farmer
ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଖରମୁଣ୍ଡା ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଶୁଭ ରଣା (୬୫)। ମୃତଦେହ ପାଖରେ କୀଟନାଶ ଔଷଧ ବୋତଲ ପଡ଼ିଥିବାରୁ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ଚଳିତବର୍ଷ ଶୁଭ ନିଜର ଦୁଇ ଏକର ଜମି ଏବଂ ୩ ଏକର ଭାଗ ଜମିରେ ଧାନଚାଷ କରିଥିଲେ। ଏଥିପାଇଁ ସେ ବ୍ୟାଙ୍କରୁ ଓ ସମବାୟ ସମିତିରୁ ଋଣ ଆଣିଥିଲେ। ଚଳିତବର୍ଷ ମଧ୍ୟ ଗତ ଦୁଇ ବର୍ଷ ପରି ଫସଲ ନଷ୍ଟ ହୋଇଯାଇଥିଲା। ଫଳରେ ଋଣ ଶୁଝିବା ଚିନ୍ତାରେ ସେ ରହୁଥିଲେ। ଲଗାତାର ଫସଲ ଉଜୁଡୁ ଥିବାରୁ ଘର ଚଳାଇବା ପାଇଁ ମଧ୍ୟ ପାଖ ପଡ଼ୋଶୀଙ୍କ ପାଖରୁ ହାତ ଉଧାରୀ କରିଦେଇଥିଲେ। ଯାହାକୁ ନେଇ ସେ ମାନସିକ ଚିନ୍ତାରେ ରହୁଥିଲେ।
ଗତ ୪ ଦିନ ତଳେ ଶୁଭ ଘର ଛାଡ଼ି କୁଆଡ଼େ ଚାଲି ଯାଇଥିଲେ। ବିଭିନ୍ନ ସ୍ଥାନରେ ଖୋଜି ନିରାଶ ହେବା ପରେ ଅତାବିରା ଥାନାରେ ତାଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳେ ଗାଁ ପାଖ ଝୋର ଜଙ୍ଗଲରେ ତାଙ୍କ ମୃତଦେହ ପଡ଼ିଥବା ପରିବାର ଲୋକେ ଖବର ପାଇଥିଲେ। ଏହାପରେ ଶୁଭଙ୍କ ପରିବାର ଲୋକେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ମୃତଦେହକୁ ଉଦ୍ଧାର କରି ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଶୁଭଙ୍କ ଦୁଇଟି ପୁଅ ଅଛନ୍ତି। ସେମାନେ ଅଲଗା ରହି ଚାଷ କାର୍ଯ୍ୟ କରନ୍ତି। ସେ ପ୍ରାୟ ୨ରୁ ୩ ଲକ୍ଷ ଟଙ୍କା କରଜ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/farmer-1234_1626757134.jpg)