Advertisment

"କଂଗ୍ରେସ ଭବନ ନୁହେଁ ତାହା କୁସ୍ତି ଭବନ ହେବା ଦରକାର"

ଆପଣ ୪ ଥର ହେଲେଣି ବିଧାୟକ ହେଉଛନ୍ତି। କିନ୍ତୁ ପ୍ରତି ଥର ବିଧାୟକ ହେବା ପରେ କଂଗ୍ରେସ ପତଳା ହେବାରେ ଲାଗିଛି। ପ୍ରଥମେ ୩୬ ପରେ ୨୮ ଆଉ ତାହା ପରେ ୧୮ ଆଉ ଏବେ ସଂଖ୍ୟା ୯ରେ ପହଞ୍ଚିଲାଣି। ଆର ଥରକୁ କେତେ ରହିବ ବିଧାୟକଙ୍କ ସଂଖ୍ୟା?

author-image
Sarbeswar

tara

ଏବେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିରୋଧୀଙ୍କ ମୁଖ୍ୟ ପ୍ରସଙ୍ଗ। କୋଟିଆ ସମେତ ରାଜ୍ୟର ସବୁ ସୀମାବର୍ତ୍ତୀ ଜିଲ୍ଲାରେ ପଡୋଶୀ ରାଜ୍ୟର ଦାଦାଗିରି। ଆଉ କଂଗ୍ରେସ ଭବନ ମଧ୍ୟରେ କୁସ୍ତି କସରତ କାହାକୁ ଆଉ ଅଛପା ନାହିଁ।

Advertisment

ଓଟିଭି: ଆପଣ ୪ ଥର ହେଲେଣି ବିଧାୟକ ହେଉଛନ୍ତି। କିନ୍ତୁ ପ୍ରତି ଥର ବିଧାୟକ ହେବା ପରେ କଂଗ୍ରେସ ପତଳା ହେବାରେ ଲାଗିଛି। ପ୍ରଥମେ ୩୬ ପରେ ୨୮ ଆଉ ତାହା ପରେ ୧୮ ଆଉ ଏବେ ସଂଖ୍ୟା ୯ରେ ପହଞ୍ଚିଲାଣି ବିଧାୟକଙ୍କ ସଂଖ୍ୟା। ଆର ଥରକୁ କେତେ ରହିବ ବିଧାୟକଙ୍କ ସଂଖ୍ୟା?

ଉତ୍ତର: ୯ ହେଉଛି ଶୁଭ ଫଳ। ଆଗାମୀ ଦିନରେ ୯ଟା ୯୧ରେ ଯାଇ ପହଞ୍ଚିବ।

ଓଟିଭି: ତାରାଙ୍କ ଉପରେ ସନ୍ଦେହ ନାହିଁ। ହେଲେ ଦଳର ଦମ  ଅଛି ତ?

ଉତ୍ତର: ମୋ ନାଁରେ ସଂଗଠନ ଚାଲେ ନାହିଁ। କଂଗ୍ରେସ ଦଳ ନାଁରେ ହିଁ ସଂଗଠନ ଚାଲୁଛି। ଅନେକ ନେତା ନିଜ ନିଜର ସଂଗଠନ କରୁଛନ୍ତି। ସେନେଇ ଆମ ପାଖରେ ଖବର ଅଛି। କିନ୍ତୁ ସେମାନେ ଆଗକୁ ଯାଇପାରନ୍ତି ନାହିଁ।

Advertisment

ଓଟିଭି: ବିଜେପି ଓ ବିଜେଡ଼ି ବିଭିନ୍ନ ପୋଷ୍ଟରରେ ନିଜ ଦଳର ଚିହ୍ନ ଲଗାଉଛନ୍ତି। କିନ୍ତୁ କଂଗ୍ରେସ ନେତା ନିର୍ବାଚନ ବେଳେ ଚିହ୍ନ ଲଗାଉଛନ୍ତି, ଅନ୍ୟ ବେଳେ...

ଉତ୍ତର: ଜଣେ ନେତାଙ୍କୁ ଜିତିବାକୁ ହେଲ ବ୍ୟକ୍ତିଗତ ସମ୍ପର୍କ ଦରକାର। ଦଳର ବ୍ୟାନର ରହିବା ଦରକାର, ଏହାସହ କାମ କରିବା ନିହାତି ଦରକାର।

ଓଟିଭି: ନିର୍ବାଚନ ସମୟରେ ଦଳର କାର୍ଯ୍ୟଶୈଳୀ କେମିତି ଥିଲା?

ଉତ୍ତର: କଂଗ୍ରେସ କମଜୋରି ଦଳ ନୁହେଁ। ଆମେ ସବୁବେଳେ ଲଢେଇ କରୁ। ଚାଷୀଙ୍କ ଲାଗି ୨ ଦିନ ଧରି ଲଢେଇ କଲୁ ଏବଂ ପେଟ୍ରୋଲ ପାଇଁ ଆମେ ୱେଲରେ ବି ବସିଛୁ। ଚାଷୀ ମାନେ କାନ୍ଦୁଛନ୍ତି କିନ୍ତୁ ସରକାରଙ୍କର କୌଣସି ଚିନ୍ତା ନାହିଁ।

ଓଟିଭି: କେନ୍ଦ୍ରରେ ଏବେ କଂଗ୍ରେସ ବଡ଼ ଷ୍ଟାଣ୍ଡ ନେଇଛି। ସଂସଦରେ ବି ରାହୁଲ ଗାନ୍ଧୀ ଚମତ୍କାର ଭାଷଣ ଦେଇଛନ୍ତି....କିନ୍ତୁ ଓଡ଼ିଶାରେ ଆନ୍ଦୋଳନ କେଉଁଠି?

ଉତ୍ତର: ଆମେ ଜିଲ୍ଲା ସ୍ତରରେ ଗୋଟିଏ ଗୋଟିଏ ଆନ୍ଦୋଳନ କରିନେଲୁ ଆଉ ପରେ କୋଲ୍ଡଷ୍ଟୋରଜେକୁ ପଳାଇଲୁ। ମୁଁ ସତ କହିବାକୁ ପସନ୍ଦ କରେ। କିନ୍ତୁ ବିଧାନସଭାରେ  ଆମେ ପ୍ରବଳ ହୋହାଲ୍ଲା କରିଛୁ, କୌଣସି ସ୍ଥାନରେ ଆମେ ବୁଝାମଣା କରିନାହୁଁ।

ଓଟିଭି: ବିଧାନସଭାରେ ଗର୍ଜୁଛନ୍ତି ହେଲେ ବାହାରେ କାହିଁକି ଗର୍ଜୁନାହାନ୍ତି?

ଉତ୍ତର: ଆମ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଠିକ୍‌ ଭାବରେ ଦେଲେ ନାହିଁ। ସେହି ଉତ୍ତରରେ ଆମେ ସନ୍ତୋଷ ବ୍ୟକ୍ତି କରିନାହୁଁ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆମେ ଆଲୋଚନା ବି କରିଛୁ।

ଓଟିଭି: ୯ ଦମଦାର ବିଧାୟକ ଅଛନ୍ତି କିନ୍ତୁ ଅନେକ ସମୟରେ ଏକ ହୋଇ ପାରୁନାହାନ୍ତି?

ଉତ୍ତର: ଆମେ ବିଧାୟକ ସବୁ ଏକ ଅଛୁ, ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। କେବଳ ନରସିଂହ ଦାଦା ଓ ସନ୍ତୋଷ ଭାଇର ଟିକେ ଖୁଟଖାଟ ଲାଗନ୍ତି କିନ୍ତୁ ପରେ ଏକ ହୁଅନ୍ତି। କିନ୍ତୁ ନରସିଂହ ମିଶ୍ର ଯେଉଁ ପ୍ରସଙ୍ଗ ଉଠାନ୍ତି, ସନ୍ତୋଷ ସିଂ ସାଲୁଜା ସେଠି ଲଢନ୍ତି।

ଓଟିଭି: ଅଭିଯୋଗ ଆସେ, କଂଗ୍ରେସ ଦଳର ନେତା ଶାସକ ଦଳ ସହ ସଲାସୁତୁରା କରନ୍ତି?

ଉତ୍ତର: ଏହା ଠିକ୍‌ କଥା ନୁହେଁ। କେହି କାହା ସହ ବୁଝାମଣା କରନ୍ତି ନାହିଁ।

ଓଟିଭି: ନୟାଗଡ ମାମଲାରେ ଆପଣଙ୍କର ଐତିହାସିକ ବିଜୟ ହୋଇଛି। କିନ୍ତୁ ଏଥିରେ ପରୀର ବାପା ଓ ମାଆ ଖୁସୀ ନାହାନ୍ତି, ଆପଣମାନେ ଖୁସୀ ତ?

ଉତ୍ତର: ପରୀ ମାମଲାରେ ଆମେ ଦୁଃଖୀତ। ଆମେ ଲଢେଇ କରିଛୁ, ଆଗାମୀ ଦିନରେ କରିବୁ। ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇସାରିଲେଣି। କେବଳ ଦିଲ୍ଲୀର ଚାଷୀ ଆନ୍ଦୋଳନରୁ ନଜର ହଟାଇବା ଲାଗି ବିଜେପି ପରୀ ଇସ୍ୟୁ ଉଠାଇଲେ ଆଉ ବିଧାନସଭାକୁ ବନ୍ଦ କରିଦେଲେ ସରକାର।

ଓଟିଭି: ଗୋଟିଏ କୁନି ଝିଅକୁ ଦୁଷ୍କର୍ମ ହତ୍ୟା ପରି ମାମଲା ଆସିବ। ଏହାକୁ କଣ ବିଜେପି କି କଂଗ୍ରେସ ଉଠାଇବା କଥା ନୁହେଁ?

ଉତ୍ତର: ପୋଲିସ ଏସପି, ଲୋକାଲ ଏସଡ଼ିପିଓ... ଏମାନେ ସମ୍ପୂର୍ଣ୍ଣ ଦାୟୀ। ଆମେ ଆଜି ବି ସେଇୟା ହିଁ କହୁଛୁ।

ଓଟିଭି: କିନ୍ତୁ ଆପଣ ସରକାରଙ୍କ ତଦନ୍ତ ପ୍ରକ୍ରିୟାରେ ପୂରା ଖୁସ୍?

ଉତ୍ତର: ବିଧାନସଭା ବନ୍ଦ ହୋଇନାହିଁ ବ୍ରେକ୍‌ ହୋଇଛି। ଏହା ପରେ ଦେଖିବେ କଂଗ୍ରେସ ପରୀ ମାମଲାରେ କଣ କରୁଛି?

ଓଟିଭି: ଅଞ୍ଜନା ମାମଲାରେ ରାଜ୍ୟରୁ କଂଗ୍ରେସ ଗଲା, ପରେ ନବୀନ ସରକାର ଆସିଲା। ପୁଣି ଅଞ୍ଜନା କେସ ବ୍ୟାକ୍‌ କଲା....ଏବେ ଦଳ ସଫା ହୋଇ ଯିବ ନାହିଁ ତ?

ଉତ୍ତର: କଂଗ୍ରେସ କେବେ ସଫା ହୋଇ ନାହିଁ କି ହେବ ନାହିଁ। ଚନ୍ଦ୍ର ଓ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଦଳ ରହିବ। ରାଜ୍ୟରେ ପ୍ରତିଦିନ ଅଞ୍ଜନା ଘଟଣା ପରି ମାମଲା ହେଉଛି। ଏବେ ଲୋକ ସବୁ ବୁଝିସାରିଲେଣି।

ଓଟିଭି: ତାରା ବାବୁ ପିସିସି ଯିବେ?

ଉତ୍ତର: ମୁଁ ରାଜ୍ୟସ୍ତରୀୟ ନେତା ନୁହେଁ। ପିସିସି ମୋର ହାତରେ ନାହିଁ, ମୁଁ ମାଗିବି ନାହିଁ କି ଦେଲେ ଛାଡ଼ିବି ନାହିଁ। ମୁଁ କେବେ ପିସିସି ଆସନ ଲାଗି ଲବି କରିନାହିଁ କି କରିବାର ପ୍ରଶ୍ନ ମଧ୍ୟ ଉଠୁନାହିଁ। ଆଉ ମିଳିଲେ ଛାଡିବାର ପ୍ରଶ୍ନ ଉଠୁନାହିଁ।

ଓଟିଭି: ଆପଣ ଲୋକଙ୍କ ସହ ଭଲରେ ମିଶନ୍ତି, ଚା ଦୋକାନରେ ବସନ୍ତି। କିନ୍ତୁ ଆନ୍ଧ୍ର କେତେବେଳେ ମାଡ଼ି ଆସିଲା, ତାରା ଜାଣିଲେ ନାହିଁ କେମିତି?

ଉତ୍ତର:ଏହା ଏବେର କଥା ନୁହେଁ। ପୂର୍ବରୁ କଂଗ୍ରେସ ସରକାର ସମୟରେ ଅନେକ ଥର କେସ ଡିଲ୍‌ ହୋଇଛି। କିନ୍ତୁ ଆମ ସରକାର ଯିବା ପରେ ଏମାନେ ଆଉ କିଛି କଲେ ନାହିଁ। ରାଜ୍ୟ ସରକାରଙ୍କ ହୁଗୁଳା ଓ ସୁବିଧା ନୀତି ଯୋଗୁଁ ଆନ୍ଧ୍ର ପସିଆସିଲା।

ଓଟିଭି: ନୋଟିଫିକେସନର ବର୍ଷେ ପରେ ନିର୍ବାଚନ ହେଲା। ସରକାର କି ବିରୋଧୀ କେହି କେମିତି ଜାଣିପାରିଲେ ନାହିଁ?

ଉତ୍ତର:ବିରୋଧୀ ଏଠାରେ ବଡ଼ କଥା ନୁହେଁ। ଯେଉଁଠି ସରକାରଙ୍କ ଗୁଇନ୍ଦା ବିଭାଗ ରହିଛି, ଅଫିସର ମାନେ ଅଛନ୍ତି। ସଚେତନ ନୁହନ୍ତି ସରକାର। କୋଟିଆ କଥା ବାରମ୍ବାର କହୁଥିବାରୁ ମତେ ବିଧାନସଭା କମିଟିରେ ସଭ୍ୟ ରଖିନାହାନ୍ତି।

ଓଟିଭି: ବିରୋଧୀଙ୍କ କଥା ଶୁଣୁନାହାନ୍ତି ସରକାର। ଏବେ ଲୋକଙ୍କ ପାଖକୁ କାହିଁକି ଯାଉନାହାନ୍ତି ସରକାର?

ଉତ୍ତର: କୋଟିଆ ନୁହେଁ ସବୁ ଆଡ଼େ ସୀମା ବିବାଦ ହେଲାଣି। ଆମେ ନବଗ୍ରହ ଉତ୍ପାତ କରୁଛୁ ବୋଲି ଆଲୋଚନାକୁ ସରକାର ଆସୁଛନ୍ତି। ଲୋକେ ମତେ ଅନେକ କଥା ଦେଇଛନ୍ତି ଏବେ ଲୋକଙ୍କୁ ମୋର ଦେବାର କଥା।

ଓଟିଭି: କଳାହାଣ୍ଡି ଓ ସୁନ୍ଦରଗଡକୁ ଯେତିକି ବିଧାୟକ ନେଇ ମୁଖ୍ୟମନ୍ତ୍ରୀ ଯାଇଥିଲେ ସେତିକି ବିଧାୟକ ନେଇ କୋଟିଆ ଯିବାର କଥା ନୁହେଁ କି ?

ଉତ୍ତର: ଏବେ ସର୍ବଦଳୀୟ ବୈଠକ କରନ୍ତୁ। ପରିବର୍ତ୍ତନ ନିଶ୍ଚୟ ହେବ। ଆମ କଥା ନଶୁଣିଲେ ଆମେ ଗାଳି କରିବୁ, ବିଧାନସଭାରେ ନିଶ୍ଚୟ ହୁଡ଼ିବୁ।

ଓଟିଭି: ଜନ୍ମଭୂମି ଲାଗି ବିବାଦ ଆସିଛି କିନ୍ତୁ ରାଜନୈତିକ ଦଳ ଏକାଠି ହେଉ ନାହାନ୍ତି କାହିଁକି?

ଉତ୍ତର: ଆମେ ପଖାଳ ଖାଇ ଖାଇ ଦେହ ଶିଥିଳ ହୋଇଯାଇଛି। ଆମେ ହଟ୍‌ ନୁହେଁ ସ୍ପଷ୍ଟ ନେତା। ମୁଁ ଫିଲ୍ଡର ଲୋକ, ଫାଇଲର ନୁହେଁ। କିନ୍ତୁ ନବୀନ ବାବୁ ଫାଇଲର ନେତା।

ଓଟିଭି: କୋଟିଆ ଲୋକ ଦିଲ୍‌ ସେ ଓଡ଼ିଶା ସହ ଅଛନ୍ତି ନାଁ ଆନ୍ଧ୍ର ସହ ଅଛନ୍ତି?

ଉତ୍ତର:ସେମାନେ ଆନ୍ଧ୍ର ସହ ଅଛନ୍ତି। କାରଣ ସେମାନେ ଆନ୍ଧ୍ରକୁ ଭୋଟ ଦେଇଛନ୍ତି , ସରକାର ଏବେ ସଚେତନ ହେବା ନିହାତି ଦରକାର। ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ, ଆମେ ରକ୍ତପାତକୁ ଡ଼ରିବାରେ ନାହିଁ।

ଓଟିଭି: କଂଗ୍ରେସ ଭବନରେ ଏମିତି ଗଣ୍ଡଗୋଳ କାହିଁକି ହେଉଛି?

ଉତ୍ତର: ଆମ ସଭାପତି ଷ୍ଟ୍ରଙ୍ଗ୍‌ ନୁହନ୍ତି, ସସପେଣ୍ଡ କରୁନାହାନ୍ତି କାହିଁକି? ତାଙ୍କ ସ୍ଥାନରେ ମୁଁ ଥିଲେ ସସପେଣ୍ଡ କରିକି ଏଆଇସିସିକୁ ଲେଖିଦିଅନ୍ତି।

ଏହାସହ ଖୋଲାକଥାରେ ଆଉ କେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି, ତାହା ଜାଣିବାକୁ ଦେଖନ୍ତୁ ଏହି ଭିଡ଼ିଓ.....

Advertisment
Advertisment