Advertisment

Toxic Drinking Water: ଇନ୍ଦୋର ବିଷାକ୍ତ ପାଣି ଘଟଣା ପରେ ଓଡ଼ିଶାର ପିଇବା ପାଣି ସୁରକ୍ଷା ନେଇ ଚିନ୍ତା

୧୦ରୁ ଅଧିକ ମୃତ୍ୟୁ, ୨୦୦ରୁ ଅଧିକ ଗୁରୁତର ଆଉ ହଜାରରୁ ଅଧିକ ଆକ୍ରାନ୍ତ। ମଧ୍ୟପ୍ରଦେଶ ଇନ୍ଦୋର ଭାଗିରଥିପୁରାରେ ବିଷାକ୍ତ ପାଣିର ଆତଙ୍କ। ଏଭଳି ସ୍ଥିତିରେ ପାଣି ପାଇଁ ବେଳେ ବେଳେ ଜଣ୍ଡିସ କବଳକୁ ଚାଲି ଆସୁଥିବା କଟକ ସହର କେମିତି ରହିଛି ସ୍ଥିତି, ଜାଣିବାକୁ ସରପ୍ରାଇଜ୍ ଚେକ୍ କରିଥିଲା ଓଟିଭି।

author-image
Pramod Behera
Toxic Drinking Water

ଇନ୍ଦୋର ବିଷାକ୍ତ ପାଣି ଘଟଣା ପରେ ଓଡ଼ିଶାର ପିଇବା ପାଣି ସୁରକ୍ଷା ନେଇ ଚିନ୍ତା। Photograph: (OTV)

୧୦ରୁ ଅଧିକ ମୃତ୍ୟୁ, ୨୦୦ରୁ ଅଧିକ ଗୁରୁତର ଆଉ ହଜାରରୁ ଅଧିକ ଆକ୍ରାନ୍ତ। ମଧ୍ୟପ୍ରଦେଶ ଇନ୍ଦୋର ଭାଗିରଥିପୁରାରେ ବିଷାକ୍ତ ପାଣିର ଆତଙ୍କ। ଗଲା ସପ୍ତାହେ ଧରି ଇନ୍ଦୋର ମ୍ୟୁନିସିପାଲିଟି କର୍ପୋରେସନ୍ ଅଧୀନ ଭାଗିରଥିପୁରା ଅଞ୍ଚଳରେ ବିଷାକ୍ତ ପାନୀୟ ଜଳରୁ ମଡ଼କର ପ୍ରମାଣ ମିଳିବା ପରେ ଆଲର୍ଟରେ ସାରା ଦେଶ। 

Advertisment

ଏଭଳି ସ୍ଥିତିରେ ପାଣି ପାଇଁ ବେଳେ ବେଳେ ଜଣ୍ଡିସ କବଳକୁ ଚାଲି ଆସୁଥିବା କଟକ ସହର କେମିତି ରହିଛି ସ୍ଥିତି, ଜାଣିବାକୁ ସରପ୍ରାଇଜ୍ ଚେକ୍ କରିଥିଲା ଓଟିଭି। ଆଉ ଗ୍ରାଉଣ୍ଡରେ ଚିତ୍ର ଯାହା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି। କଟକର ତଳ ତେଲେଙ୍ଗା ବଜାର ଅଞ୍ଚଳରେ ଅତି ଅପରିଷ୍କାର ଆଉ ପୁତିଗନ୍ଧମୟ ପରିବେଶ ଭିତରେ ଯାଇଛି ପିଇବା ପାଣିର ପାଇପ ଲାଇନ୍। ଏଠି ପାଣି ପାଇପ ଯଦି ଫାଟିଥିବ କିମ୍ବା ଲିକ୍ ଥିବ, ତେବେ କେତେବଳେ, ଇନ୍ଦୋର ପରିସ୍ଥିତି ସୃଷ୍ଟି ନ କରିବ, ତାହା କହିବା ମୁସ୍କିଲ। 

ଖାଲି ଏହି ଗୋଟିଏ ନୁହେଁ। କଟକର ହାତୀପୋଖରୀ ଅଞ୍ଚଳର ଅବସ୍ଥା ମଧ୍ୟ କହିଲେ ନ ସରେ। ଏଠି ବି ଲୋକଙ୍କ ଘର ନିକଟକୁ ଦିଆଯାଇଥିବା ପାଇପର ଲାଇନର ସ୍ଥିତି ଦେଖିଲେ, ସହଜରେ ଜାଣି ହେଉଛି କେତେ ସୁରକ୍ଷିତ ଏମାନେ। ଅଭିଯୋଗ, ଏବେ ପାଇପରେ ଆସୁଥିବା ପାଣିକୁ କିଛି ସମୟ ରଖିଲେ ରଙ୍ଗ ବଦଳି ଯାଉଛି।

Advertisment


ଏପଟେ ଶିଳ୍ପ ସହର ଝାରସୁଗୁଡାର ସ୍ଥିତି ବି ସାଂଘାତିକ। ଏଠି ବି ପାଣି ପାଇପ୍ କେଉଁଠି ଆବର୍ଜନାମୟ ଡ୍ରେନ୍ ଉପର ଦେଇ ଯାଇଛି ତ ଆଉ କେଉଁଠି ପାଣି ପାଇପର ଜଏଣ୍ଟ ସ୍ଥାନରେ ଅପରିଷ୍କାର ଓ ଅସ୍ୱଚ୍ଛ ସ୍ଥିତି। ଏଭଳି ସ୍ଥିତିରେ ଓଡ଼ିଶା ପୂର୍ବରୁ ଅନେକ ଥର, ବିଷାକ୍ତ ପାନୀୟ ଜଳରୁ ମୃତ୍ୟୁ ବିଭୀଷିକା ଦେଖିସାରିଥିବାରୁ ଇନ୍ଦୋର ଘଟଣା ପରେ ସତର୍କ ହୋଇଛି ନଗର ଉନ୍ନୟନ ବିଭାଗ। ବିଭାଗୀୟ ମନ୍ତ୍ରୀ କହିଛନ୍ତି ଏବେ ରାଜ୍ୟର ସବୁ ଜିଲ୍ଲା ଓ ସହରାଞ୍ଚଳରୁ ପିଇବା ପାଣିର ସାମ୍ପୁଲ ନେଇ ଲାବୋରଟାରୀରେ ଟେଷ୍ଟିଂ କରାଯାଉଛି। ଯେଉଁଠି ଡ୍ରେନ୍ ଦେଇ ପାନୀୟ ଜଳ ପ୍ରକଳ୍ପ ଯାଇଛି, ତାକୁ ବଦଳାଯାଇଛି। ଯେଉଁଠି ରହିଯାଇଛି, ତାକୁ ବି ତୁରନ୍ତ ବଦଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।

ଇନ୍ଦୋରରେ ବିଷାକ୍ତ ପାଣିରୁ ଜୀବନ ଯିବା ଘଟଣା, ପରେ ଓଡ଼ିଶା ଅଧିକ ସତର୍କ ହେବା ପଛର କାରଣ ବି ଯଥାର୍ଥ। କାରଣ ପ୍ରତିବର୍ଷ ଓଡ଼ିଶାରେ ଜଣ୍ଡିସ ଓ ହଇଜା କିଛି ନୂଆ କଥା ନୁହେଁ। ବିଶେଷକରି କଟକ ଓ ସମ୍ବଲପୁରରେ କିଛି ବର୍ଷ ଅନ୍ତରରେ ବାରମ୍ବାର ଦେଖିବାକୁ ମିଳିଛି ଜଣ୍ଡିସ ମହାମାରୀ। 

୨୦୧୪ରେ ସମ୍ବଲପୁରରେ ଜଣ୍ଡିସ ରୋଗ ନେଇଥିଲା ୩୦ରୁ ଅଧିକ ଜୀବନ। ଶହ ଶହ ଲୋକ ଆକ୍ରାନ୍ତ ବି ହୋଇଥିଲେ। ସେହିଭଳି ୨୦୧୯ ଏବଂ ୨୦୨୪ରେ ମଧ୍ୟ ସମ୍ବଲପୁରବାସୀଙ୍କୁ ନାକେଦମ କରିଥିଲା ଜଣ୍ଡିସ। ଏହାର ପୁନରାବୃତ୍ତି ପୂର୍ବରୁ ସଜାଗ ହେବା ଦରକାର ପ୍ରଶାସନ। 

Indore Health Drinking Water
Advertisment
Advertisment