/odishatv-khabar/media/post_attachments/uploadimage/library/16_9/16_9_0/t6-1_1626852065.jpg)
t6
ପୁରୀ: ପ୍ରଳୟଙ୍କରୀ ଫୋନି ବାତ୍ୟାକୁ ୨ ସପ୍ତାହ ପୂରିଲା । ହେଲେ ଫୋନିରେ ଶ୍ରୀହୀନ ହୋଇଯାଇଥିବା ଶ୍ରୀକ୍ଷେତ୍ରର ବହୁ ଇଲାକା ଆଜି ବି ଅନ୍ଧାରରେ। ପର୍ଯ୍ୟଟନ ସହରରେ ସମ୍ପୁର୍ଣ୍ଣ ସ୍ୱାଭାବିକ ହୋଇନି ବିଜୁଳି ଯୋଗାଣ ବ୍ୟବସ୍ଥା। ଫଳରେ ଗରମ ଆଉ ଗୁଳୁଗୁଳି ସହ ପାନୀୟ ଜଳ ସମସ୍ୟାରେ କଲବଲ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଏସବୁ ଭିତରେ ସମ୍ପୁର୍ଣ୍ଣ ପୁରୀ ସହରରେ ବିଜୁଳି ପୁର୍ନବାହାଲ ହେବାକୁ ଆସନ୍ତା ୨୫ ତାରିଖ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେସୁ କର୍ତ୍ତୃପକ୍ଷ ଡେଡ୍ଲାଇନ୍ ଦେଇଛନ୍ତି ।
ଏଣେ ସହରରେ ଉପୁଡ଼ିପଡ଼ିଥିବା ଗଛଲତା, ବିଦ୍ୟୁତ ଖୁଣ୍ଟ ସହ ଭାଙ୍ଗିଯାଇଥିବା ଘରଦ୍ୱାର ସଳଖିବାରେ ଲାଗିଲେଣି ଲୋକେ। ଧିରେ ଧିରେ ଚଳଚଞ୍ଚଳ ବି ହେଲାଣି ବଡ଼ଦାଣ୍ଡ। ହେଲେ ବିଜୁଳି ବେଦନାରୁ ଉପଷମ ପାଇପାରୁନାହାଁନ୍ତି ପୁରୀର ସବୁ ବାସିନ୍ଦା। ଫୋନି ପରଠୁ ଲୋକଙ୍କ ଘର ଭିତରେ ନୀରବି ଯାଇଛି ପଙ୍ଖା। ସକାଳରୁ ସଞ୍ଜ, ସଞ୍ଜରୁ ସକାଳ ଗୁଳୁଗୁଳିରୁ ସାମାନ୍ୟ ତ୍ରାହି ପାଇଁ ବିଞ୍ଛଣା ସାଜିଛି ସାହାରା। ଭୀଷଣ ଗରମରେ ଆଉଟୁପାଉଟୁ ହେଉଛନ୍ତି ପିଲାଠୁ ବୟସ୍କ। ତେବେ ପୁରୀ ସହରର କିଛି ଅଞ୍ଚଳରେ ବିଜୁଳି ଆସିଥିବାବେଳେ ତାଙ୍କ ଘରେ କେବେ ଲାଇଟ୍ ଜଳିବ ତାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି ଲୋକେ ।
ଗତ ୧୫ ତାରିଖରୁ ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିର ଅଞ୍ଚଳରେ ବିଦ୍ୟୁତ ସେବା ପ୍ରଦାନ କରାଯାଇଆସୁଛି । ଅଥଚ ବର୍ତ୍ତମାନ ସୁଦ୍ଧା ପୁରୀ ସହରର କୁମ୍ଭାରପଡ଼ା ସମେତ ବାସେଳି ସାହି, ହରଚଣ୍ଡି ସାହି, ମାର୍କଣ୍ଡେଶ୍ୱର ସାହି, ବାଲିସାହି, ଅବକାଶନଗର, ସୁଦର୍ଶନନଗର, ଗୁଣ୍ଡିଚା ବିହାର, ମାଟିଆପଡ଼ା ଆଦି ଅଞ୍ଚଳକୁ ବିଜୁଳିର ନାଁ ଗନ୍ଧ ନାହିଁ । ତେବେ ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ଭିତ୍ତିଭୂମିର ପୁନରୁଦ୍ଧାର କାମ ଚାଲିଥିବାବେଳେ ବଳକା ଅଞ୍ଚଳକୁ ବିଜୁଳି ଯୋଗାଣ ୨୫ ତାରିଖ ସୁଦ୍ଧା ହେବ ବୋଲି କହିଛନ୍ତି ସେସୁ ଅଧିକାରୀ । ବ୍ରହ୍ମଗିରି, କୃଷ୍ଣପ୍ରସାଦ, ସତ୍ୟବାଦୀ ଆଦି ଅଞ୍ଚଳରେ ଅଗ୍ରାଧିକାର ଭିତ୍ତିରେ ବିଦ୍ୟୁତ ସେବା ପ୍ରଦାନ ପାଇଁ ଉଦ୍ୟମ ଚାଲିଛି ବୋଲି ସେସୁ ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)