Advertisment

Irregularities at Chaudwar Jail: ଚର୍ଚ୍ଚାରେ ଚୌଦ୍ବାର କାରାଗାର; କୁଆଡ଼େ ଗଲା ମହିଳା କଏଦୀଙ୍କ ଜିମା ଗହଣା ?

ପୁଣି ଚର୍ଚ୍ଚାରେ ଚୌଦ୍ବାର କାରାଗାର। କୁଆଡ଼େ ଗଲା ମହିଳା କଏଦୀଙ୍କ ଜିମା ଗହଣା ? କେଉଁଠୁ ଟଙ୍କା ଆଣି ମହିଳା କଏଦୀଙ୍କୁ ଶୁଝିଲେ ଜେଲ୍ ଅଧିକ୍ଷକ ? ଚୌଦ୍ବାର କାରାଗାରରେ ଆଉ ଏକ ସାଂଘାତିକ ତ୍ରୁଟିକୁ ନେଇ ଚହଳ। ଅନିୟମିତତା ଓ ସୁରକ୍ଷା ଅବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ।

author-image
Pramod Behera
Irregularities at Chaudwar Jail

ଚର୍ଚ୍ଚାରେ ଚୌଦ୍ବାର କାରାଗାର Photograph: (OTV)

ରାଜ୍ୟର ସବୁଠୁ ବଡ଼ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ଚୌଦ୍ବାର ଜେଲରେ ଚାଲିଛି କ’ଣ ? କେବେ କଏଦୀ ଫେରାର୍ ତ କେବେ ମହିଳା କଏଦୀଙ୍କ ସୁନା ଗହଣା ଗାୟବ। ଯାହାର ପରିଣାମ ଭୋଗିଛନ୍ତି ସଂପୃକ୍ତ ଜେଲ୍ କର୍ତ୍ତୃପକ୍ଷ। ଅଥଚ ବ୍ୟବସ୍ଥାରେ ସୁଧାର ପରିବର୍ତ୍ତେ ଢିଲା ସୁରକ୍ଷା ଓ ଅବ୍ୟବସ୍ଥା ସଂପର୍କରେ ଖବର ଦେଖାଉଥିବା ମିଡ଼ିଆ ଉପରେ କ୍ଷୋଭ ଝାଡ଼ିଛନ୍ତି ବିଭାଗୀୟ ମୁଖ୍ୟ। 
ନିକଟରେ ସାମ୍ନାକୁ ଆସିଥିବା ଗୁରୁତର ତ୍ରୁଟି ସଂପର୍କରେ ସ୍ପଷ୍ଟୀକରଣ ବଦଳରେ ମିଡ଼ିଆକୁ ଜେଲ୍ ଡିଜି ଯେମିତି ଚିହିଁକିଲେ, ତାକୁ ନେଇ ଉଠିଛି ନାନା ପ୍ରଶ୍ନ।

Advertisment

ପୁଣି ଚର୍ଚ୍ଚାରେ ଚୌଦ୍ବାର ଜେଲ୍। ଏଥର କଏଦୀ ଚମ୍ପଟକୁ ନେଇ ନୁହଁ, ବରଂ ମହିଳା କଏଦୀଙ୍କ ସୁନା ଗହଣା ଗାୟବକୁ ନେଇ। ମାହାଙ୍ଗା ଅଞ୍ଚଳର ଇତିଶ୍ରୀ ମହାନ୍ତି। ୨୦୨୫, ସେପଟେମ୍ବର ୨୩। କୌଣସି ଏକ ମାମଲାରେ ତାଙ୍କୁ ଗିରଫ ପରେ ପଠାଇ ଦିଆଯାଇଥିଲା ଚୌଦ୍ବାର୍ ଜେଲ୍। ଜେଲର ସେଲ୍ ଭିତରେ ରଖିବା ଆଗରୁ ଜେଲ୍ ମାନୁଆଲ୍ ଅନୁଯାୟୀ, ସିସିଟିଭି ସାମ୍ନାରେ ଇତିଶ୍ରୀ ପିନ୍ଧିଥିବା ଗହଣା ଗାଣ୍ଠିକୁ ଜେଲ୍ କର୍ତ୍ତୃପକ୍ଷଙ୍କ ଜିମା ଦେଇଥିଲେ। 

ଏନେଇ ରେଜିଷ୍ଟ୍ରରରେ ମଧ୍ୟ ରେକର୍ଡ ରହିଛି। କିନ୍ତୁ ୩ ମାସର ଜେଲ୍ ରହଣୀ ପରେ ଜାମିନରୁ ମୁକୁଳିଥିଲେ ଇତିଶ୍ରୀ। ସେହି ସମୟରେ ନିୟମ ଅନୁଯାୟୀ ଜେଲ୍ କର୍ତ୍ତୃପକ୍ଷ ତାଙ୍କର ଜିମା ଅଳଙ୍କାରକୁ ଫେରସ୍ତ କରିବା କଥା। କିନ୍ତୁ ଫେରାଇବେ କ’ଣ, କେଉଁଠି ରହିଗଲା ସେହି ଜିମା ଗହଣା ଗାଣ୍ଠି, ଏଯାଏଁ ମିଳିନି ପତ୍ତା। ଏନେଇ ଚୌଦ୍ବାର ଥାନାର ଦ୍ବାରସ୍ଥ ହେବା ପରେ ଜେଲ୍ ଅଧିକ୍ଷକ ସୁଜିତ ରାଉଳ ସେହି ସୁନା ଗହଣା ବଦଳରେ ୧ ଲକ୍ଷ ୯୦ ହଜାର ନଗଦ ଟଙ୍କା ଦେଇ ମାମଲାର ରଫାଦଫା କରିଥିଲେ। 

Advertisment

ତେବେ କୁଆଡ଼େ ଗଲା ଇତିଶ୍ରୀଙ୍କ ସୁନା ଗହଣା ? ଇତିଶ୍ରୀଙ୍କୁ ଦିଆଯାଇଥିବା ଟଙ୍କା ଜେଲ୍ ଅଧୀକ୍ଷକ ନିଜ ପକେଟରୁ ଦେଲେ ନା ଜେଲ୍ ବିଭାଗ ଦେଲା ? କାହିଁକି ଟଙ୍କା ଗଣିବାକୁ ପଡ଼ିଲା ଅଧିକ୍ଷକଙ୍କୁ ? ରଫାଦଫା ପାଇଁ ଟଙ୍କା ଦିଆଗଲା ନା ଜେଲ୍ ମାନୁଆଲରେ ରହିଛି ଏଭଳି ନିୟମ ? ଇତିଶ୍ରୀଙ୍କ ଭଳି ଅନ୍ୟ କଏଦୀଙ୍କ ସହ ବି ଘଟିଛି କି ଏଭଳି ଘଟଣା ? ଏଭଳି ନାନା ପ୍ରଶ୍ନ ଭିତରେ ଟଙ୍କା କେଉଁ ଆକାଉଣ୍ଟରୁ ଯାଇଛି, ସେନେଇ ଜେଲ୍ ଡିଜି ତଦନ୍ତ ହେଲେ ଜଣାପଡ଼ିବ ବୋଲି କହିଛନ୍ତି। 

ଚୌଦ୍ବାର ଜେଲରେ ଚାଲିଛି କ’ଣ ? ଜେଲରୁ ଦୁଇ ଦୁଇ ଜଣ ଦୁର୍ଦ୍ଦାନ୍ତ ବିହାରୀ କଏଦୀ ଖସିଗଲେ। ବଡ଼କଷ୍ଟରେ ଜଣେ ଧରାପଡ଼ିଲା, ଏଯାଏଁ ଆଉ ଜଣଙ୍କ ପତ୍ତା ନାହିଁ। ଏହି ବିବାଦ ଭିତରେ ଚୌଦ୍ବାର ଜେଲ୍ ଅଧୀକ୍ଷକ ଏବଂ ଜେଲରଙ୍କ କଳି ହାଟରେ ପଡ଼ି ଦାଣ୍ଡରେ ଗଡ଼ିଛି। ରାଜ୍ୟର ସବୁଠୁ ଅଧିକ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଥିବା ଏହି କାରାଗାରେ ବିଭିନ୍ନ ସମୟରେ କଏଦୀ ଜୀବନ ହାରୁଥିବା ଅଭିଯୋଗ ବି ରହିଛି। 

ତଥାପି ବ୍ୟବସ୍ଥାରେ ଆସୁନି ସୁଧାର। ତେବେ ଏହି ତମାମ ଅବ୍ୟବସ୍ଥା ସଂପର୍କରେ ଜେଲ୍ ବିଭାଗର ମୁଖ୍ୟ ତଥା ଜେଲ୍ ଡିଜି ସୁଶାନ୍ତ ନାଥ ଆଜି ମିଡ଼ିଆ ଆଗରେ ଯେତିକି ଉତ୍ତର ରଖିଲେ, ତା’ଠୁ ଅଧିକ ପାଠ ପଢ଼ାଇଲେ ମିଡ଼ିଆକୁ। କହିଥିଲେ ଅନେକ ବିଭାଗର ଖବର ରହିଛି, କେବଳ ଜେଲ୍ ବିଭାଗ ପଛରେ କାହିଁକ ପଡ଼ିଛନ୍ତି ? ଜେଲ ବିଭାଗରେ ଏତେ ପ୍ରୋସିଡିଂ ହେଉଛି ଯେ ମେଡାଲ ଦେବାକୁ ଅଫିସର ନାହାଁନ୍ତି କହି ନିଜେ ଗୁମର ଖୋଲିଛନ୍ତି ଜେଲ୍ ଡିଜି। 

ଯଦି କୌଣସି ବିଭାଗରେ ଅବ୍ୟବସ୍ଥା କିମ୍ବା ଅନିୟମିତତା ହୁଏ, ତାକୁ ଲୋକଲୋଚନକୁ ଆଣିବା ଗଣମାଧ୍ୟମର ଦାୟିତ୍ବ। ଆଉ ସେ ସଂପର୍କରେ ସ୍ପଷ୍ଟୀକରଣ ରଖିବା ବିଭାଗୀୟ ମୁଖ୍ୟଙ୍କ କର୍ତ୍ତବ୍ୟ ହେବା ଉଚିତ। ଅଥଚ ଏସବୁକୁ ଗୁରୁତ୍ବ ନଦେଇ ମିଡ଼ିଆକୁ ଯେଭଳି ଅଙ୍ଗୁଳି ଉଠାଇଲେ, ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି। 

Odisha News Odisha Crime Controversy
Advertisment
Advertisment