duplicat
ଭୁବନେଶ୍ୱର: ଯୁଆଡ଼େ ଦେଖିବ, ସିଆଡ଼େ ନକଲି ସାମଗ୍ରୀ। ବଜାରରେ ଭେଜାଲ ମାଲ୍ ହାଉଯାଉ ହେଉଛି। ଗଲା କିଛି ଦିନ ଧରି ରାଜ୍ୟରେ ଅପମିଶ୍ରିତ ଓ ନକଲି ସାମଗ୍ରୀ ଉପରେ ଲଗାତର ଚଢାଉ ପରେ ଟେନ୍ସନ୍ରେ ପଡ଼ିଯାଇଛନ୍ତି ଖାଉଟି। ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ଗଣପତି ନଗର ପ୍ରଥମ ଲାଇନରେ ଥିବା ଏକ ଗୋଦାମରୁ ୨୦୦ରୁ ଅଧିକ କାର୍ଟୁନର ନକଲି ସସ୍ ଜବତ ହୋଇଛି। ଟମାଟୋ ହେଉ କି ଚିଲି କିମ୍ବା ସୋୟା ଚକାଚକ୍ ପ୍ୟାକ୍ରେ ବଜାରକୁ ଛଡ଼ାଯାଉଥବା ଏସବୁ ମାଲ କିନ୍ତୁ ପୁରା ଡୁପ୍ଲିକେଟ୍। ଫ୍ୟାମିଲି ବ୍ରାଣ୍ଡ୍ରେ ବଜାରକୁ ଆସୁଥିବା ଏ ସାମଗ୍ରୀର କଞ୍ଚାମାଲ ଆଳୁ, ପଚାସଢ଼ା ପରିବା ଓ କଖାରୁ ବୋଲି ପୋଲିସ ଜାଣିବାକୁ ପାଇଛି। ସବୁଠାରୁ ବଡ଼ କଥା ହେଉଛି, ବର୍ଷ ବର୍ଷ ଧରି ଚାଲୁଥିବା ଏ କାରଖାନାର ଲାଇସେନ୍ସ ନାହିଁ କି ଖାଦ୍ୟ ନିରାପତ୍ତା ସାର୍ଟିଫିକେଟ୍ ବି ନାହିଁ।
ସେହିପରି ବ୍ରହ୍ମପୁର ବଡ଼ବଜାର ଲକ୍ଷ୍ମୀ ବିହାର ଅଞ୍ଚଳରେ ଥିବା ଏକ ପାଣି କାରଖାନାରେ ମଧ୍ୟ ନକଲି କାରବାର। ଏହି କାରଖାନାରୁ ବିପୁଳ ପରିମାଣର ନିକୃଷ୍ଟ ମାନର ପ୍ୟାକେଜ୍ ପାଣି ଜବତ କରିଛି ପୋଲିସ। ନାମୀ ଦାମୀ କମ୍ପାନୀର ସିଲ୍ ବ୍ୟବହାର କରି ଏଠି ପାଣି ପ୍ୟାକିଂ କରାଯାଉଥିଲା। ଏଠିବି ପ୍ରସ୍ତୁତକର୍ତ୍ତାଙ୍କ ନିକଟରେ ଆବଶ୍ୟକ ଲାଇସେନ୍ସ ନାହିଁ। ଦିନକ ପୂର୍ବରୁ ସହରରେ ନକଲି ମସଲା ଓ ଗୁଟଖା କାରଖାନା ଉପରେ ଚଢ଼ାଉ ପରେ ଆଜି ରେଡ୍କୁ ଆହୁରି ବ୍ୟାପକ କରାଯାଇଛି।
ଏନେଇ ବ୍ରହ୍ମପୁର ବଡ଼ବଜାର ଆଇଆଇସି ପ୍ରଶାନ୍ତ ଭୂପତି କହିଛନ୍ତି "ଆଗକୁ ବହୁତ ଟାର୍ଗେଟ ରହିଛି। ସେଗୁଡ଼ିକୁ ସିଲ୍ କରାଯିବ। ପ୍ରପର ଭ୍ୟାରିପିକେସନ ପାଇଁ ଅଥୋରିଟିଙ୍କୁ ଜଣାଇଛୁ।" ବେଆଇନ୍ ସାମଗ୍ରୀ ପ୍ରସ୍ତୁତିକୁ ପୂରା ବନ୍ଦ କରିବୁ ବୋଲି ପ୍ରଶାନ୍ତ ଭୂପତି କହିଛନ୍ତି।
ଏଇ କିଛି ଦିନ ତଳେ ଖୋଦ୍ ରାଜଧାନୀ ଉପକଣ୍ଠ ପାହାଳରୁ ଧରା ପଡ଼ିଥିଲା ଖାଦ୍ୟ ନାଁରେ ବିଷ ବେପାରର ବଡ଼ କାରସାଦି। ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା ଆଚାର ଓ ସସ୍ ଭଳି ଖାଦ୍ୟ ସାମଗ୍ରୀ। ଏହାପୂର୍ବରୁ ଏୟାରଫିଲ୍ଡ ଥାନା ଅଞ୍ଚଳରେ ବି ଠାବ ହୋଇଥିଲା ନକଲି ଘିଅର ବଡ଼ କାରଖାନା। ସେହିଭଳି କଟକରୁ ଏବେ ଦୈନିକ ଖୋଲିବାରେ ଲାଗିଛିି ନକଲି ମାଲର ଅସଲି ଭଣ୍ଡାର।
ଏପଟେ ଭେଜାଲ କାରାବର ନେଟ୍ଓ୍ୱର୍କ ପୂରା ରାଜ୍ୟକୁ ବ୍ୟାପିଥିବାରୁ ଚିନ୍ତାରେ ରାଜ୍ୟ ଶିଳ୍ପ ଓ ବ୍ୟବସାୟ ସଂଘ। ଏଣେ ସାଧାରଣ ଖାଉଟି ଅସଲି-ନକଲି ଜାଣିବା ମୁସ୍କିଲ ହୋଇଥିବାରୁ ଏସବୁ ସମଗ୍ରୀ ରୋଗ ସୃଷ୍ଟିର ମୂଳ କାରଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଅପମିଶ୍ରତ କାରବାର ରୋକିବା ପାଇଁ ଆଇନକୁ କଡ଼ାକଡ଼ି ଉପରେ ମତ ରଖିଛନ୍ତି ପୂର୍ବତନ ପୋଲିସ ଡିଜି।
ସ୍ୱାସ୍ଥ୍ୟ ସମସ୍ୟା ନେଇ ଡାକ୍ତର ବିଶ୍ୱଜିତ ମହାନ୍ତି କହିଛନ୍ତି ଯେ ଏହିସବୁ କାରଣରୁ ୫୦ ପ୍ରତିଶତ କର୍କଟ ରୋଗ ହେଉଛି। ଯାହା ପୂର୍ବରୁ ନଥିଲା। ଏଥିପାଇଁ ଏଇ ନକଲି ସାମଗ୍ରୀ ଦାୟୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ଅନ୍ୟପଟେ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ କହିଛନ୍ତି ଯେ ଯଦି ଲୋକମାନେ ନକଲି ଖାଦ୍ୟ ପାଉଛନ୍ତି ତେବେ ସେମାନେ ଥାନାରେ ମାମଲା କରିବା ଦ୍ୱାରା ଫଳରେ କଳାକାରବାରୀଙ୍କର ଭୟ ରହିବ ବୋଲି ସେ କହିଛନ୍ତି।
ଅଧିକ ଲାଭ ଆଶାରେ ଲୋକଙ୍କୁ ଖାଦ୍ୟ ନାଁରେ ଅଖାଦ୍ୟ ବିକି ପୂରା ବଜାରକୁ ବିଷାକ୍ତ କରୁଛନ୍ତି କିଛି ମୁନାଫାଖୋର ଅସାମାଜିକ ବ୍ୟକ୍ତି। ଫଳରେ ବଜାର ବ୍ୟବସ୍ଥା ରୁଗ୍ଣ ହେଉଥିବାରୁ ଏମାନଙ୍କ ଉପରେ କେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ, ତାକୁ ହିଁ ଅପେକ୍ଷା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/duplicat_1627366291.jpg)