/odishatv-khabar/media/media_files/2026/01/24/from-red-corridor-to-green-poison-2026-01-24-19-57-48.jpg)
ସ୍ୱାଭିମାନ ଅଞ୍ଚଳରେ ଚାଲିଛି ସବୁଜ ନିଶା ଚାଷ Photograph: (OTV)
କୋରାପୁଟ ଭଳି ମାଲକାନଗିରି ଜିଲ୍ଲାରେ ବି କାୟା ମେଲାଇ ଚାଲିଛି ଗଂଜେଇ ଚାଷ। ଦିନେ ଯେଉଁ ସ୍ବାଭିମାନ ଅଞ୍ଚଳରେ ଲାଲବାହିନୀ ନାଁରେ ଗଂଜେଇ ଚାଷ ଚାଲିଛି ବୋଲି କୁହାଯାଉଥିଲା, ଏବେ ସେଠି ମାଓବାଦୀଙ୍କ ପତନ ପରେ ବି ଗଂଜେଇ ମାଫିଆଙ୍କ ରାଜୁତି।
ଦୁର୍ଗମ ପାହାଡ଼ର ଛାତି ଉପରେ ଶହ ଶହ ହେକ୍ଟର ଜମିରେ ଚାଲିଛି ସବୁଜ ଜହରର ଉତ୍ପାଦନ। ନିଇତି ଗଞ୍ଜେଇ ଧରା ପଡୁଛି, ଚାଲାଣକାରୀ ବନ୍ଧା ହେଉଛନ୍ତି ହେଲେ ନିଶା ବୃକ୍ଷର ଚେର ଉପୁଡୁନି କାହିଁକି – ସ୍ୱାଭିମାନ ଅଞ୍ଚଳରୁ ଆସନ୍ତୁ ଜାଣିବା।
ଦୁର୍ଗମ ପାହାଡ଼ ଛାତି ଉପରେ ଛନ ଛନ ହୋଇ ଛିଡା ହୋଇଛି ସବୁଜ ଜହର। ଜାଗା ଏମିତି- ନା ପୋଲିସ ନା ଅବକାରୀ ବିଭାଗ, କାହାରି ପଡ଼ିବନି ନଜର। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳ, ଯେଉଁଠି ଦିନେ ଲାଲବାହିନୀଙ୍କ ରାଜୁତି ଚାଲୁଥିଲା, ତାହା ଏବେ ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ। ମାଓବାଦୀ ଯିବା ପରେ ସ୍ଥାନୀୟ ବାସିନ୍ଦାଙ୍କୁ ହାତ ବାରିସୀ କରି ସେମାନେ ମେଲାଇଛନ୍ତି ନିଶା ଚାଷର କାୟା, ଶହ ଶହ ହେକ୍ଟର ଜମିରେ ହସୁଛି ଗଂଜେଇ ଗଛ।
ସରକାର ଡାଳେ ଡାଳେ ଯାଇ ସ୍ୱତନ୍ତ୍ର ଡ୍ରାଇଭ୍ କରି ରାସ୍ତା ଘାଟରେ ସିନା ଚାଲାଣକାରୀଙ୍କୁ ଧରୁଛନ୍ତି, ହେଲେ ମାଫିଆ- ପତ୍ରେ ପତ୍ରେ ଯିବା ନ୍ୟାୟରେ ଦୁର୍ଗମ ଇଲାକାକୁ ବାଛିଛନ୍ତି। ଆଉ ଯେଉଁମାନେ ଏ ଚାଷର ସୂତ୍ରଧର- ସେମାନେ କହୁଛନ୍ତି ଜମି ବାଡ଼ି ତ ଗୁଣ୍ଠେ ନାହିଁ- ୟାକୁ ହିଁ ଭରସା, ସରକାର ଆମ ପ୍ରତି ଦୃଷ୍ଟିଦେଲେ-ଏ ଚାଷ ଛାଡ଼ିଦେବୁ।
କୋରାପୁଟର ଶିଳାବତୀ ଭଳି ମାଲକାନଗିରି ଗଂଜେଇ ବି ସାରା ଦେଶରେ ନିଶାଡ଼ିଙ୍କ ମନ ଜିଣିଛି। ଏଇଠୁ ଆମଦାନୀ ହେଉଥିବା ମାଲ୍ ର ଦିଲ୍ଲୀ ସମେତ ଛତିଶଗଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ବିହାର ଆଦି ରାଜ୍ୟରେ ବେଶ୍ ଚାହିଦା। କୋରାପୁଟ-ମାଲକାନଗିରି ସୀମାନ୍ତ ଇଲାକା ହେଉ ବା ସ୍ୱାଭିମାନ ଅଞ୍ଚଳ, ଏଠୁ ଚାଲାଣବେଳେ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ସିଜ୍ ହେଉଛି ସତ ହେଲେ ଚାଷର ମୂଳୋତ୍ପାଟନ ହୋଇ ପାରୁନି।
ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗର ସଦ୍ୟ ତଥ୍ୟ ଅନୁସାରେ-ନିକଟରେ ପାହାଡ଼ ଉପରେ ପ୍ରାୟ ୪୨୮ ଏକର ଜମିରେ ଗଞ୍ଜେଇ ଚାଷକୁ ସମୂଳେ ଧ୍ୱଂସ କରାଯାଇଛି ଓ ୭ ଲକ୍ଷ ୮୧ ହଜାରରୁ ଅଧିକ ଗଛ ପୋଡ଼ି ଦିଆଯାଇଛି। ସେଠିକା ଲୋକଙ୍କୁ ଏ ଚାଷରୁ ନିବୃତ ରହିବାକୁ ବି ସଚେତନ କରାଯାଉଥିବା କହିଛନ୍ତି ଅବକାରୀ ଅଧୀକ୍ଷକ ବିମ୍ବାଧର ପଣ୍ଡା।
ନିଇତି କେଉଁଠି ନା କେଉଁଠି ଧରା ହେଉଛି ଗଂଜେଇ, ଆଉ ବନ୍ଧା ହେଉଛନ୍ତି ଚାଲାଣକାରୀ। ସବୁଠୁ ବଡ଼ ଘଟଣାକ୍ରମେ ଗତବର୍ଷ ଅକ୍ଟୋବର ୨୯ରେ ୧୭ କୋଟିର ଗଂଜେଇ ସିଜ୍ କରି ଚମକାଇ ଦେଇଥିଲା ମାନକାନଗିରି ପୋଲିସ୍।
କାଲିମେଳା ଓ ଚିତ୍ରକୋଣ୍ଡା ଅଞ୍ଚଳରୁ ସଂଗୃହୀତ ୫୦ରୁ ଅଧିକ ବସ୍ତାରେ ଗଂଞ୍ଜେଇ ପ୍ୟାକ୍ କରାଯାଇ ହରିୟାଣା ନମ୍ବର ଥିବା ଏକ କଣ୍ଟେନରରେ ଚାଲାଣ ହେଉଥିବାବେଳେ ମାଡ଼ି ବସିଥିଲା। ଆଉ ତାର ଠିକ୍ ଦୁଇ ଦିନ ପରେ ଚିତ୍ରକୋଣ୍ଡା ଅଞ୍ଚଳରୁ ୮ କୋଟି ଟଙ୍କାର ତରଳ ଗଂଜେଇ ବି ଧରିଥିଲା ପୋଲିସ୍। ହେଲେ ଏତେ ସବୁ ଧରପଗଡ଼ ସତ୍ତ୍ୱେ ଗଂଜେଇ ଚାଷ ମାଲକାନଗିରିରୁ ମୂଳପୋଛ ନହେବା ପାଲଟିଛି ଚିନ୍ତାର ବିଷୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)