/odishatv-khabar/media/post_attachments/uploadimage/library/16_9/16_9_0/Tika_1623223540.jpg)
Tika
- ମୋଦିଙ୍କ ମାଗଣା ଟିକା ଘୋଷଣା ପରେ କେନ୍ଦ୍ରର ନୂଆ ନିୟମ
- ଅପଚୟ ହ୍ରାସ ଓ ଅନ୍ସାଇଟ୍ ରେଜିଷ୍ଟ୍ରେସନକୁ ଫୋକସ୍
- ୧୮ବର୍ଷରୁ ଉର୍ଦ୍ଧ୍ୱ ବର୍ଗରେ କାହାକୁ ଅଗ୍ରାଧିକାର, ନିଷ୍ପତ୍ତି ନେବେ ରାଜ୍ୟ
- DMETଙ୍କ ସୂଚନା, ଡବଲ ଡୋଜ୍ ନେଲେ ଗୁରୁତର ହେଉନାହାନ୍ତି ରୋଗୀ
ଭୁବନେଶ୍ୱର: ସମସ୍ତଙ୍କୁ ମାଗଣା ଟିକା ଘୋଷଣାର ଦିନକ ପରେ ଆସିଲା ଟିକାକରଣ ନେଇ କେନ୍ଦ୍ରର ପରିବର୍ତ୍ତିତ ଗାଇଡ୍ଲାଇନ୍ସ। ଯେଉଁଥିରେ ଟିକା ଅପଚୟ କଲେ ଯୋଗାଣ ପ୍ରଭାବିତ ହେବା ଏବଂ ଅନ୍ସାଇଟ୍ ରେଜିଷ୍ଟ୍ରେସନ୍ ଉପରେ ରହିଛି ଫୋକସ୍। ଏପଟେ ଜୁନ୍ ୨୧ରୁ ପରିବର୍ତ୍ତିତ ଗାଇଡ୍ଲାଇନସ ଅନୁସାରେ ଟିକାକରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହେଉଛି ଯୋଜନା। ତେଣେ ଡିଏମ୍ଇଟି କହିଛନ୍ତି ଡବଲ ଡୋଜ୍ ଟିକା ନେଲେ ଗୁରୁତର ହେଉ ନାହାଁନ୍ତି ରୋଗୀ।
ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ରାଜ୍ୟ ସରକାରଙ୍କ ପାଇଁ ଆଣିଛି ବଡ଼ ଆଶ୍ୱସ୍ତି। ଦୂର ହୋଇଛି ଟିକା ଟେନସନ୍। ଜୁନ ୨୧ ତାରିଖଠାରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କ ପାଇଁ ମୋଦି ସରକାର ମାଗଣାରେ ଟିକା ଯୋଗାଇଦେବେ। ସେଥିପାଇଁ ଜାରି ହୋଇଛି ପରିବର୍ତ୍ତିତ ଗାଇଡ୍ଲାଇନସ୍। ଏହା ଅନୁସାରେ ଭ୍ୟାକ୍ସିନ ଅପଚୟ କଲେ ଟିକା ଯୋଗାଣରେ ନକାରାତ୍ମକ ପ୍ରଭାବ ପଡିପାରେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯୁବବର୍ଗଙ୍କ ଲାଗି ପୂର୍ବରୁ କୋ-ଓ୍ୱିନ୍ ସାଇଟରେ ଅନଲାଇନ୍ ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ ଥିବା ବେଳେ ଏଣିକି ଅନ୍ସାଇଟ୍ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ ରହିବ। ସ୍ୱାସ୍ଥ୍ୟକର୍ମୀ ,ସମ୍ମୁଖ ଯୋଦ୍ଧା, ୪୫ ବର୍ଷରୁ ଅଧିକ ବୟସ୍କ, ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଅପେକ୍ଷାରତ ବ୍ୟକ୍ତିଙ୍କୁ ପ୍ରାଧ୍ୟାନ୍ୟ ଦିଆଯିବ।
ଅନ୍ୟପକ୍ଷରେ ୧୮ ବର୍ଷରୁ ଊର୍ଦ୍ଧ୍ୱ କାହାକୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ ସେ ନିର୍ଣ୍ଣୟ ରାଜ୍ୟ କରିବ। ସେହିପରି ରାଜ୍ୟର ଲୋକସଂଖ୍ୟା, ରୋଗୀ ଅନୁପାତ, ଟିକାକରଣ ଦେଖି ଟିକା ଆବଣ୍ଟନ କରାଯିବ। କେନ୍ଦ୍ର କେତେ ଟିକା ଯୋଗାଇବ, ଆଗୁଆ ରାଜ୍ୟମାନଙ୍କୁ ଅବଗତ କରିବ। ଏହାଦ୍ୱାରା ରାଜ୍ୟମାନଙ୍କୁ ଟିକାକରଣରେ ସୁବିଧା ହେବ। ତେବେ ନୂଆ ଗାଇଡ୍ଲାଇନସ ଅନୁସାରେ ୨୧ରୁ କେମିତି ହେବ ଟିକାକରଣ? ସେଥିପାଇଁ ପ୍ରସ୍ତୁତ ହେଉଛି ଯୋଜନା।
୧୮ରୁ ୪୪ ବର୍ଷ ଏବଂ ୪୫ ବର୍ଷରୁ ଅଧିକ ସମସ୍ତଙ୍କୁ ମିଶାଇ ରାଜ୍ୟରେ ପ୍ରାୟ ୩ କୋଟି ୯ ଲକ୍ଷ ଲୋକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଗତକାଲି ସୁଦ୍ଧା ଓଡ଼ିଶାରେ ସମୁଦାୟ ୮୩ ଲକ୍ଷ ୬୨ ହଜାର ଡୋଜ୍ ଟିକା ଦିଆଯାଇଛି। ତେବେ ଆଗକୁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍ ହେବ କେତେ ଟିକା କେନ୍ଦ୍ରରୁ ଆସିବ ଓ ଏହାର କିଭଳି ସୁବିତରଣ କରାଯିବ।
ସେପଟେ ଟିକାକରଣକୁ ନେଇ ଉତ୍ସାହପ୍ରଦ ଖବର ଆସିବାରେ ଲାଗିଛି। ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଟିକା ନେବା ଦ୍ୱାରା କରୋନା ରୋଗର ସିଭିୟରିଟି କମିବ। ପୂର୍ବରୁ ମଧ୍ୟ ଦିଲ୍ଲୀ ଏମ୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା, କୋଭିଡ୍ ଟିକାର ଦୁଇଟି ଡୋଜ୍ ନେଇ ପରବର୍ତ୍ତୀ ସମୟରେ କରୋନାରେ ସଂକ୍ରମିତ ହୋଇଥିବା କୌଣସି ରୋଗୀଙ୍କର ମୃତ୍ୟୁ ହୋଇନାହିଁ।
ଏପଟେ କେନ୍ଦ୍ର ସରକାର ସମସ୍ତ ଟିକା ମାଗଣାରେ ଯୋଗାଇବାକୁ ଘୋଷଣା କରିବା ପରେ ଟିକା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଳୋବାଲ୍ ଟେଣ୍ଡର୍ର ଆଉ ଆବଶ୍ୟକତା ପଡ଼ିବ ନାହିଁ। ସେହିପରି ଯୁବବର୍ଗଙ୍କ ଲାଗି ସିଧାସଳକ କଂପାନୀମାନଙ୍କଠାରୁ ରାଜ୍ୟ ସରକାରଙ୍କ ଟିକା କିଣିବା ପ୍ରକ୍ରିୟା ମଧ୍ୟ ପର୍ଯ୍ୟାୟ କ୍ରମେ ବନ୍ଦ ହେବ। ଏଥିପାଇଁ ପ୍ରାୟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରାଜ୍ୟ ସରକାର ଆକଳନ କରିଥିଲେ। ମୋଦିଙ୍କ ଘୋଷଣା ପରେ ସେହି ଆର୍ଥିକ ଚାପ ବି ରାଜ୍ୟ ସରକାରଙ୍କ ଉପରୁ ହଟିଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)