/odishatv-khabar/media/post_attachments/uploadimage/library/16_9/16_9_0/painter_1625242646.jpg)
painter
ପୁରୀ: କରୋନା ପରଠାରୁ ସଙ୍କଟରେ ଓଡ଼ିଶାର ପଟ୍ଟ ଚିତ୍ର ଶିଳ୍ପୀ ବିପିନ ଦାସ । ପଟ୍ଟଚିତ୍ର ବିକ୍ରି ହେଉ ନ ଥିବାରୁ ଘରେ ଚୁଳି ଜଳୁନି । କେହି କଳାପ୍ରେମୀ ପଟ୍ଟଚିତ୍ର କିଣିଲେ ବିପିନଙ୍କ ଭଳି ପରିବାର ପେଟକୁ ଦାନା ଯୋଗାଡ଼ ସମ୍ଭବ ହୁଅନ୍ତା । ଗତବର୍ଷ କରୋନା ଲକ୍ଡାଉନ୍ ବେଳେ ଏକ ମୋବାଇଲ ଗ୍ରୁପ୍ରେ ଭାରତୀୟ ବନସେବା ଅଧିକାରୀ ଦୀପିକା ବାଜପେୟୀଙ୍କ ପାଖକୁ ଆସିଥିଲା ଏମିତି ଏକ ଫରଓ୍ୱାର୍ଡ ମେସେଜ୍ ।
ଆଉ ଏଇ ମେସେଜଟି ଆଜି ପୁରୀ ଚନ୍ଦନପୁର ଅଞ୍ଚଳର ୩୫ ଶିଳ୍ପୀ ପରିବାରର ବନ୍ଦ ହାତ ପାଇଁ କରିଦେଇଛି ଭାତର ବ୍ୟବସ୍ଥା । ବଲାଙ୍ଗିରରେ ଜନ୍ମିତ ଦୀପିକା ଏବେ କର୍ଣ୍ଣାଟକ କ୍ୟାଡର୍ର ଆଇଏଫ୍ଏସ୍ ଅଫିସର । ପ୍ରଥମେ ମେସେଜ୍ରେ ଥିବା ବିପିନ୍ଙ୍କ ନମ୍ବରରେ ଯୋଗାଯୋଗ କରି ତାଙ୍କଠୁ ସେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ପଟ୍ଟଚିତ୍ର କିଣିଲେ । ଆଉ ବିପିନ୍ଙ୍କଠୁ ପଟ୍ଟଚିତ୍ର ଶିଳ୍ପୀଙ୍କ ସମସ୍ୟା ସମ୍ପର୍କରେ ବୁଝି , ତାଙ୍କଠୁ ପଟ୍ଟଚିତ୍ରର କିଛି ଫଟୋ ସଂଗ୍ରହ କରି ନିଜ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରେ ବି ଛାଡ଼ିଦେଲେ । ବାସ୍ ଧୀରେ ଧୀରେ ପଟ୍ଟଚିତ୍ର ବିକ୍ରି ଆରମ୍ଭ ହୋଇଗଲା । ଯେତେବେଳେ ଚାହିଦା ବଢ଼ିଲା, ଏସବୁ ଶିଳ୍ପୀଙ୍କ ପାଇଁ ଦୀପିକା ବାଜପେୟୀ @PattachitraP ନାଁରେ ଏକ ସ୍ୱତନ୍ତ୍ର ଟ୍ୱିଟର ହ୍ୟାଣ୍ଡେଲ ବି ଖୋଲି ଦେଲେ । ତା ପରଠାରୁ କରୋନା ସତ୍ତ୍ୱେ ଚନ୍ଦନପୁର ଖାସ୍ପୋଷାକ ଅଞ୍ଚଳର ଏହି ପଟ୍ଟଚିତ୍ର ଶିଳ୍ପୀଙ୍କୁ ମିଳିଛି ରୋଜଗାରର ନୂଆ ରାହା ।
@PattachitraP ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ବିପିନଙ୍କ ସମେତ ୩୦ରୁ ୩୫ ପଟ୍ଟଚିତ୍ର ଶିଳ୍ପୀ ପରିବାର ସିଧାସଳଖ ଗ୍ରାହକଙ୍କ ସହ ଯୋଡ଼ି ହୋଇପାରୁଛନ୍ତି । ଫଳରେ ଦୀପିକାଙ୍କ ଦ୍ୱାରା ଖୋଲାଯାଇଥିବା ଏହି ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ଏବେ ସୁଦ୍ଧା ୭ରୁ ୮ ଲକ୍ଷ ଟଙ୍କା ମୂଲ୍ୟର ୭୦-୮୦ ପଟ୍ଟଚିତ୍ର ବିକ୍ରି ହୋଇଛି । ଏହାସହ ଆଉ ୭-୮ ଲକ୍ଷ ଟଙ୍କାର ପଟ୍ଟଚିତ୍ର କାମ ଅର୍ଡର ଆସିଛି । ଯାହାକୁ ନେଇ ଖାଲି ବିପିନ ନୁହନ୍ତି ପୂରା ଉତ୍ସାହିତ ପଟ୍ଟଶିଳ୍ପୀ କୂଳ ।
ତେବେ ଆଇଏଫ୍ଏସ୍ ଦୀପିକା କିନ୍ତୁ ଏଇଠି ଅଟକି ନାହାନ୍ତି । ପଟ୍ଟଚିତ୍ର ଶିଳ୍ପୀଙ୍କ ପାଇଁ ଏକ ଦୀର୍ଘମିଆଦୀ ସମାଧାନ ଲକ୍ଷ୍ୟରେ ଏକ ଅଣଲାଭକରୀ ଇ-କମର୍ସ ପ୍ଲାଟଫର୍ମ ଖୋଲିବା ନେଇ ସେ ଏବେ କାମ କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)