/odishatv-khabar/media/post_attachments/uploadimage/library/16_9/16_9_0/u-1_1626692496.jpg)
u
ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫୋନି ଯିବାରେ ୧୦ ଦିନ ବିତିଗଲାଣି। ହେଲେ ଚାଷୀ କ୍ଷେତରୁ ଏଯାଏଁ କ୍ଷତ ଲିଭିନି। ପାନ, ନଡ଼ିଆ, କଦଳୀ ଭଳି ଅର୍ଥକରୀ ଫସଲ ହେଉ କି ଡ଼ାଳୁଅ ଧାନ, ଏସବୁକୁ ଯେମିତି ସମୂଳେ ଧ୍ୱଂସ କରିଦେଇଛି ବାତ୍ୟା ଫୋନି। କ୍ଷତିଗ୍ରସ୍ତ ଉପକୂଳ ଓଡ଼ିଶାରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିଲେ ବି ଭୀଷଣ କ୍ଷତିର ସମ୍ମୁଖୀନ ହୋଇଥିବା ଚାଷୀ ତା’ର ଅଣ୍ଟା କେବେ ସଳଖିବ, ତାହା ଏବେ ପ୍ରଶ୍ନ ଘେରରେ।
କେଉଁଠି ପୋଟଳ କିଆରିରେ ମାଟି ଚରିଛି, ତ ଆଉ କେଉଁଠି ଅମଳ ହେଉଛି ପଚା ବାଇଗଣ। କେଉଁଠି ଭେଣ୍ଡି ଗଛର ରଙ୍ଗ ବଦଳିଯାଇଛି ତ କେଉଁଠି ସମ୍ପୂର୍ଣ୍ଣ ବିବର୍ଣ୍ଣ ହୋଇ ପଡ଼ିଛି ଜହ୍ନି, କଲରା ଓ କାକୁଡ଼ି କ୍ଷେତ।
କେନ୍ଦ୍ରାପଡ଼ା ଜିଲ୍ଲା ଲୁଣା ନଦୀ ପଠାର ଦୃଶ୍ୟ ଯେ କହି ଦେଖିବ ଜାଣିପାରି ଯେ ସେଠାରେ କେମିତି ଫସଲକୁ ଉଜାଡ଼ି ଦେଇଛି ଫୋନି। ସେଠାକାର ନରହରି ଦାସ ନାମକ ଜଣେ କ୍ଷତିଗ୍ରସ୍ତ ଚାଷୀଙ୍କ କହିବା ଅନୁସାରେ, ସାରା ଜିଲ୍ଲା ଓ ଜିଲ୍ଲା ବାହାରକୁ ପରିବା ଯୋଗାଉଥିବା ଏ ଅଞ୍ଚଳର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ଏହି ପ୍ରଳଙ୍କରୀ ବାତ୍ୟା। ହଜାର ହଜାର ପାନ ଚାଷୀଙ୍କୁ ବି ବରବାଦ କରିଦେଇଛି।
ସେହିପରି ପରିବା ଚାଷର ଅନ୍ୟତମ ପେଣ୍ଠସ୍ଥଳ ପୁରୀ ଜିଲ୍ଲାର ବଳଙ୍ଗା ଅଞ୍ଚଳରେ ବି ସମାନ ସ୍ଥିତି। ସେଠିବି ଶହ ଶହ ପରିବା ଚାଷୀଙ୍କ ଅଣ୍ଟା ଦୋହଲାଇ ଦେଇଛି ଫୋନି। ସେଠାରୁ ଦୈନିକ ଟନ୍ ଟନ୍ ପରିବା ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ଏବେ, ଚାଷୀଙ୍କ ହାତ ଖାଲି। ସେହିଭଳି କଣାସରେ ବହୁ ଧାନ ଚାଷୀଙ୍କ ଆଶାକୁ ପାଣିରେ ମିଶାଇ ଦେଇଛି। ବାତ୍ୟା ପାଣିରେ ଲୋଟୁଥିବା ପାଚିଲା ଧାନ କ୍ଷେତକୁ ଦେଖି କୋହ ସମ୍ଭାଳି ପାରୁନି ଚାଷୀ।
ଏପଟେ ଯାଜପୁର ଜିଲ୍ଲାର ଧାନ ଚାଷୀଙ୍କୁ ବି ଭୀଷଣ କ୍ଷତି ପହଞ୍ଚିଛି। ଠିକ୍ ଅମଳ ପୂର୍ବରୁ ମୁହଁ ମାଡ଼ି ପଡ଼ିଛି ଏକର ଏକର ଖରାଦିନିଆ ଧାନ। ବାତ୍ୟା ପରଠୁ କ୍ଷେତରେ ପାଣି ଜମି ରହିଥିବାରୁ ଅମଳ ଆଶା ଛାଡ଼ି ଦେଇଛି ଚାଷୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)