/odishatv-khabar/media/post_attachments/uploadimage/library/16_9/16_9_0/old-man-1_1626690789.jpg)
old man -1
ବାଲେଶ୍ୱର/ସୋର : ପିଲାଟିଏ ଜନ୍ମ ହେଲେ ବାପା ମାଆ ଭାବିଥାନ୍ତି ବୁଢାକାଳେ ସେମାନଙ୍କୁ ସହାୟ ହେବ। ହେଲେ ବୃଦ୍ଧ କାଳେ ଯଦି ବାପାମାଆଙ୍କୁ ପିଲାମାନେ ହେୟ କରିବେ, ତାହେଲେ ତାଙ୍କ ପାଇଁ ଜରା ନିବାସ, ନହେଲେ ଅନାଥ ଆଶ୍ରମ ସାହା ଭରସା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ। ପୁଅର ମାଡ ଭୟରେ ଜଣେ ବୃଦ୍ଧ, ଘର ଛାଡି ଆସି ପହଞ୍ଚିଛନ୍ତି ବାଲେଶ୍ୱର ବସ୍ଷ୍ଟାଣ୍ଡରେ। ଆଉ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ତାଙ୍କୁ ଉଦ୍ଧାର କରି ଜରା ନିବାସରେ ଆଶ୍ରୟ ଦେଇଛନ୍ତି।
ଭଲ ଭାବେ କଥା କହିପାରୁନାହାଁନ୍ତି। ସମସ୍ତଙ୍କ ମୁହଁକୁ ଚାହିଁ ଆଖିରୁ ଲୁହ ଝରାଉଛନ୍ତି। ବୃଦ୍ଧ ଜଣଙ୍କ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋର ଥାନା ମୂଳକାଦା ଗାଁର ଶ୍ୟାମ ମଲ୍ଲିକ। ବୟସ ପ୍ରାୟ ୭୪ ବର୍ଷ । ପୁଅ ମାରଧର କରିବାରୁ ଭୟରେ ଘର ଛାଡି ଚାଲିଆସିଥିବା ସେ କହିଛନ୍ତି। ଯେଉଁ ପିଲାମାନଙ୍କୁ ନିଜେ ଭୋକଉପାସରେ ରହି ଖାଇବାକୁ ଦେଉଥିଲେ, ଏବେ ସେହି ପିଲା ବଡ ହୋଇଗଲା ପରେ ତାଙ୍କୁ ମାରଧର କରୁଛନ୍ତି। ବସ୍ ଯୋଗେ ଆସି ବାଲେଶ୍ୱର ବସ୍ଷ୍ଟାଣ୍ଡରେ ପହଞ୍ଚି ଆଖିରୁ ଲୁହ ଝରାଉଥିବା ବେଳେ ତାଙ୍କୁ ଜଣେ ହୋଟେଲ କର୍ମଚାରୀ ସହାୟତାର ହାତ ବଢାଇଥିଲେ। ଖାଇବାକୁ ଦେବା ସହ ତାଙ୍କ ଦୁଃଖ ପଚାରି ବୁଝିଥିଲେ। ହେଲେ ସେ ଯେଉଁ ଉତ୍ତର ଦେଇଥିଲେ, ସେଥିରେ ମର୍ମାହତ ହୋଇପଡିଥିଲେ ତାଙ୍କ କଥା ଶୁଣୁଥିବା ଲୋକେ। ଅଢେଇ ଗୁଣ୍ଠ ଜମି ପାଇଁ ପୁଅ ବୋହୂ ତାଙ୍କୁ ମାଡଗାଳି କରିବାରୁ ସେ ଘରଛାଡି ଚାଲିଆସିଛନ୍ତି।
ଶ୍ୟାମଙ୍କ ଗୋଟିଏ ଗୋଡ ରୋଗରେ ଆକ୍ରାନ୍ତ। ସେ ଭଲ ଭାବେ ଚାଲି ପାରନ୍ତିନି। ବାଡିର ଆଶ୍ରା ନେଇ ସେ ଚଲାବୁଲା କରନ୍ତି। ଶ୍ୟାମଙ୍କର ଘରେ ଦୁଇ ପୁଅ ଓ ପତ୍ନୀ ମଧ୍ୟ ଅଛନ୍ତି। ହେଲେ ତାଙ୍କ ପତ୍ନୀ ପୁଅବୋହୂଙ୍କ ଭୟରେ ଶ୍ୟାମଙ୍କ କଥାରେ ହଁ ଭରନ୍ତି ନାହିଁ ବୋଲି କହିଛନ୍ତି ବୃଦ୍ଧ । ଦୁଇ ପୁଅ ଟ୍ରଲରେ ସମୁଦ୍ରରୁ ମାଛ ମାରି ଜୀବିକା ନିର୍ବାହ କରନ୍ତି। ଏସବୁ ସତ୍ତ୍ୱେ ବୃଦ୍ଧ ଜଣଙ୍କ ଘର ଛାଡି ଚାଲି ଆସିବା ସମସ୍ତଙ୍କୁ ବ୍ୟଥିତ କରିଛି। ବୃଦ୍ଧ ଜଣଙ୍କୁ ଅମୃତଧାରା ବୃଦ୍ଧାଶ୍ରମରେ ଆଶ୍ରୟ ଦିଆଯାଇଛି। ଏପଟେ ପରିବାର ଲୋକେ ଅଭିଯୋଗକୁ ଖଣ୍ଡନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)