/odishatv-khabar/media/post_attachments/uploadimage/library/16_9/16_9_0/elep_1626687284.jpg)
elep
ଭୁବନେଶ୍ୱର : ହାତୀ ଓ ମଣିଷ ଲଢ଼େଇ ଚରମ ସୀମାରେ ପହଞ୍ଚିଛି। ଏହି ଲଢ଼େଇରେ କେତେବେଳେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀଙ୍କ ପ୍ରାଣ ଯାଉଛି। ଏପରିକି ଧନଜୀବନ ମଧ୍ୟ ନଷ୍ଟ୍ ହେଉଛି। ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକର। ଏହାର ସ୍ଥାୟୀ ପ୍ରତିକାର କରୁଛି ବନ ବିଭାଗ। ହାତୀମାନେ କେଉଁଠି ଅଛନ୍ତି, କେଉଁ ଆଡେ ଯାଉଛନ୍ତି, ସେମାନଙ୍କ ଜୀବନ ପ୍ରତି କିଛି ବିପଦ ଅଛି ନା ନାହିଁ ତାହା ଜାଣିବା ପାଇଁ ବନବିଭାଗ ଆପଣାଇଛି ନୂଆ ଉପାୟ। ଯାହା ମାଧ୍ୟମରେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ। ଏପରିକି ହେବାକୁ ଥିବା ଦୁର୍ଘଟଣାକୁ ରୋକାଯାଇପାରିବ ବୋଲି ଆଶା ବାନ୍ଧିଛନ୍ତି ରାଜ୍ୟ ସରକାର।
ହାତୀମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେବା ଲାଗି ଇନ୍ଫ୍ରାସୋନିକ ଶଦ୍ଦ ସୃଷ୍ଟି କରନ୍ତି। ଯାହା ମଣିଷ କାନକୁ ଶୁଭେ ନାହିଁ। ତେବେ ଏହାକୁ କିଭଳି ରେକର୍ଡ କରାଯାଇପାରିବ, ସେନେଇ ଉପକରଣ ତିଆରି କରିବା ପାଇଁ ବନବିଭାଗ ଭୁବନେଶ୍ୱର ଆଇଆଇଟିର ସହାୟତା ଲୋଡିଛି। ହାତୀଙ୍କର ଏହି ଶବ୍ଦକୁ ରେକର୍ଡ କରାଯାଇ ପାରିଲେ ହାତୀଙ୍କ ଗତିବିଧି, ଆଚରଣ ଓ ସେମାନଙ୍କ ଜୀବନ ପ୍ରତି ଥିବା ବିପଦ ସଂପର୍କରେ ସୂଚନା ମିଳିପାରିବ। ଏହାଦ୍ୱାରା ହାତୀ-ମଣିଷ ଲଢେଇ ରୋକିବା ସହଜ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।
କେରଳ ଓଡ଼ିଶାଠାରୁ ଆକାରରେ ଛୋଟ ରାଜ୍ୟ। ସେଠାରେ ଆମ ରାଜ୍ୟର ପ୍ରାୟ ଦେଢଗୁଣା ହାତୀ ଅଛନ୍ତି। ହେଲେ ସେଠାରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳେନାହିଁ। କେରଳରେ ହାତୀ କରିଡ଼ର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବାରୁ ସେମାନଙ୍କ ଗତିବିଧି ଅନୁଧ୍ୟାନ ସହଜ ହୁଏ। ମାତ୍ର ଭୌଗଳିକ ସ୍ଥିତି ଅନୁସାରେ ଆମ ରାଜ୍ୟ ଓଡ଼ିଶାରେ ହାତୀମାନେ ବିକ୍ଷିପ୍ତ ଭାବେ ରହିଥାଆନ୍ତି। ଫଳରେ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ସବୁବେଳେ ସମ୍ଭବ ହୋଇନଥାଏ।
ଅନ୍ୟପକ୍ଷରେ ହାତୀ ସୁରକ୍ଷା ପାଇଁ ରାଜ୍ୟ ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଦକ୍ଷିଣ ଓଡ଼ିଶାରେ ହେବ ହସ୍ତୀ ଅଭୟାରଣ୍ୟ। କନ୍ଧମାଳ ଓ ବ୍ରହ୍ମପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହି ଅଭୟାରଣ୍ୟ ହେବ। ଏଥିସହ ହାତୀ ସୁରକ୍ଷା ପାଇଁ ଟେକ୍ନୋଲୋଜିର ବ୍ୟବହାର ହେବ। ତା’ଛଡ଼ା ରାଜ୍ୟର ଜଙ୍ଗଲରେ ଦୁର୍ଦ୍ଦାନ୍ତ ଅବସ୍ଥାରେ ବୁଲୁଥିବା ୩ଟି ହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ସେମାନଙ୍କୁ ରେଡିଓ କଲାର ପିନ୍ଧାଯିବ ବୋଲି ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି।
ପରିସଂଖ୍ୟନକୁ ଦେଖିଲେ ଗତ ୨୦ ବର୍ଷରେ ଓଡ଼ିଶାରେ ହାତୀଙ୍କ ସଂଖ୍ୟା ସ୍ଥିର ରହିଛି। କିନ୍ତୁ ବର୍ଷକୁ ବର୍ଷ ବଢ଼ି ଚାଲିଛି ହାତୀ-ମଣିଷ ସଂଘର୍ଷ। ତେବେ ବନ ବିଭାଗ ଅପଣେଇଥିବା ବ୍ୟବସ୍ଥା ହାତୀ-ମଣିଷ ଲଢ଼େଇ ରୋକିବାରେ କେତେଦୂର ଫଳପ୍ରଦ ହେଉଛି, ତାକୁ ସମୟ କହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)