/odishatv-khabar/media/post_attachments/uploadimage/library/16_9/16_9_0/10th-1_1625120284.jpg)
10th
ଭୁବନେଶ୍ୱର: କରୋନା ପାଇଁ ବିନା ପରୀକ୍ଷାରେ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମିଳିଥିବା ମାର୍କକୁ ନେଇ ଦୂର ହେଉନି ଅସନ୍ତୋଷ । ଗତକାଲି ଭଳି ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଧାରଣା, ଆନ୍ଦୋଳନକୁ ଓହ୍ଲାଇବା ସହ ନାରା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏପଟେ ସାମ୍ବାଦିକ ସମ୍ମିଳନୀ କରି ମୂଲ୍ୟାୟନ ପଦ୍ଧତି ଓ ମାର୍କିଂ ବ୍ୟବସ୍ଥା ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛି ବୋର୍ଡ ।
ମାଟ୍ରିକ୍ରେ ନିଜ ଦକ୍ଷତା ଅନୁସାରେ ଫଳ ମିଳିନଥିବା ଅଭିଯୋଗ କରି ଗତକାଲି ଭଳି ଆଜି ବି ତେଜିଛି ଆନ୍ଦୋଳନ, ଧାରଣା ଓ ଅସନ୍ତୋଷ । କେଉଁଠି ସ୍କୁଲ ତ ଆଉ କେଉଁଠି ଶିକ୍ଷାଧିକାରୀ, ତ ଆଉ କେଉଁଠି ବୋର୍ଡ କାର୍ଯ୍ୟାଳୟକୁ ଆସି ପ୍ରତିବାଦ ଜଣାଇଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ । ଆଶାନୁରୂପକ ମାର୍କ ମିଳିନଥିବାରୁ ଏହାର ତୀବ୍ର ବିରୋଧ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ।
ଏଠାରେ କେବଳ ଛାତ୍ରଛାତ୍ରୀ ଧାରଣାରେ ବସି ନାହାନ୍ତି, ବରଂ ସ୍କୁଲକୁ ଧସେଇ ପଶି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମନଇଛା ଶୁଣାଇଛନ୍ତି ଅଭିଭାବକ । ଏହିଭଳି ସମାନ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିରେ ମଧ୍ୟ ଘଟିଛି । ସେଠାରେ ମଧ୍ୟ ପିଲାଙ୍କୁ ତ୍ରୁଟିପୂର୍ଣ୍ଣ ମାର୍କ ମିଳିଥିବା ଅଭିଯୋଗ କରି ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ ।
ସେହିଭଳି ବାଲେଶ୍ୱର ସହରର ଥିବା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ତଥ୍ୟ ଓ ପ୍ରମାଣ ସହ ଫେରାଦ ହୋଇଛନ୍ତି ଉଭୟ ପିଲା ଓ ବାପା-ମାଆ । କଟକ ବୋର୍ଡ ଅଫିସ ସାମ୍ନାରେ ମଧ୍ୟ ଆଜି ବହୁ ଅଭିଭାବକ ଏକାଠି ହୋଇ ମାର୍କିଂ ବ୍ୟବସ୍ଥାକୁ ବିରୋଧ ସହ ସେମାନଙ୍କ ପିଲାଙ୍କୁ ଠିକ୍ ମାର୍କ ମିଳିନଥିବା ଏବଂ ବୋର୍ଡ ନେଇଥିବା ଅଫଲାଇନ୍ ପରୀକ୍ଷା ନିଷ୍ପତ୍ତିର ଦୃଢ଼ ବିରୋଧ କରିଛନ୍ତି ।
କରୋନା ପାଇଁ ବିନା ପରୀକ୍ଷାରେ ମାର୍କିଂ ବ୍ୟବସ୍ଥାକୁ ନେଇ ରାଜ୍ୟବ୍ୟାପୀ ପ୍ରତିବାଦର ସ୍ବର ଉଠିବା ପରେ ଆଜି ସ୍ପଷ୍ଟୀକରଣ ରଖିଛି ବୋର୍ଡ । ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି କହିଛନ୍ତି, ମାଟ୍ରିକ୍ ମୂଲ୍ୟାୟନ ପଦ୍ଧତି ନେଇ ସବୁ କିଛି ବୋର୍ଡ ୱେବସାଇଟରେ ପ୍ରକାଶ ପାଇଥିଲା । ମୂଲ୍ୟାୟନ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା ବି ହୋଇଥିଲା । ଅନ୍ୟ ରାଜ୍ୟର ମଡେଲ ଦେଖିବା ସହ ଶିକ୍ଷାବିତଙ୍କ ସହ ପରାମର୍ଶ ବି ହୋଇଥିଲା । ପିଲାଙ୍କ ମାର୍କକୁ ସ୍ୱତନ୍ତ୍ର କୋର କମିଟି ଦ୍ୱାରା ତର୍ଜମା କରାଯିବା ସହ ସଂପୃକ୍ତ ସ୍କୁଲର ବିଗତ ୪ ବର୍ଷର ପ୍ରଦର୍ଶନକୁ ବିଚାରକୁ ନେଇ ଗାଣିତିକ ଧାରାରେ ମୂଲ୍ୟାୟନ କରାଯାଇଛି । ମାର୍କିଂ ବେଳେ ବୋର୍ଡ କର୍ତ୍ତୃପକ୍ଷ CBSE ମୂଲ୍ୟାୟନ ପଦ୍ଧତିକୁ ଅନୁସରଣ କରିଛନ୍ତି ।
ସେପଟେ ନିର୍ଦ୍ଦିଷ୍ଟ କିଛି ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କୁ ଅଧିକ ମାର୍କ ପ୍ରଦାନ ନେଇ ଯେଉଁ ଅଭିଯୋଗ ହୋଇଛି, ସେଭଳି ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛି ବୋର୍ଡ । ଏପଟେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଜୁଲାଇରେ ଅଫଲାଇନ୍ରେ ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ କହିଛି । ସେମାନଙ୍କ ପରୀକ୍ଷା ଫଳ ଶୀଘ୍ର ପ୍ରକାଶ କରିବାକୁ ଚେଷ୍ଟା କରାଯିବ, ଯାହାଦ୍ୱାରା ପିଲାମାନଙ୍କ ଯୁକ୍ତ ୨ ନାମଲେଖାରେ କୌଣସି ସମସ୍ୟା ହେବନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)