/odishatv-khabar/media/post_attachments/uploadimage/library/16_9/16_9_0/nayaada_1626698483.jpg)
nayaada
ନୟାଗଡ଼: ନୟାଗଡ଼ରେ କଙ୍ଗାରୁ କୋର୍ଟ । ପୋଖରୀ ଲିଜ୍ ନେବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି। କଥା କଙ୍ଗାରୁ କୋର୍ଟରେ ପହଞ୍ଚିଥିବା ବେଳେ ଗ୍ରାମବାସୀ ସମ୍ପୂର୍ଣ୍ଣ ପରିବାରକୁ ନିଆଁ ପାଣି ବାସନ୍ଦ କରିଦେଇଛନ୍ତି। ଏମିତିକି ଘର ଦୁଆର ମୁହଁରେ କଣ୍ଟା ପକାଇ ଗେଟ୍କୁ ବନ୍ଦ କରାଯାଇଛି। ଯଦି କେହି ଗେଟ୍ ଖୋଲିବେ, ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦିଆଯାଉଛି। ଏପରି ଅମାନବୀୟ ଘଟଣା ଘଟିଛି ନୟାଗଡ଼ ଚାନ୍ଦପୁର କେରଣ୍ଡା ଟାଙ୍ଗୀ ପଞ୍ଚାୟତ ଉପେନ୍ଦ୍ରପୁର ଗାଁରେ।
ଖବର ଅନୁଯାୟୀ, ଉପେନ୍ଦ୍ରପୁର ଗାଁର ପ୍ରସନ୍ନ ସୁନ୍ଦରାୟଙ୍କ ପରିବାର ଗାଁରେ ଏକ ପୋଖରୀ ନିଲାମ ନେଇଥିବା ବେଳେ ଏହାକୁ ଗାଁ ଲୋକେ ବିରୋଧ କରିଥିଲେ। ଯାହାଫଳରେ କି ଗାଁ ଲୋକେ ପ୍ରସନ୍ନଙ୍କ ପରିବାରକୁ କଙ୍ଗାରୁ କୋର୍ଟ କରି ଗତ ୧୦ ତାରିଖରୁ ଏକ ଘରକିଆ କରିଦେଇଛନ୍ତି। ଏମିତିକି ସେମାନେ ଗାଁ ପୋଖରୀ ଓ ନଦୀକୁ ମଧ୍ୟ ବ୍ୟବହାର କରିପାରିବେ ନାହିଁ। ଗାଁ ଦୋକାନରୁ ଜିନିଷ କିଣିକି ଆଣିପାରିବେ ନାହିଁ। ଫଳରେ ପ୍ରସନ୍ନଙ୍କ ପରିବାର ସଦସ୍ୟ ଦୋକାନକୁ ଗଲେ ଦୋକାନୀ ସେମାନଙ୍କୁ ଖାଲି ହାତରେ ଫେରାଇ ଦେଉଛି।
ଏନେଇ ପ୍ରସନ୍ନ କହିଛନ୍ତି ଯେ ପୋଖରୀକୁ ନିଲାମ ନେବା ପରଠାରୁ ଗ୍ରାମବାସୀ ଆକ୍ରୋଶମୂଳକ ଭାବେ ତାଙ୍କୁ ହଇରାଣ ହରକତ କରୁଛନ୍ତି। ଘର ଆଗରେ କଣ୍ଟା ପକାଇ ଦେଉଛନ୍ତି। ଗାଲିଗୁଲଜ ମଧ୍ୟ କରୁଛନ୍ତି। କଣ୍ଟା ବାହାର କଲେ ଜୀବନରୁ ମାରି ଦେବାକୁ ବି ଧମକ ଦେଉଛନ୍ତି।
ପ୍ରଥମେ ଚାନ୍ଦପୁର ଥାନାରେ ଏନେଇ ଅଭିଯୋଗ କରିଥିଲି। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏହାପରେ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଛି। ଏହାର ତଦନ୍ତ ନିମନ୍ତେ ସେ ଆଇଆଇସିକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
ସୂଚନାଥାଉକି, ପ୍ରସନ୍ନଙ୍କ ପରିବାରକୁ ୫ବର୍ଷ ପୂର୍ବେ ମଧ୍ୟ ଠିକ୍ ଏହିଭଳି ଭାବେ ନିଆଁପାଣି ବାସନ୍ଦ କରିଥିଲେ। କଙ୍ଗାର କୋର୍ଟ ନିଷ୍ପତ୍ତି ୫ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥାଏ। ଉକ୍ତ ସମୟସୀମା ପୂରି ଯିବା ପରେ ପୁଣି ପରିବାରକୁ ହଇରାଣ କରିବାକୁ ଗ୍ରାମବାସୀ ଏପରି କରୁଥିବା ପ୍ରସନ୍ନ ସୁନ୍ଦରାୟ ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)