/odishatv-khabar/media/media_files/2026/02/10/khurda-balangir-rail-project-2026-02-10-20-14-37.jpg)
ପୂରା ହେବ ୩ ଦଶନ୍ଧିର ସ୍ବପ୍ନ Photograph: (OTV)
୩ ଦଶନ୍ଧି ଅପେକ୍ଷାର ଅନ୍ତ ହେବାକୁ ଆଉ ବେଶୀ ସମୟ ନାହିଁ। ଏବର୍ଷ କାର୍ଯ୍ୟକ୍ଷମ ହେବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ। ବଜେଟରେ କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ଫୋକସ କରିଥିବାରୁ ଆଶା ବଢ଼ିଛି। ଏବେ ଖୋର୍ଦ୍ଧାରୁ ଦଶପଲ୍ଲା ଓ ବଲାଙ୍ଗିର ପଟରୁ ବୌଦ୍ଧର ପୁରୁଣାକଟକ ଯାଏଁ ଟ୍ରେନ୍ ଚଳାଚଳ କରୁଛି। ମଝିରେ ବାକି ରହିଛି ୭୫ କିଲୋମିଟର ରେଳ ଲାଇନ୍ କାମ। ଯେଉଁଥିରେ ୭ଟି ବିଶାଳ ଟନେଲ୍ ଓ ୪ଟି ଭାୟାଡକ୍ଟ ଥିବାରୁ କାମ ଚ୍ୟାଲେଞ୍ଜିଂ ରହିଥିଲା। ସବୁ ଟନେଲରେ ଏବେ ଟ୍ରାକ୍ ବିଛାଇବା ସହ ଅନ୍ୟାନ୍ୟ ଆନୁସଙ୍ଗିକ କାମ ଜୋରସୋରରେ ଆଗେଇଛି। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପାହାଡ ବୁକୁ ଚିରି ଓ ଭୂଇଁରୁ ୮୫ ଫୁଟ୍ ଉପରେ ଗଡ଼ିବ ଟ୍ରେନ।
ଖୋର୍ଦ୍ଧା-ବଲାଙ୍ଗିର ରେଳପଥକୁ ନେଇ ବଢ଼ିଛି ଆଶା। ବର୍ଷେ ଭିତରେ ସରିବ ବହୁ ପ୍ରତୀକ୍ଷିତ ପ୍ରକଳ୍ପ କାମ। ପୂର୍ବ ଓଡ଼ିଶା ସହ ଯୋଡ଼ି ହେବ ପଶ୍ଚିମ ଓଡ଼ିଶା। ଶେଷ ପର୍ଯ୍ୟାୟରେ ୭ଟି ଟନେଲ୍ ନିର୍ମାଣ। ଦ୍ରୁତ ଗତିରେ ଚାଲିଛି ୭୫ କିମି ରେଳ ଲାଇନ୍ କାମ।
ଏବେ ବଲାଙ୍ଗିର ପଟୁ ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଓ ଖୋର୍ଦ୍ଧା ପଟରୁ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଯାଏଁ ଗଡୁଛି ଟ୍ରେନ୍। ୨୨୬ କିଲୋମିଟର ରେଳ ଲାଇନରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ରହିଛି। ମଝିରେ ବାକି ରହିଛି କେବଳ ୭୫ କିଲୋମିଟର ଟ୍ରାକ୍ ନିର୍ମାଣ। ଚଳିତ ବର୍ଷ ଶେଷ ସୁଦ୍ଧା ଖୋର୍ଦ୍ଧା-ବଲାଙ୍ଗିର ରେଳୱେ ପ୍ରକଳ୍ପ ସାରିବାକୁ ଡେଡଲାଇନ୍ ଧାର୍ଯ୍ୟ ହୋଇଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇଛି କାମ।
ପୂର୍ବତଟ ରେଲୱେ ଅଧିକାରୀ କି କର୍ମଚାରୀ କାହାକୁ ଫୁରସତ ନାହିଁ। ୭ଟି ଟନେଲର ନିର୍ମାଣ ସରିଥିବା ବେଳେ ସବୁଥିରେ ସରିଛି ବ୍ରେକ ଥ୍ରୁ। ତାପରେ ଟ୍ରାକ୍ ବିଛାଇବା ସହ ଜୋରସୋରରେ ଡ୍ରେନେଜ, ଲାଇଟିଂ ଭଳି ଆନୁସଙ୍ଗିକ କାମ ଚାଲିଛି । ପୁରୁଣାକଟକରୁ ଦଶପଲ୍ଲା ଭିତରେ ରହିଛି ସମସ୍ତ ୭ ଟନେଲ। ଏଥିରୁ ବୌଦ୍ଧ ଜିଲ୍ଲାରେ ୪ ଓ ନୟାଗଡ଼ ଜିଲ୍ଲାରେ ଅଛି ୨ଟି। ବୌଦ୍ଧ ଆଡେଣୀଗଡ଼ରେ ରହିଛି ସବୁଠୁ ଲମ୍ବା ଟନେଲ୍, ଯାହାର ଲମ୍ବ ୪ କିଲୋମିଟର ୧୮୫ ମିଟର।
୩୦୧ କିଲୋମିଟର ବିଶିଷ୍ଟ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଉପକୂଳକୁ ପଶ୍ଚିମ ଓଡ଼ିଶା ସହ ଯୋଡ଼ିବ। ରାଜ୍ୟର ଆର୍ଥିକ ବିକାଶରେ ଏହି ପ୍ରକଳ୍ପ ବଡ଼ ଭାଗିଦାରୀ ସାଜିବ। ଟନେଲ ସହ ୭୫ କିଲୋମିଟର ଭିତରେ ନିର୍ମାଣ ହେଉଛି ୪ଟି ଭାୟାଡକ୍ଟ ବା ରେଲୱେ ବ୍ରିଜ୍। ବୌଦ୍ଧ କରଞ୍ଜକଟାରେ ୪୬ ଓ ବାହାଲିରେ ୨୦ ପିଲାର ବିଶିଷ୍ଟ ଭାୟାଡକ୍ଟ ନିର୍ମାଣ ସରିଛି।
ସେହିପରି ନୟାଗଡ଼ ଜିଲ୍ଲାର ଜାମୁସାହିରୁ କୁଲୁକୁମ୍ପା ଭିତରେ ୪.୭୭ କିମି ଲମ୍ବ ଓ ବୌଦ୍ଧ-ନୟାଗଡ଼ ସୀମାନ୍ତରେ ରହିଛି ୧୮ ପିଲାର ବିଶିଷ୍ଟ ଭାୟାଡକ୍ଟ। ସେସବୁରେ ଲୁହାର ଗ୍ରିଡ୍, ଓଲଡିଂ, କଂକ୍ରିଟ ସହ ରେଳ ଟ୍ରାକ୍ ବିଛା କାମ ଦ୍ରୁତ ଆଗେଇଛି। ଭୂମିରୁ ୮୫ ଫୁଟ୍ ଉପରେ ଭାୟାଡକ୍ଟ ଦେଇ ଗଡ଼ିବ ଟ୍ରେନ୍। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବଣ ପାହାଡ଼ ଘେରା ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ ସହ ଟନେଲ୍ ଭିତରେ ରେଳଯାତ୍ରାର ନିଆରା ଓ ସୁଖଦ ଅନୁଭୂତି ପାଇବେ ଯାତ୍ରୀ।
ଚଳିତ ବଜେଟରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥକୁ ସ୍ବତନ୍ତ୍ର ଫୋକସ୍ ଦିଆଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ବାକି ୭୫ କିଲୋମିଟର କାମ ସାରିବା ସହ ଟ୍ରେନ୍ ଚଳାଚଳ ପାଇଁ ଟାର୍ଗେଟ ରଖିଛି ରେଳ ବିଭାଗ। ଏହି ପ୍ରକଳ୍ପ ଅର୍ଥନୈତିକ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବା ସହ ଏହାଦ୍ବାରା ପଡୋଶୀ କନ୍ଧମାଳ ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳବାସୀ ବି ଉପକୃତ ହେବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)