Advertisment

ED Cracks Down on Ganjam Mafia Syndicate: ଇଡି ଘାଣ୍ଟୁଛି ଗଞ୍ଜାମ୍ ମାଫିଆ ସିଣ୍ଡିକେଟ୍; ପଥର ଓ ମଦ କାରବାର ଯାଏଁ ଲମ୍ବିଛି ଚେର

ଇଡି ଘାଣ୍ଟୁଛି ଗଞ୍ଜାମ୍ ମାଫିଆ ସିଣ୍ଡିକେଟ୍। କଳାସାମ୍ରାଜ୍ୟ ଖୋଳତାଡ଼ରୁ ଆସିଲା ବଡ଼ ପ୍ରମାଣ। ପଥର ଓ ମଦ କାରବାର ଯାଏଁ ଲମ୍ବିଛି ସିଣ୍ଡିକେଟ୍ ଚେର। ଲିଜଧାରୀଙ୍କୁ ଡରେଇଧମକେଇ ରଖୁଥିଲା ସିଣ୍ଡିକେଟ୍।

author-image
Pramod Behera
ଅଦ୍ୟତନ ହୋଇଛି
ED Cracks Down on Ganjam Mafia Syndicate

ଇଡି ଘାଣ୍ଟୁଛି ଗଞ୍ଜାମ୍ ମାଫିଆ ସିଣ୍ଡିକେଟ୍ Photograph: (OTV)

ଇଡି ଘାଣ୍ଟୁଛି ଗଞ୍ଜାମ୍ ମାଫିଆ ସିଣ୍ଡିକେଟ୍। କଳାସାମ୍ରାଜ୍ୟ ଖୋଳତାଡ଼ରୁ ହାତରେ ଲାଗିଲା ବଡ଼ ପ୍ରମାଣ। ଖାଲି ବାଲି ନୁହେଁ, ପଥର ଓ ମଦ କାରବାର ଯାଏଁ ଲମ୍ବିଛି ସିଣ୍ଡିକେଟ୍ ଚେର୍। ମାଷ୍ଟରମାଇଣ୍ଡ ସାଜି ରାକେଟ୍ ଚଳାଉଥିଲା କୃପାସିନ୍ଧୁ ମୁଦୁଲି। ଲିଜଧାରୀଙ୍କୁ ଡରେଇଧମକେଇ ପକେଟକୁ ଆଣୁଥିଲେ ବାଲିଘାଟ ଆଉ ପଥର ଖଣି। 

Advertisment

ସେପଟେ ରେଡ୍ ବେଳେ ତଦନ୍ତକାରୀ ଟିମ୍ ପାଇଛି ୨ କୋଟି ୬୩ ଲକ୍ଷ ଟଙ୍କାର କ୍ୟାସ୍ । ଘଟଣାକୁ ନେଇ କାଦୁଅ ଫିଙ୍ଗା ରାଜନୀତି ତେଜିଥିବାବେଳେ ଆଗକୁ ଇଡି ସ୍କାନରରେ କିଏ, ତା ଉପରେ ନଜର।

ଦୁଇଦିନର ଘଣ୍ଟାଚକଟା ପରେ ଗଞ୍ଜାମ ମାଫିଆଙ୍କ କଳାସାମ୍ରାଜ୍ୟର ରହସ୍ୟ ଖୋଲିଛି ଇଡି। ଚାଞ୍ଚଲ୍ୟ ଖେଳାଇଦେଇଛି ବାଲିମାଫିଆଙ୍କ ବିରାଟ୍ ନେକ୍ସନ୍। ହୋସ୍ ଉଡ଼ାଇଦେଇଛି ମାଷ୍ଟରମାଇଣ୍ଡ କୃପାସିନ୍ଧୁ ମୁଦୁଲିର ସାଂଘାତିକ ଅପରାଧିକ ରେକର୍ଡ। ଖାନତଲାସ ଯେତେ ହେଉଛି, ମାଫିଆଙ୍କ ପେଡ଼ି ସେତେ ଫିଟୁଛି। ଇଡି ହାତରେ ଲାଗିଛି ସଂଗୀନ ପ୍ରମାଣ। 

Advertisment

ଖାଲି ବାଲି ନୁହେଁ, ଗଞ୍ଜାମର ପଥର ଖଣି ବି ଥିଲା ମାଫିଆଙ୍କ କବଜାରେ। କ୍ରସରଠୁ ମଦ କାରବାର ଯାଏଁ ଲମ୍ବିଥିଲା ଲିଙ୍କ୍। ମିଳିଭଗତରେ ଚାଲିଥିଲା ସବୁକିଛି। ଟେଣ୍ଡର୍ ଯିଏ ପାଉଛି ପାଉ । ବାଲିଘାଟ ହେଉ କି ପଥର ଖଣି । ସବୁ ଆସୁଥିଲା ସିଣ୍ଡିକେଟ୍ ପକେଟକୁ । ଭଲରେ ନ ମାନିଲେ ବାହୁବଳ ଦେଖାଇ ଗୋଟିଏ ପରେ ଗୋଟିଏ ଅକ୍ତିଆର୍ କରୁଥିଲା ବାହୁବଳି ଗ୍ୟାଙ୍ଗ୍। 

ବଡ଼କଥା ହେଲା ଅନୁମତିଠାରୁ ଅଧିକ ବାଲି ଓ କଳା ପଥର ଖନନ କରି ବେଧଢ଼କ ଚାଲିଥିଲା ଚାଲାଣ । ଓଡ଼ିଶାରୁ ଲୁଟି, ପଡ଼ିଶା ଆନ୍ଧ୍ରରେ ବିକୁଥିଲେ। ନକଲି ୱାଇ ଫର୍ମ ଜରିଆରେ ଲଘୁଖଣିଜ ବିକ୍ରି କରି ମାଲେମାଲ୍ ହେଉଥିଲେ ମାଫିଆ, ଆଉ କୋଟି କୋଟି ଟଙ୍କା ରାଜସ୍ବ ହରାଉଥିଲେ ସରକାର । ରେଡ୍ ବେଳେ ଘରେ ପଶି ଆଲମାରୀରୁ ୨ କୋଟି ୬୩ ଲକ୍ଷ ଟଙ୍କାର କ୍ୟାସ୍ କାଢ଼ିଛି ଇଡି। ତାଛଡ଼ା ଠାବ ହୋଇଛି ବିଳାସପୂର୍ଣ୍ଣ ଗାଡ଼ି ସାଙ୍ଗକୁ ଅମାପ ସମ୍ପତ୍ତି। 

ତେବେ ଗଞ୍ଜାମର ଏହି ମାଫିଆ ସିଣ୍ଡିକେଟ୍ ପଛରେ କିଏ ? ବର୍ଷ ବର୍ଷ ଧରି କାହା ପୃଷ୍ଠପୋଷକତାରେ ଚାଲିଥିଲା ବାଲି ଲୁଟ୍ ? କିଏ ସାଜିଥିଲା ମାଫିଆଙ୍କ ଗଡ୍ ଫାଦର୍ ? ଇଡି ରେଡ୍ କଲା, ହେଲେ କେମିତି ଜାଣିପାରୁନଥିଲା ସ୍ଥାନୀୟ ପୋଲିସ କି ପ୍ରଶାସନ ? କଳାକାରବାରରେ ଜଡ଼ିତ ମାଫିଆମାନେ ବିଜେଡି ନେତା ବୋଲି ଚର୍ଚ୍ଚା ଜୋର୍ ଧରିଛି। 

ଶେରଗଡ ବିଜେଡି ନେତା ହୃଷିକେଶ ପାଢୀଙ୍କ ଘରୁ ବାହାରିଛି ଆଲମିରା ଭର୍ତ୍ତି ନଗଦ ଟଙ୍କା। ବିଜେଡି ସରକାର ଅମଳରେ ବଳିଆନ ଗଞ୍ଜାମର ମାଫିଆମାନେ ବଡ଼ଧରଣର ଲଘୁଖଣିଜ ଚୋରା କାରାବାର ଚଳାଇ ଆସୁଥିଲେ ବୋଲି ବାରମ୍ବାର ଅଭିଯୋଗ ହେଉଥିଲା। ଯାହାକୁ ନେଇ ଜିଲ୍ଲାପାଳ ସମ୍ମିଳନୀରେ ଉଦବେଗ ପ୍ରକାଶ କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚୋରାଚାଲାଣକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଚେତାବନୀ ବି ଦେଇଥିଲେ। 

ଏପଟେ ଇଡିର ବାଲି ଖାନତଲାସିକୁ ନେଇ ତେଜିଛି ରାଜନୀତି। ଦୋଷ ଝାଡ଼ିଝୁଡ଼ି ହୋଇ ବିଜେଡି କହିଛି, ବର୍ଷେ ଦେଢ ବର୍ଷରେ ସକ୍ରିୟ ହୋଇଛନ୍ତି ବାଲିମାଫିଆ । ବ୍ୟାପକ ଖୋଳତାଡ଼ କଲେ ସତ ପଦାକୁ ଆସିବ । କଂଗ୍ରେସ ମଧ୍ୟ ମାଫିଆଙ୍କ ପର୍ଦ୍ଦାଫାସ ପାଇଁ ଦାବି କରିଥିବାବେଳେ ବିଜେପି କହିଛି, ବିଜେଡି ଅମଳରେ ମିଲିଭଗତରେ କଳାବେପାର ଚାଲିଥିଲା । ଏବେର ସରକାର କୌଣସି ମାଫିଆଙ୍କୁ ଛାଡ଼ିବେ ନାହିଁ। 

Liquor Stone Mining Mafia
Advertisment
Advertisment