/odishatv-khabar/media/media_files/2026/02/06/odisha-courts-repeatedly-rargeted-2026-02-06-20-02-28.jpg)
ବନ୍ଦ ହେଉନି କୋର୍ଟକୁ ବମରେ ଉଡ଼ାଇବାର ମିଛ ଧମକ Photograph: (OTV)
ବନ୍ଦ ହେଉନି କୋର୍ଟକୁ ଉଡ଼ାଇ ଦେବାର ଧମକ। ଆକ୍ସନ ତ ଦୂରର କଥା, କିଏ ଓ କାହିଁକି ଧମକ ଦେଉଛି ସାମ୍ନାକୁ ଆସିପାରୁନି ତଥ୍ୟ। ୮ ଜାନୁୟାରୀରେ ରାଜ୍ୟର ତିନି ତିନିଟି ଜିଲ୍ଲାର କୋର୍ଟକୁ ଉଡ଼ାଇ ଦେବାର ଧମକପୂର୍ଣ୍ଣ ମେଲ୍ ଆସିଥିଲା। ଆଉ ଏବେ ଏହାର ମାସେ ନପୁରୁଣୁ ଆଜି ୫ଟି ଜିଲ୍ଲା କୋର୍ଟକୁ ଧମକପୂର୍ଣ୍ଣ ଇ-ମେଲକୁ ନେଇ ଖେଳିଯାଇଥିଲା ହଇଚଇ।
କଟକରୁ ଭୁବନେଶ୍ୱର, ଫୁଲବାଣୀରୁ ଯାଜପୁର, ପୁରୀରୁ ସମ୍ବଲପୁର। ସବୁ ସ୍ଥାନରେ ଦେଖିବାକୁ ମିଳିଥିଲା ହଲଚଲ୍। ଅବଶ୍ୟ ପରେ ଏହା ହୋକ୍ସ ଇ-ମେଲ୍ ବୋଲି ଜଣାପଡ଼ିଥିଲା ସତ, କିନ୍ତୁ ରାଜ୍ୟର କୋର୍ଟ ଗୁଡ଼ିକୁ ବାରମ୍ବାର ଧମକପୂର୍ଣ୍ଣ ଇ-ମେଲକୁ ନେଇ ବଢ଼ିଛି ଉଦବେଗ।
ତୁମ କୋର୍ଟରେ ଲଗାଯାଇଛି ୩ଟି RDX। ଯାହା ଖୁବଶୀଘ୍ର ବିସ୍ଫୋରଣ ହେବ। ମଧ୍ୟାହ୍ନ ଭୋଜନ ସମୟରେ ରିମୋର୍ଟ ଜରିଆରେ LTTE ସଦସ୍ୟମାନେ ବିସ୍ଫୋରଣ କରିବେ। ଯାଜପୁର ଜିଲ୍ଲା କୋର୍ଟକୁ ଓଡ଼ିଆରେ ଲେଖାଥିବା ଏମିତି ଧମକପୂର୍ଣ୍ଣ ଇ-ମେଲ୍ ଆସିଛି। କେବଳ ଯାଜପୁର କାହିଁକି, କଟକରୁ ଭୁବନେଶ୍ୱର, ପୁରୀରୁ ଫୁଲବାଣୀ, ସମ୍ବଲପୁରରୁ ବରଗଡ଼। ଭିନ୍ନ ଭିନ୍ନ ଭାବେ ଆସିଥିବା ଧମକପୂର୍ଣ୍ଣ ଇ-ମେଲକୁ ନେଇ ସବୁ ଜିଲ୍ଲା କୋର୍ଟରେ ହଇଚଇ।
ଖବର ପାଇ ସବୁ କୋର୍ଟରେ ପହଞ୍ଚିଥିଲେ ପୋଲିସ ଫୋର୍ସ। ସବୁଠି କୋର୍ଟ ପରିସରକୁ ଫାଙ୍କା କରାଯିବା ସହ ବମ୍ ସ୍କ୍ବାଡ୍ ସହାୟତାରେ ଚାଲିଥିଲା ଛାନଭିନ୍। ଆଣ୍ଟି ବମ୍ ସ୍କ୍ୱାଡ୍ ସନ୍ଧାନୀ କୁକୁର ଓ ମେଟାଲ୍ ଡିଟେକ୍ଟର୍ ସହାୟତାରେ ଜାରି ରହିଥିଲା ଖାନତଲାସୀ। କିନ୍ତୁ ନା କୌଣସି ସନ୍ଦିଗ୍ଧ ବସ୍ତୁ ମିଳିଥିଲା, ନା କୌଣସି ପ୍ରମାଣ। କିଛି ସମୟ ପରେ ସ୍ବାଭାବିକ ହୋଇଥିଲା କୋର୍ଟ କାର୍ଯ୍ୟ। ତେଣୁ ପୂର୍ବଥର ଭଳି ଏହା ବି ଏକ ହୋକ୍ସ ଇମେଲ୍ ବୋଲି କୁହାଯାଉଛି। ତଥାପି କୋର୍ଟକୁ ବାରମ୍ବାର ଏଭଳି ଧମକପୂର୍ଣ୍ଣ ଇ-ମେଲକୁ ନେଇ ବଢ଼ିଛି ଉଦବେଗ।
ଜାନୁୟାରୀ ୮ ତାରିଖ। ସେଦିନ ବି ଆସିଥିଲା ଏଭଳି ଧମକ। ସେଦିନ ୩ଟି ଜିଲ୍ଲା କୋର୍ଟକୁ ଆସିଥିଲା ଧମକପୂର୍ଣ୍ଣ ଇ-ମେଲ୍। ଏହାର ମାସେ ନପୁରୁଣୁ ଆଜି ପାଞ୍ଚ ପାଞ୍ଚଟି ଜିଲ୍ଲା କୋର୍ଟକୁ ଉଡ଼ାଇ ଦେବାର ଧମକ। ଜାନୁୟାରୀ ୮ରେ ପୋଲିସ୍ ଏଭଳି ଧମକପୂର୍ଣ୍ଣ ଇ-ମେଲକୁ ହୋକ୍ସ ମେଲ୍ ବୋଲି କହିଥିଲା। ତେବେ ସେ ଯାହା ବି ହେଉ, ଏଭଳି ଧମକପୂର୍ଣ୍ଣ ଇ-ମେଲ୍ ପଛରେ କିଏ ? କାହିଁକି ବାରମ୍ବାର କୋର୍ଟ ଗୁଡ଼ିକୁ ଟାର୍ଗେଟ୍ କରି ଉଡ଼ାଇଦେବାକୁ ଧମକ ଦିଆଯାଉଛି ?
ସେନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ ଏବଂ ସାଇବର ପୋଲିସ ତଦନ୍ତ ଜାରି ରଖିଛି। ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, ଡାର୍କୱେବରୁ ଏଭଳି ମେଲ୍ ଆସୁଛି। ଯାହାର ପୃଷ୍ଠଭୂମି ତଦନ୍ତ ପରିସର ଭୁକ୍ତ ରହିଛି। ଏହାବ୍ୟତୀତ କୋର୍ଟର ସୁରକ୍ଷା ଦିଗରେ କୌଣସି ସାଲିସ କରାଯିବ ନାହିଁ। କ୍ରାଇମବ୍ରାଞ୍ଚ ଡିଜିଙ୍କ ସହ ଆଲୋଚନା ପରେ ଅନେକ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି।
ମାସେ ନ ପୂରୁଣୁ କୋର୍ଟଗୁଡ଼ିକୁ ଦୁଇ ଦୁଇ ଥର ଧମକପୂର୍ଣ୍ଣ ଇ-ମେଲ୍। ସୌଭାଗ୍ୟକୁ କୌଣସି ଅଘଟଣ ଘଟିନି ସତ, କିନ୍ତୁ ଧମକ ଆସିବା କ୍ଷଣି କୋର୍ଟ କାର୍ଯ୍ୟ ପ୍ରଭାବିତ ହେଉଛି। ହେଲେ କେଉଁଠୁ ଆସୁଛି ଧମକ ? କିଏ ଓ କାହିଁକି ମେଲ୍ କରି ଧମକ ଦେଉଛି ? ତାହାର ସତ ସାମ୍ନାକୁ ଆସିନଥିବାରୁ ବଢ଼ିଛି ଉଦବେଗ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)