/odishatv-khabar/media/post_attachments/uploadimage/library/16_9/16_9_0/newborn-corona_1623244382.jpg)
newborn corona
ଭୁବନେଶ୍ୱର: ଗର୍ଭାବସ୍ଥାରେ ମା’ କରୋନା ଆକ୍ରାନ୍ତ ଥିଲେ ଛୁଆ ଆକ୍ରାନ୍ତ ହେବ, ତାହା ଜରୁରୀ ନୁହେଁ । ଛୋଟ ପିଲାଙ୍କୁ ମାସ୍କ ପିନ୍ଧାଇବା ବି ଆବଶ୍ୟକତା ନାହିଁ । ଗର୍ଭାବସ୍ଥାରେ ମା’ଠାରୁ ଛୁଆ ସଂକ୍ରମିତ ହେବ ନାହିଁ । ଛୁଆ ଜନ୍ମ ବେଳେ ସାବଧାନ ରହିଲେ, ମା’ଠାରୁ ଛୁଆ ସଂକ୍ରମିତ ହେବନି । ପ୍ରସବ ବେଳେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀ । ଏଭଳି କିଛି ଗୁରତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଆଦିତ୍ୟ ମହାପାତ୍ର ।
ସେ କହିଛନ୍ତି ୨ ବର୍ଷରୁ କମ୍ ସଂକ୍ରମିତ ଶିଶୁକୁ ମାସ୍କ ପିନ୍ଧାଇବା ଆବଶ୍ୟକ ନାହିଁ । ୨ରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ଯଦି ମାସ୍କ ପିନ୍ଧି ପାରୁଛି, ତେବେ ତାକୁ ପିନ୍ଧାନ୍ତୁ । ଶିଶୁର ଶ୍ୱାସକ୍ରିୟା ଦେଖି ହସ୍ପିଟାଲରେ ଭର୍ତ୍ତି କରିପାରିବେ ଅଭିଭାବକ । ୨ ମାସରୁ କମ୍ ପିଲା ମିନିଟକୁ ୬୦ରୁ ଅଧିକ ନିଶ୍ୱାସ ନେଲେ ବିପଦ । ୨ମାସରୁ ୧ ବର୍ଷ ୫୦ରୁ ଅଧିକ, ୧ରୁ ୫ ବର୍ଷ ପିଲା ୪୦ରୁ ଅଧିକ ନିଶ୍ୱାସ ନେଲେ ବିପଦ ବୋଲି କହିଛନ୍ତି ଡାକ୍ତର ମହାପାତ୍ର । ସେହିଭଳି ୫ ବର୍ଷରୁ ଅଧିକ ବୟସର ପିଲା ମିନିଟକୁ ୩୦ରୁ ଅଧିକ ନିଶ୍ୱାସ ନେଉଥିଲେ ମଧ୍ୟ ବିପଦ । ନିଶ୍ୱାସ ନେବା ବେଳେ କୁନ୍ଥେଇଲେ କିମ୍ବା ନିସ୍ତେଜ ହେଲେ ଏହା ଏକ ବିପଦ ସଙ୍କେତ ବୋଲି ବୁଝିବାକୁ ହେବ । ଶିଶୁମାନଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ଦେଖିଲେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।
ସେହିଭଳି ଆଉ ଜଣେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସେବାରଂଜନ ବିଶ୍ୱାଳଙ୍କ ପରାମର୍ଶ ଦେଇଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଶିଶୁଙ୍କ ଜ୍ୱର, କାଶ, ଥଣ୍ଡା ଓ ନାକରୁ ପାଣି ବୋହିଲେ ଡାକ୍ତରଙ୍କ ପରାମର୍ଶ ନିତ୍ୟାନ୍ତ ଜରୁରୀ । କୌଣସି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ନିହାତି ଭାବେ ଟେଷ୍ଟ କରିବା ଉଚିତ୍ । ଲକ୍ଷଣ ନଥିବା ଆକ୍ରାନ୍ତ ଶିଶୁକୁ କିଛି ଔଷଧ ଦେବା ଆବଶ୍ୟକ ନାହିଁ ।
ସ୍ୱଳ୍ପ ଲକ୍ଷଣ ଯୁକ୍ତଙ୍କୁ ପାରାସିଟାମଲ ଓ ଗୁରୁତର ଆକ୍ରାନ୍ତଙ୍କୁ ହସ୍ପିଟାଲ ଭର୍ତ୍ତି କରିବା ଜରୁରୀ ବୋଲି ଡାକ୍ତର ବିଶ୍ୱାଳ ପରାମର୍ଶ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସେ କହିଛନ୍ତି ଯେ, ଶିଶୁମାନଙ୍କ ଫୁସଫୁସ ଅପେକ୍ଷାକୃତ ସୁସ୍ଥ ଥିବାରୁ ଗୁରୁତର ସମ୍ଭାବନା କମ୍ ରହିଛି । ଶିଶୁମାନଙ୍କ ବହୁବିଧ ରୋଗ ପ୍ରାୟତଃ ନଥିବାରୁ ଗୁରୁତର ହୁଅନ୍ତି ନାହିଁ । ଘରର ବଡ଼ ଲୋକମାନଙ୍କ ପାଇଁ ଶିଶୁମାନେ ସଂକ୍ରମିତ ହୋଇଥାନ୍ତି । ବଡ଼ ଲୋକ ଘରକୁ ଫେରିଲେ ସାନିଟାଇଜ୍ ହୋଇ ପିଲାଙ୍କ ପାଖକୁ ଯାଆନ୍ତୁ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)