/odishatv-khabar/media/media_files/2026/01/12/different-speed-limits-2026-01-12-20-47-36.jpg)
NHAI କହୁଛି ସ୍ପିଡ୍ ଯାଅ, ପ୍ରଶାସନ କହୁଛି ଧିରେ ଚଲାଅ Photograph: (OTV)
NHରେ ଆପଣଙ୍କ ଗାଡ଼ିର ବେଗ ରହିବ କେତେ ? ଘଣ୍ଟା ପ୍ରତି ୫୦ ନା ୬୦, ୭୦ରୁ ନା ୮୦ ? ରାସ୍ତାକଡ଼ ଫଳକ ଦେଖିଲେ ଆପଣ ଜାଣିଯିବେ। ଯଦି ଧାର୍ଯ୍ୟ ବେଗଠୁ ଅଧିକ ସ୍ପିଡରେ ଯାଆନ୍ତି, ତା’ହେଲେ ଆପଣଙ୍କୁ ଗଣିବାକୁ ପଡ଼େ ଜରିମାନା। କିନ୍ତୁ ଭୁବନେଶ୍ୱର-ପୁରୀ NHରେ ଡିଫରେଣ୍ଟ ଫଣ୍ଡା। ଏହି 316 ନମ୍ବର NHରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଧାର୍ଯ୍ୟ କରିଛନ୍ତି ଗୋଟିଏ ସ୍ପିଡ୍, ପୁରୀ ଜିଲ୍ଲା ପ୍ରଶାସନ ଧାର୍ଯ୍ୟ କରିଛି ଆଉ ଏକ ସ୍ପିଡ୍। ପରିଣାମସ୍ୱରୂପ, କେଉଁ ଗାଡ଼ି ଚାଳକଙ୍କୁ ଗଣିବାକୁ ପଡ଼ୁଛି ଜରିମାନା ତ ଆଉ କିଏ ଦ୍ବନ୍ଦ୍ବରେ ପଡ଼ି ହଇରାଣ। ହେଲେ କାହିଁକି ଓ କେମିତି ଉପୁଜିଛି ଏଭଳି ସ୍ଥିତି ଆସନ୍ତୁ ଜାଣିବା।
ଭୁବନେଶ୍ୱର-ପୁରୀ NHରେ ଜରିମାନା ପାଇଁ ବିଛାଯାଇଛି କି ମହାଜାଲ ? କାରଣ କେଉଁ ଗାଡ଼ି କେତେ ସ୍ପିଡରେ ଯିବ, ଦର୍ଶାଯାଇଛି ଭିନ୍ନ ଭିନ୍ନ ଭାବେ। ସୀମିତ ଦୂରତା ଭିତରେ NHAI ଧାର୍ଯ୍ୟ କରିଛନ୍ତି ଗୋଟିଏ ସ୍ପିଡ୍, ପୁରୀ ଜିଲ୍ଲା ପ୍ରଶାସନ ସୂଚିତ କରିଛି ଆଉ ଏକ ସ୍ପିଡ୍। ଜିଲ୍ଲା ପ୍ରଶାସନ କହୁଛି ଟିକିଏ ଧିରେ ଚଳାନ୍ତୁ, ଜାତୀୟ ରାଜପଥ କର୍ତୃପକ୍ଷ କହୁଛନ୍ତି ଟିକିଏ ସ୍ପିଡରେ ଯାଆନ୍ତୁ। ହେଲେ ଏଭଳି ସାଇନବୋର୍ଡ ଦେଖି ଅକଳରେ ପଡ଼ିଥିବା ଗାଡ଼ି ଚାଳକ କିନ୍ତୁ ଗଣୁଛନ୍ତି ଜରିମାନା।
ଭୁବନେସ୍ୱର-ପୁରୀ NH ମଝିରେ ପଡୁଛି ପିପିଲି ଟୋଲଗେଟ୍। ଟୋଲଗେଟ୍ ପାରି ହେବା ପରେ ଆମ ନଜରକୁ ଆସିଥିଲା NHAI ଏବଂ ପୁରୀ ଜିଲ୍ଲାପାଳଙ୍କ ଦ୍ବାରା ମରାଯାଇଥିବା ପାଖାପାଖି ୩ଟି ସାଇନବୋର୍ଡ। ପ୍ରଥମେ ନଜରକୁ ଆସିଥିଲା ଜିଲ୍ଲାପାଳଙ୍କ ସାଇନବୋର୍ଡ। ଯେଉଁଠି ଧାର୍ଯ୍ୟ ରହିଛି, ବାଇକ୍ ଏବଂ ଭାରୀଯାନ ତଥା ଟ୍ରକ୍ ପାଇଁ ଘଣ୍ଟାକୁ ୫୦ କିଲୋମିଟର ଏବଂ କାର୍ ପାଇଁ ୭୦ କିଲୋମିଟର ବେଗ। ଏହାର କିଛି ବାଟ ଗଲା ପରେ ନିଜ ସାଇନବୋର୍ଡରେ NHAI ଦର୍ଶାଇଛନ୍ତି, ବାଇକ୍ ଏବଂ ଟ୍ରକ୍ ସ୍ପିଡ୍ ଘଣ୍ଟାକୁ ୬୦ କିଲୋମିଟର ଏବଂ କାର୍ ପାଇଁ ୮୦ କିଲୋମିଟର ବେଗ।
ଏଭଳି ପରିସ୍ଥିତିରେ ସାଧାରଣ ଗାଡ଼ି ଚାଳକଙ୍କ ଅକଲ୍ ଗୁଡ଼ମ୍ ଅବସ୍ଥା। ଯଦି କେହି ଅମାନ୍ୟ କରେ ତା’ହେଲେ ମଝିରେ ଲାଗିଥିବା କ୍ୟାମେରା ଧରିଦେଉଛି ଏବଂ ଚାଲାଣ କଟୁଛି ସଂପୃକ୍ତ ଗାଡ଼ି ବିରୋଧରେ। ୫୦ କିଲୋମିଟର ଜାଗାରେ କାହା ଗାଡ଼ିର ବେଗ ୬୩ କିଲୋମିଟର ତ ଆଉ କାହାର ୬୮ କିଲୋମିଟର ଥିଲା ବୋଲି ତଥ୍ୟ କରୁଛି। ଏଭଳି ସ୍ଥିତି ଯୋଗୁଁ କାହାକୁ ଗଣିବାକୁ ପଡ଼ିଛି ୧୫ ହଜାର ଟଙ୍କା ତ ଆଉ କିଏ ଗାଡ଼ି ଚଲାଇବାକୁ ଭୟ ଲାଗୁଥିବା କହିଛନ୍ତି।
ସୂଚନା ଅନୁଯାୟୀ, ୨୦୨୧ରେ ରାଜ୍ୟ ପରିବହନ ବିଭାଗ ଏକ ବିଜ୍ଞପ୍ତି ଜାରି କରିବା ସହ ସହରାଞ୍ଚଳର ରାଜପଥ ଉପରେ ଯାନବାହନର ବେଗ ୫୦ କିଲୋମିଟର ରହିବ ବୋଲି ଦର୍ଶାଇଥିଲେ। କିନ୍ତୁ ସମନ୍ବୟ ଅଭାବରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଧାର୍ଯ୍ୟ କରିଥିବା ସ୍ପିଡ୍ ଲିମିଟ୍ ସହ ତାଳମେଳ ରହୁନାହିଁ। NHAI କର୍ତ୍ତୃପକ୍ଷ କହିଛନ୍ତି, ଜାତୀୟ ରାଜପଥରେ NHAI ଛଡ଼ା କେହି ଗାଡ଼ିର ବେଗ ସଂପର୍କିତ ସାଇନବୋର୍ଡ ଲଗାଇ ପାରିବେ ନାହିଁ।
ଯେଉଁ ବୋର୍ଡ ଲାଗିଛି ସେ ସଂପର୍କରେ ଆମେ ଅବଗତ ନାହୁଁ। ପୁରୀ ଜିଲ୍ଲା ପ୍ରଶାସନ ଓ STA ସହ ଏ ସଂପର୍କରେ ଆଲୋଚନା କରିବୁ। ଅପରପକ୍ଷେ ରାଜ୍ୟ ପରିବହନ ବିଭାଗ ଅତିରିକ୍ତ କମିଶନର କହିଛନ୍ତି, ଲୋକଙ୍କ ଭିତରେ ଦ୍ବନ୍ଦ୍ବ ଉପୁଜୁଥିବାରୁ ବୋର୍ଡ ବଦଳାଇବାକୁ NHAIକୁ ଚିଠି କରିଛୁ। ଖୁବଶୀଘ୍ର ପରିବର୍ତ୍ତନ କରାଯିବ।
କୁହାଯାଉଛି, ଦ୍ରୁତଗତି ମହାବିପତ୍ତି। ଧାର୍ଯ୍ୟ ସୀମାଠୁ ଅଧିକ ବେଗରେ ଗାଡ଼ି ଚଳାଇଲେ ଜରିମାନା ବି ଗଣିବାକୁ ପଡୁଛି। ହେଲେ ସ୍ଥାନୀୟ ପ୍ରଶାସନ ଓ NHAI କର୍ତ୍ତୃପକ୍ଷଙ୍କ ତାଳମେଳ ଅଭାବ, ସାଧାରଣ ଗାଡ଼ି ଚାଳକଙ୍କୁ ଅକଳରେ ପକାଉଛି। ତେଣୁ କେବେ STA ଏବଂ NHAI କର୍ତ୍ତୃପକ୍ଷ ଦ୍ୱନ୍ଦ୍ୱ ଦୂର କରୁଛନ୍ତି, ତାକୁ ଅପେକ୍ଷା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)