Advertisment

ଭୟଙ୍କର ହେଲାଣି କରୋନା: ସ୍ଥିତି ବିଗିଡ଼ିଲେ ସମ୍ଭାଳିପାରିବେ ତ ରାଜ୍ୟ ସରକାର?

ତେବେ କରୋନାର ଉଗ୍ରରୂପର ମୁକାବିଲା ଲାଗି କେତେ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର? ଓଡ଼ିଶାରେ ଯଦି ମହାରାଷ୍ଟ୍ର ଓ ଦିଲ୍ଲୀ ଭଳି ସ୍ଥିତି ସୃଷ୍ଟି ହୁଏ ତାର କିଭଳି ସାମନା କରାଯିବ?

author-image
Sarbeswar
ଭୟଙ୍କର ହେଲାଣି କରୋନା: ସ୍ଥିତି ବିଗିଡ଼ିଲେ ସମ୍ଭାଳିପାରିବେ ତ ରାଜ୍ୟ ସରକାର?

corona-odisha

  • ଓଡିଶାରେ ଜଟିଳ ହେଉଛି କରୋନା ସ୍ଥିତି
  • ମୁକାବିଲା ପାଇଁ କେତେ ପ୍ରସ୍ତୁତ ଅଛନ୍ତି ସରକାର?
  • କୋଭିଡ ପରିଚାଳନା ନେଇ ବିଜେପି ଉଠାଇଲା ପ୍ରଶ୍ନ
  • ପର୍ଯ୍ୟାପ୍ତ ବେଡ୍, ଆଇସିୟୁ ଓ ଭେଟିଲେଣ୍ଟର ଅଛି ବୋଲି କହିଲା ସ୍ୱାସ୍ଥ୍ୟ ବିଭାଗ
Advertisment

ଭୁବନେଶ୍ୱର: ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହ ବେଳକୁ ଓଡିଶାରେ ପିକରେ ରହିପାରେ କରୋନା। ଡିଏମ୍ଇଟିଙ୍କ ଏହି ଆକଳନ ପରେ ମେ ମାସରେ ବି କରୋନାର କୋପ ଜାରି ରହିବା ଆଶଙ୍କା କରାଯାଉଛି। ତେବେ କରୋନାର ଉଗ୍ରରୂପର ମୁକାବିଲା ଲାଗି କେତେ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର? ଓଡ଼ିଶାରେ ଯଦି ମହାରାଷ୍ଟ୍ର ଓ ଦିଲ୍ଲୀ ଭଳି ସ୍ଥିତି ସୃଷ୍ଟି ହୁଏ ତାର କିଭଳି ସାମନା କରାଯିବ? ତେବେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମେଡିସନ୍, ବେଡ୍, ଆଇସିୟୁ, ଅକ୍ସସିଜେନ୍ ଓ ଭେଣ୍ଟିଲେଟର୍ ରହିଛି ଓ ଯେ କୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ବୋଲି ଦୃଢୋକ୍ତି କରିଛି ସ୍ୱାସ୍ଥ୍ୟ ବିଭାଗ। ଏପଟେ କୋଭିଡ ପରିଚାଳନାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଜବାବ ରଖିଛି ବିଜେଡି।

ରାଜ୍ୟରେ ହୁ ହୁ ମାଡି ଚାଲିଛି କରୋନା। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ ହଜାର ୮୫୧ ନୂଆ ଆକ୍ରାନ୍ତ। ୫ ଜଣଙ୍କ ଜୀବନ ନେଇଛି ମହାମାରୀ। ୭ଟି ଜିଲ୍ଲା ଖୋର୍ଦ୍ଧା, ସୁନ୍ଦରଗଡ, ନୂଆପଡା, ସମ୍ବଲପୁର, କଳାହାଣ୍ଡି, କଟକ, ବରଗଡ଼ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। ମୋଟ ଆକ୍ଟିଭ୍ କେସର ୬୩ ପ୍ରତିଶତ ୭ ଜିଲ୍ଲାରେ ଅଛନ୍ତି। ଚଳିତ ମାସର ଶେଷ ସପ୍ତାହ କିମ୍ବା ମେ ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ କରୋନା ପିକରେ ରହିପାରେ ବୋଲି କହିଛନ୍ତି ଡିଏମ୍ଇଟି। ସେହିପରି ମେ ମାସରେ ବି ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।

Advertisment

ଏହି ସମୟରେ ରାଜ୍ୟରେ ଯଦି ମହାରାଷ୍ଟ୍ର, ଛତିଶଗଡ଼ ଓ ଦିଲ୍ଲୀ ଭଳି ସ୍ଥିତି ସୃଷ୍ଟି ହୁଏ ତାହାଲେ ତାର ମୁକାବିଲା ଲାଗି କେତେ ପ୍ରସ୍ତୁତ ରାଜ୍ୟ ସରକାର, ତାକୁ ନେଇ ଉଠିଛି ପ୍ରଶ୍ନ। ତେବେ ସ୍ୱାସ୍ଥ୍ୟ ବିଭାଗ ଏନେଇ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି କରିଛି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମେଡିସନ୍, ବେଡ୍, ଆଇସିୟୁ, ଅକ୍ସସିଜେନ୍, ଭେଣ୍ଟିଲେଟର୍ ମହଜୁଦ୍ ଅଛି। ଉଭୟ ସରକାରୀ ଓ ବେସରକାରୀ ହସପିଟାଲରରେ ୯୦୦୮ ସାଧାରଣ ବେଡ୍, ୨୨୦୮ ଆଇସିୟୁ ବେଡ୍ ଓ ୭୮୨ ଭେଣ୍ଟିଲେଟର ରହିଛି। ସେହିପରି ଦେଶବ୍ୟାପୀ ଅକ୍ସିଜେନର ନିଅଣ୍ଟିଆ ପରିମାଣକୁ ଦେଖି ଆଗୁଆ ପଦକ୍ଷେପ ନିଆଯାଇଥିବା କହିଛି ସ୍ୱାସ୍ଥ୍ୟ ବିଭାଗ।ସମ୍ଭାବ୍ୟ ସ୍ଥିତିର ମୁକାବିଲା ଲାଗି ଟେମ୍ପରାରୀ ମେଡିକାଲ ସେଣ୍ଟର ଓ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ କରି ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏଣେ ପୋଲିସ ଡିଜି ଅଭୟ ଆଜି ବେଶୀ ପ୍ରଭାବିତ ବଲାଙ୍ଗିର, ନୂଆପଡା, କଳାହାଣ୍ଡି ଜିଲ୍ଲାକୁ ଯାଇ କୋଭିଡ ନିୟମ କଡ଼ାକଡ଼ି ପାଳନ ହେଉଛି ନା ନାହିଁ ତାର ଅନୁଧ୍ୟାନ କରିଛନ୍ତି।

ଏପଟେ କୋଭିଡ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ରାଜ୍ୟରେ କେତେ ଅକ୍ସିଜେନ୍ ମହଜୂଦ ଅଛି, କେନ୍ଦ୍ର ଦେଇଥିବା ୫୬୭ ଭେଣ୍ଟିଲେଟରରୁ କେତେ ବିନିଯୋଗ ହୋଇଛି, ପ୍ରତି ଜିଲ୍ଲାକୁ ଦିଆଯାଇଥିବା ୧୦ଟି ଭେଣ୍ଟିଲେଟର୍ କେନ୍ଦ୍ରର ଉପଯୋଗ ହେଉଛି ନା ନାହିଁ, ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ପଚାରିଛି ବିଜେପି। ସେହିପରି ରାଜ୍ୟରେ ଟେଷ୍ଟିଂ ବଢାଇବା ପାଇଁ ଦଳ ଦାବି କରିଥିବା ବେଳେ ଏହାର ଉତ୍ତର ରଖିଛି ବିଜେଡି।

କରୋନାର ଦ୍ୱିତୀୟ ଲହର ହଠାତ୍ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏହାର ମୁକାବିଲା କରିବା କେତେ କଷ୍ଟକର, ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟରେ ତାର ଉଦାହରଣ ଦେଖିବାକୁ ମିଳିଛି। ତେଣୁ ସମ୍ଭାବ୍ୟ ସ୍ଥିତି ପାଇଁ ଓଡ଼ିଶା ସରକାରଙ୍କୁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ଝାରସୁଗୁଡାରୁ ଭାଗିରଥୀ ସାହୁ, ବଲା ମନରଂଜୋନ ଜୋଶୀ ଓ ଭୁବନେଶ୍ୱରରୁ ବଳରାମ ମହାନ୍ତି ଓ ହରିହର ଚାନ୍ଦଙ୍କ ରିପୋର୍ଟ।

Odisha Corona Breaking News
Advertisment
Advertisment