/odishatv-khabar/media/post_attachments/uploadimage/library/16_9/16_9_0/jharaphul_1626247980.jpg)
jharaphul
ଭୁବନେଶ୍ୱର: କେବେ ଫିଟିବ ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁର ଗୁମର? ମୟୂରଭଞ୍ଜର ଯଶୀପୁର ବୃନ୍ଦେଇ ପୋଷୀର ଆଦିବାସୀ ଛାତ୍ରୀ ମୃତ୍ୟୁ ଘଟଣାକୁ ୮ ଦିନ ବିତିଥିଲେ ବି ଏଯାଏଁ ଘଟଣା ଉପରୁ ଉଠି ପାରୁନି ପରଦା। ଏପଟେ ଘଟଣାର ତଦନ୍ତ କରୁଥିବା କୁଆଖିଆ ପୋଲିସକୁ ଅଭିଯୁକ୍ତ ରାକେଶ୍ ବ୍ୟବହାର କରିଥିବା ସ୍କୁଟର ମିଳିଥିବା ବେଳେ ଝରାଫୁଲର ମୋବାଇଲ ଫୋନ୍ କି ରାକେଶର ବନ୍ଧୁ ଶକ୍ତିଶେଖରର ଏଯାଏଁ କୌଣସି ପତ୍ତା ପାଇ ପାରିନାହିଁ ପୋଲିସ।
ମିଳିଲା ମୃତଦେହ ବୁହା ସ୍କୁଟର, ହେଲେ ଅଭିଯୁକ୍ତ ରାକେଶର ସହଯୋଗୀ ଶକ୍ତିଶେଖରର ମିଳୁନି ପତ୍ତା। ତିନି ଦିନ ଜେରାରୁ କି ତଥ୍ୟ ପାଇଲା ପୋଲିସ, ତାକୁ ନେଇ କଳ୍ପନାଜଳ୍ପନା। #Odisha#OTV#JharaPhula#Jajpur#Bhubaneswarpic.twitter.com/DmHHwwI3nC
— ଓଟିଭି (@otvkhabar) February 4, 2021
ବହୁଚର୍ଚ୍ଚିତ ଝରାଫୁଲ ନାୟକ ମୃତ୍ୟୁ ମାମଲାରୁ ପରଦା କେବେ ଉଠିବ ସେନେଇ ଏବେ ବି ଜୋରସୋରରେ ଚାଲିଛି ଚର୍ଚ୍ଚା? ରମାଦେବୀରେ ପଢୁଥିବା ମୟୂରଭଞ୍ଜର ଏ ମେଧାବୀ ଛାତ୍ରୀର ସନ୍ଦେହଜନକ ମୃତ୍ୟୁ ଉପରୁ କେବେ ରହସ୍ୟ ଫିଟାଇ ପାରିବ ପୋଲିସ? ଏହି ଘଟଣା ଉପରେ ପୁରା ରାଜ୍ୟବାସୀଙ୍କ ନଜର ଥିବା ବେଳେ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ଝରାଫୁଲର ବୟଫ୍ରେଣ୍ଡ୍ ଅଭିଯୁକ୍ତ ରାକେଶ ସ୍ୱାଇଁ ବ୍ୟବହାର କରିଥିବା ସ୍କୁଟରକୁ କିନ୍ତୁ ଜବତ କରିଛି ପୋଲିସ। ସେହି ଲାଲ ଲଙ୍ଗର ସ୍କୁଟର ହିଁ ଭୁବନେଶ୍ୱରରୁ ଯାଜପୁର ନେଇ ଝରାଫୁଲର ଡେଡବଡି ଫିଙ୍ଗିଥିଲା ରାକେଶ। ଭୁବନେଶ୍ୱର ସୁନ୍ଦରପଦାର ଏକ ପରିତ୍ୟକ୍ତ ସ୍ଥାନରୁ ଗତକାଲି ଏ ଗାଡ଼ିକୁ ଉଦ୍ଧାର କରିଛି ପୋଲିସ।
ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ଯାଜପୁର ଏସଡ଼ିପିଓ କହିଛନ୍ତି ଯେ, ପୂରା ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଘଟଣା ଉପରୁ ଖୁବଶୀଘ୍ର ପରଦା ଉଠିବ।
ଏପଟେ ଝରାଫୁଲର ବାପା କହିଛନ୍ତି ଆସାମୀ ସାମ୍ନାକୁ ଆସୁ। ଘଟଣାରେ ଯେଉଁମାନେ ସମ୍ପୃକ୍ତ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ, ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ଏହି ଘଟଣା ଉପରୁ ସମସ୍ତ ପରଦା ଉଠୁ।
ତେବେ ଗାଡ଼ିର ଡିକିରେ ନମ୍ବର ପ୍ଲେଟ ରଖାଯାଇଥିବା ଦେଖିବାକୁ ମିଳିଛି। ରାକେଶର ସୂଚନା ଅନୁସାରେ, ପୋଲିସ ଘଟଣାସ୍ଥଳକୁ ଯାଇ ଗାଡ଼ିକୁ ଜବତ କରି ଯାଜପୁର ନେଇଛି। ଆଉ ଏହାରି ମଧ୍ୟରେ ଗାଡ଼ିର ମାଲିକ ନିଜେ ରାକେଶ ବୋଲି ପୋଲିସ ଜାଣିବାକୁ ପାଇଛି। ଗାଡ଼ି ମିଳିବା ପରେ ଏବେ ପୋଲିସର ତଦନ୍ତ ପରିସରକୁ ଆସିଛନ୍ତି ଅଭିଯୁକ୍ତ ରାକେଶର ଭାଇ ସମେତ ଆଉ ଜଣେ ସମ୍ପର୍କୀୟ। ଆଉ ମିଳିଥିବା ସୂଚନା ଅନୁସାରେ, ଉଭୟଙ୍କୁ ଆଜି କୁଆଖିଆ ଥାନାକୁ ଡକାଇ ଜେରା କରିଛି ପୋଲିସ।
ଏହାରି ମଧ୍ୟରେ ଝରାଫୁଲ ମୃତ୍ୟୁକୁ ପୁରିଛି ୮ ଦିନ। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ଗିରଫ ହେବାର ୬ ଦିନ ବିତିଛି। ତେବେ ରାକେଶ ପୋଲିସ ଆଗରେ ତା ଦୋଷ ସ୍ୱୀକାର କରିଛି ନା ସତ ଲୁଚାଇଛି ସେ ସମ୍ପର୍କରେ ଏଯାଏଁ ମୁହଁ ଖୋଲିନି ଯାଜପୁର ପୋଲିସ। ଏପଟେ ପୋଲିସ ରାକେଶର ସ୍କୁଟର ପର୍ଯ୍ୟନ୍ତ ପହଞ୍ଚିଥିଲେ ବି ଝରାଫୁଲର ମୋବାଇଲ ଫୋନ୍ ସମ୍ପର୍କରେ ସୁରାକ୍ ପାଇନି। ସେହିଭଳି ଝରାଫୁଲ ମୃତଦେହ ଫିଙ୍ଗିବାରେ ସହାୟତା କରିଥିବା ରାକେଶର ବନ୍ଧୁ ଶକ୍ତି ଶେଖର ସ୍ୱାଇଁ ଏବେ କେଉଁଠି? ଏ ମାମଲାରେ ଆଉ କଣ ରହଛି ତାର ସମ୍ପୃକ୍ତି? ଏ ସମସ୍ତ ଦିଗ ବି ଏବେ ବି ଅସ୍ପଷ୍ଟ ଥିବାରୁ ପ୍ରମାଣ କେବେ ମିଳିବ ଓ ଦୋଷୀ କେବେ ଧରାପଡ଼ିବେ, ତାକୁ ଅପେକ୍ଷା କରିଛନ୍ତି ଝରାଫୁଲର ପରିବାର, ସାଙ୍ଗସାଥୀ ଓ ପୁରା ବୃନ୍ଦେଇପୋଷୀ ଗାଁ ଲୋକେ।
ଏପଟେ ଅଭିଯୁକ୍ତ ରାକେଶର ୩ ଦିନିଆ ରିମାଣ୍ଡ୍ ଅବଧି ଆଜି ଶେଷ ହେଉଥିବା ବେଳେ ଶେଷ ଦିନରେ ମାରାଥନ ଜେରା କରିଛି ଯାଜପୁର ପୋଲିସ।
ଯାଜପୁରରୁ ଗୁଲାମ ଗସ୍ ଓ ମୟୂରଭଞ୍ଜ କରଞ୍ଜିଆରୁ ଦୀପକ କୁମାର ମହାନ୍ତଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)