/odishatv-khabar/media/post_attachments/uploadimage/library/16_9/16_9_0/protest2_1626685049.jpg)
protest2
ଭୁବନେଶ୍ୱର : ଧାନ କିଣା ଆରମ୍ଭରୁ ଘୋର୍ ଅବ୍ୟବସ୍ଥା। ରାଜ୍ୟସ୍ତରୀୟ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଧାନ ସଂଗ୍ରହ ଆରମ୍ଭ ହୋଇଥିବା ଅଧିକାଂଶ ଜିଲ୍ଲାରେ ତେଜୁଛି ଚାଷୀ ଆନ୍ଦୋଳନ।
ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, କଳାହାଣ୍ଡିରେ ଧାନ ସଂଗ୍ରହ ପାଇଁ କରାଯାଇଥିବା ଟୋକନ୍ ବ୍ୟବସ୍ଥାକୁ ଜୋରାଦର୍ ବିରୋଧ । ସବୁଠି ତେଜୁଛି ଚାଷୀ ଆନ୍ଦୋଳନ । ଟ୍ରାକ୍ଟରରେ ଧାନ ବସ୍ତା ଲଦି ଶୋଭାଯାତ୍ରା କରି ସମ୍ୱଲପୁର ଜିଲ୍ଲାପାଳଙ୍କ ଅଫିସ୍ ପରିସରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ଚାଷୀ-ପୁଲିସ୍ ମୁହାଁମୁହିଁ ହୋଇଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆସନ୍ତାକାଲି ଜିଲ୍ଲାର ବିଧାୟକମାନଙ୍କ ଘର ଆଗରେ ଧାନ ଢାଳି ପ୍ରତିବାଦ କରିବେ ବୋଲି ଚାଷୀ ଚେତାବନୀ ବି ଦେଇଛନ୍ତି।
ବରଗଡ଼ ଅତାବିରା ତହସିଲ ଅଫିସ୍ରେ ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର ପାଇଁ ପ୍ରଶାସନ ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ଫେଲ୍ ହେବା ପରେ ଚାଷୀମାନେ ତହସିଲ ଅଫିସ୍ରେ ତାଲା ପକାଇ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ବି ଅନଲାଇନ୍ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରାଯାଇଛି। ଜିଲ୍ଲାର ଅନେକ ଚାଷୀ ଧାନ ଅମଳ କରିନଥିବାବେଲେ ସେମାନଙ୍କୁ ଟୋକନ୍ ମିଳିସାରିଛି। ଅନ୍ୟ ପଟେ କିଛି ଚାଷୀ ଧାନ ଅମଳ କରିସାରିଥିଲେ ବି ସେମାନଙ୍କୁ ଟୋକନ୍ ମିଳିନାହିଁ। କଳାହାଣ୍ଡି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ ଟୋକନ୍ ବ୍ୟବସ୍ଥା ସଂପର୍କରେ ଅନେକ ଚାଷୀ ଜାଣିନାହାନ୍ତି।
ସେପଟେ ଧାନ ସଂଗ୍ରହକୁ ନେଇ ଉପୁଜିଥିବା ସମସ୍ୟାକୁ ନେଇ ବିଧାନସଭାରେ ହଙ୍ଗାମା । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକମାନେ ପ୍ରଥମେ ନିଜ ନିଜ ସ୍ଥାନରେ ଠିଆ ହୋଇ ପ୍ରତିବାଦ କରିଥିଲେ । ପରେ ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ । ଏଥିଯୋଗୁଁ ବାଚସ୍ପତି ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ଅପରାହ୍ଣରେ ଗୃହରେ ମଣ୍ଡି ଅବ୍ୟବସ୍ଥା, କମ୍ ମୂଲ୍ୟରେ ଦଲାଲକୁ ଧାନ ବିକ୍ରି, ଜିଲ୍ଲା ବଦଳରେ ରାଜ୍ୟସ୍ତରରେ ଟୋକନ୍ ଦିଆଯିବା ନେଇ ସରକାରଙ୍କ ଉପରେ ବର୍ଷିଥିଲା କଂଗ୍ରେସ୍।
ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଥିଲେ, ଗତଥର ଟୋକନ୍ ଦେଇ ଧାନ ବିକ୍ରି କରିଥିଲେ ବି ଅନେକ ଚାଷୀ ଟଙ୍କା ପାଇନାହାଁନ୍ତି । ଗୃହ ବାହାରେ ବିଜେପି ମଧ୍ୟ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରିଛି।
ଏପଟେ ଟୋକନ୍ ଟେନ୍ସନରେ ଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ, ଧାନ ସଂଗ୍ରହ ହେଉଥିବା ଜିଲ୍ଲାର ବିଜେଡି ବିଧାୟକ ଓ ନେତାମାନଙ୍କୁ ଡାକି ଆଲୋଚନା କରିଥିଲେ।
ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଆଉ ଏହାକୁ ନେଇ ଚାଷୀ ଆନ୍ଦୋଳନ ତେଜୁଥିବାରୁ ଏବେ ଟୋକନ୍ ଟେନ୍ସନରେ ସରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)