/odishatv-khabar/media/media_files/2026/01/03/government-medicines-burnt-2026-01-03-20-46-24.jpg)
କାମରେ ଆସୁନି ସରକାରୀ ଔଷଧ; ନିଆଁ ଲଗାଇ ପୋଡାଯାଉଛି Photograph: (OTV)
ସରକାର ଲୋକମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦେଉଛନ୍ତି। ସରକାରୀ ହସ୍ପିଟାଲକୁ ଆସୁଥିବା ସେହି ଔଷଧକୁ ବଣ୍ଟନ ନକରି ଏହାକୁ ଏକ ପଥର ଖାଦାନରେ ଲୁଚାଇ ନିଆଁ ଲଗାଇ ଜାଳିଦେବା ଦୃଶ୍ୟ ସାମ୍ନାକୁ ଆସିଛି। କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଦେଖାଯାଇଛି ଏପରି ଦୃଶ୍ୟ। ଯାହାକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ସରକାରୀ ଡାକ୍ତରଖାନାରେ ଲୋକମାନଙ୍କୁ ଆବଶ୍ୟକୀୟ ଔଷଧ ନ ଦେଇ ବାହାରୁ କଣିବା ପାଇଁ କୁହାଯାଉଥିବା ବେଳେ ଏଠି କିନ୍ତୁ ଲକ୍ଷାଧିକ ଟଙ୍କାର ଔଷଧ ନଷ୍ଟ କରାଯାଇଛି। ଯାହାକୁ ନେଇ ସାଧାରଣ ଗରିବ ଲୋକଙ୍କ ମଧ୍ୟ ଅସନ୍ତୋଷ ଦେଖାଦେଇଛି।
ଏହି ଔଷଧ ଗୁଡ଼ିକ ୨୦୨୩ ରୁ ୨୦୨୫ ମସିହାରୁ ଏକ୍ସପାରି ହୋଇଥିବା ଦେଖାଯାଇଛି। ଶାଳଗାଁ ପଂଚାୟତର ବମ୍ବୁରୀ ନିକଟସ୍ଥ ଏକ ପଥର ଖାଦାନରେ, କିଛି ଯୁବକ ଭୋଜିପାଇଁ ଯାଇଥିବା ସମୟରେ ଏହି ସବୁ ଔଷଧ ପଡିଥିବା ଦେଖିବାକୁ ପାଇଥିଲେ। ଏହି ଖାଦାନରେ ଔଷଧକୁ ଫୋପାଡ଼ି ନିଆଁ ଲଗାଇ ଦେବା ସମସ୍ତ ଆଶ୍ଚର୍ଯ୍ୟ କରିଛି। ଏଠାରୁ ମିଳିଥିବା ଔଷଧଗୁଡିକରେ ଲେଖାଅଛି ଏହି ଔଷଧ କେବଳ ହସ୍ପିଟାଲରେ ବ୍ୟବହୃତ ହୋଇପାରିବ। ଏହାକୁ କିନ୍ତୁ ରୋଗୀଙ୍କ କାମରେ ନ ଲଗାଇ ଏତେ ଦିନ ମେଡିକାଲ କର୍ତ୍ତୁପକ୍ଷ କାହିଁକି ରଖିଥିଲେ ତାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନ୍ଚାର୍ଜ ମଧୁସ୍ମିତା ନାୟକଙ୍କୁ ପଚାରିବାରୁ ଏଭଳି ଔଷକୁ ପୋଡିବା ପାଇଁ ନିୟମ ନାହିଁ, ଅବଧି ଶେଷ ଔଷଧକୁ ମୁଖ୍ୟ ଅଫିସକୁ ଫେରସ୍ତ କରାଯିବା ନିୟମ ରହିଥିବା ବେଳେ ଏଠାରେ କେଉଁ ମେଡିକାଲ ମେଡିସିନ ପକାଇଛି ତାହା ସ୍ପଷ୍ଟ ହୋଇନି ବୋଲି ସେ କହିଛନ୍ତି। ଏନେଇ ଟାଙ୍ଗୀର ଏକ ମେଡିକାଲ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ କଟକ ସିଡିଏମଓଙ୍କୁ ଅଧିକ ତଦନ୍ତ ପାଇଁ ଜଣାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)