡ଼ିଛି ଚାଖଣା, କୋଲଡ ଡ୍ରିଙ୍କସ ସହ ଗ୍ଲାସ। ୩

ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୧ଟାରେ ମଣିଷ ମାରିଛି। ଯାହାର ଇନସ୍ୟୁରାନସ ଅବଧି ବି ସରିଯାଇଛି। କ୍ୟାପିଟାଲ୍ ହସ୍ପିଟାଲ୍ ଛକରେ ଏହି ଥାର୍ ପିଟିଛି ବୁଲେଟ୍‌କୁ। ଯେଉଁଥିରେ ବସିଥିଲେ ୩ ଜଣ। ୩ ଜଣଙ୍କ ମଧ୍ୟରୁ ଓଲଡ ଟାଉନର ରାଜା ପେଦିନି ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇ ଫେରାର୍ ମାରିଥିଲେ ‘ଥାର’ରେ ବସିଥିବା ଅନ୍ୟ ଯୁବକ ସହ ଗାଡ଼ି ମାଲିକ। ଏମାନଙ୍କ ମଧ୍ୟରୁ ଆଜି ସକାଳୁ ଜଣଙ୍କୁ ପୋଲିସ ଅଟକ ରଖିଥିବାବେଳେ ଫରେଷ୍ଟ ପାର୍କ ନିକଟରେ ୨ ପକ୍ଷ ମଧ୍ୟରେ ଉପୁଜିଥିଲା ମୁହାଁମୁହିଁ ପରିସ୍ଥିତି। 

Advertisment

କ୍ୟାପିଟାଲ ହସ୍ପିଟାଲ ଛକ ପରେ ଚନ୍ଦକା ଅଞ୍ଚଳରେ ଆଉ ଏକ ଥାରକୁ ନେଇ ଚାଞ୍ଚଲ୍ୟ। କାରଣ ଏଠାରେ ଭେନ୍ୟୁ କାରକୁ ପିଟି ଓଲଟି ପଡ଼ିଛି ଥାର୍। ଯାହାର ଦୃଶ୍ୟ ଆପଣଙ୍କ ସାମ୍ନାରେ। ପଡ଼ିଆ ଭିତରକୁ ଓଲଟିପଡ଼ି ସିଧା ପଶିଯାଇଛି। ଭେନ୍ୟୁ କାରର ଅବସ୍ଥା ବି ଛିନଛତ୍ର। ଦୃଶ୍ୟ ହିଁ ବୟାନ କରୁଛି, ଦୁର୍ଘଟଣା ପୂର୍ବର ଦ୍ରୁତଗତିକୁ। ଆଜି ସକାଳେ ହିଁ ଏହି ଆକ୍ସିଡେଣ୍ଟ ହୋଇଥିବା ସୂଚନା ମିଳିଥିବାବେଳେ ଉଭୟ ଗାଡ଼ିରେ ଥିବା ଯାତ୍ରୀ କିମ୍ବା ଡ୍ରାଇଭରଙ୍କ ଅବସ୍ଥା ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ୨୪ ଘଣ୍ଟା ଭିତରେ କେବଳ ୨ଟି ଥାର୍ ଦୁର୍ଘଟଣା ନୁହେଁ। 

୨୦୨୫, ଅଗଷ୍ଟ ୯। ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଛକରେ ଥାର୍ ହିଟ୍ ଆଣ୍ଡ ରନ୍ ଘଟାଇ ୨ ନିଷ୍ପାପ ଜୀବନ ନେଇଥିଲା। ୨୦୨୫, ନଭେମ୍ବର ୧୧। ଏଜିରୁ ଆଚାର୍ଯ୍ୟ ବିହାର ଯାଏଁ ସିରିଜ ଦୁର୍ଘଟଣା ଘଟାଇଥିଲା ଥାର। ୨୦୨୫, ନଭେମ୍ବର ୧୯। ଲକ୍ଷ୍ମୀସାଗର ମେଳଣ ପଡ଼ିିଆ ନିକଟରେ ବେପରୁଆ ଥାର୍ ଚାଳକ ସ୍କୁଟିକୁ ଘୋଷାଡ଼ିନେଇଥିଲା। କେବଳ ଥାର୍ ନୁହେଁ, ରାଜଧାନୀରେ ଅନ୍ୟାନ୍ୟ ଯାନବାହନର ଚାଳକ ବି ବେପରୁଆ ଡ୍ରାଇଭିଂ କରୁଛନ୍ତି। ଘୋଷାଡ଼ି ଘୋଷାଡ଼ି ପ୍ରାଣ ନେଉଛନ୍ତି ମଝି ରାସ୍ତାରେ। 

ଦ୍ରୁତଗତି ମହାବିପତ୍ତି। ଏହାକୁ ରୋକିବା ପାଇଁ ଏବଂ ଉଦ୍ଧତ ଡ୍ରାଇଭରଙ୍କୁ ଲଗାମ ଲଗାଇବା ପାଇଁ ଆଇନ ଅଛି। ରାଜଧାନୀ ଭିତରେ ସମସ୍ତ ଯାନବାହନର ଗତି ସର୍ବାଧିକ ୫୦ କିଲୋମିଟର ରହିବା କଥା। ଉଲଂଘନ କଲେ AI କ୍ୟାମେରା ଦ୍ବାରା ଜରିମାନା ବି ହେଉଛି। ତଥାପି ଉତୁପାତିଆଙ୍କ ପରବାୟ ହିଁ ନାହିଁ। ତେବେ ଡିସିପି ଜଗମୋହନ ମୀନା କହିଛନ୍ତି, ଏଭଳି କାର୍ ଚାଳକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। 

ଚାଲିଛି ସଡ଼କ ସୁରକ୍ଷା ମାସ। ହେଲେ ସଚେତନତାର ମାସ ଭିତରେ ବି ସାଂଘାତିକ ସଡ଼କ ଦୁର୍ଘଟଣା। ଯାହାକୁ ନେଇ ଉଦବେଗ ବଢୁଥିବାବେଳେ ରାଜଧାନୀ ବେପରୁଆ ଗାଡ଼ି ଚାଳକ କେବେ ସାବାଡ଼୍ ହେବେ, ତାକୁ ହିଁ ଅପେକ୍ଷା। 

Odisha News Bhubaneswar Accident
Advertisment
Advertisment