/odishatv-khabar/media/post_attachments/uploadimage/library/16_9/16_9_0/delta-plus-4_1624723129.jpg)
delta-plus
ଡେଲଟା ପ୍ଲସ୍ ଭାରିଏଣ୍ଟ ବିଶେଷ ଘାତକ ନୁହେଁ । ଯଦି ଘାତକ ହୋଇଥାନ୍ତା ତା ହେଲେ ଏହା ସାରା ଦେବଗଡ଼ ଜିଲ୍ଲାରେ ଏହା ବ୍ୟାପି ସାରନ୍ତାଣି । ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି। ଦେବଗଡ଼ ଜିଲ୍ଲାର ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବାରୁ, ଡେଲଟା ପ୍ଲସକୁ ନେଇ ଏତେ ଭୟଭୀତ ହେବାର ନାହିଁ। ଦେବଗଡ଼ରେ ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ୍ ଭାରିଏଣ୍ଟ ଚିହ୍ନଟ ପରେ ଚିନ୍ତାରେ ଥିବା ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଛି ଆଇଏଲ୍ଏସ୍ ନିର୍ଦ୍ଦେଶକଙ୍କ ଏ ପ୍ରତିକ୍ରିୟା।
ଏପ୍ରିଲ୍ ମାସର ମାମଲା ସାଂଘାତିକ ହୋଇଥିଲେ ଏତେବେଳକୁ ଦେବଗଡ଼ରେ ବି ସଂକ୍ରମଣ ଦ୍ରୁତ ବଢ଼ନ୍ତାଣି। ହେଲେ ଦେବଗଡ଼ରେ ବି ମେ ମାସରୁ ନିମ୍ନଗାମୀ ଦୈନିକ ସଂକ୍ରମଣର ଟ୍ରେଣ୍ଡ। ଦୁଇ ଦିନ ଲଗାତାର ୪ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ ଏଭଳି ସ୍ଥିତିରେ ଏତେ ଭୟଭୀତ ହେବାର କାରଣ ନାହିଁ ବୋଲି ସେ କହିଛନ୍ତି।
ଆଇଏଲ୍ଏସ୍ ନିର୍ଦ୍ଦେଶକଙ୍କ କହିବା କଥା କୋଭିଡ୍ ୧୯ର ଭାରିଏଣ୍ଟ ଜାଣିବା ଲାଗି ରାଜ୍ୟରୁ ୧୧ଶହ ନମୁନା ସମେତ ୪ଟି ରାଜ୍ୟରୁ ୩୮ଶହ ନମୁନା ସଂଗ୍ରହ କରି ଆଇଏଲ୍ଏସ୍ର ସିକ୍ୟୁଏନ୍ସିଂ କରାଯାଇଥିଲା। ଯେଉଁଥିରୁ ମାତ୍ର ଗୋଟିଏ ଡେଲ୍ଟା ପ୍ଲସ୍ ଚିହ୍ନଟ ହୋଇଛି। ସଂପୃକ୍ତ ରୋଗୀ ସୁସ୍ଥ ବି ହୋଇ ସାରିଛନ୍ତି। ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ତେବେ ଡେଲ୍ଟା ପ୍ଲସ୍ରେ ଭାରିଏଣ୍ଟରେ ଚିହ୍ନଟ ବ୍ୟକ୍ତି କାହା କାହା ସାଙ୍ଗରେ ମିଶିଛନ୍ତି, ଯେଉଁମାନଙ୍କ ସହ ମିଶିଛନ୍ତି ସେମାନେ ଟିକା ନେଇଛନ୍ତି କି ନାହିଁ ବର୍ତ୍ତମାନ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା କିଭଳି ଅଛି, ଏ ସବୁର ଯାଞ୍ଚ ପାଇଁ ଏପିଡୋମିଲୋଜିର ଏକ ଟିମ୍ ଦେବଗଡ଼ ଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଏପଟେ ୨୨ ତାରିଖ ପରେ ଗତକାଲି ରାଜ୍ୟରେ ଦିନକ ପାଇଁ ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଥିଲା ବେଳେ ଆଜି ପୁଣି ଉପରମୁହାଁ ଧରିଛି। ଦିନକରେ ୩୫୫୪ ଆକ୍ରାନ୍ତ ହେବା ସହ ମୃତ୍ୟୁ ସଂଖ୍ୟା ବି ପୁଣି ୪୭ ଛୁଇଁଛି। ସେହିପରି ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍ ବି ପୁଣି ୫ ପ୍ରତିଶତ ଉପରକୁ ଯାଇଛି। ସବୁଠୁ ଚିନ୍ତା ବଢ଼ାଇଛି ଖୋର୍ଦ୍ଧା ଓ କଟକ ଜିଲ୍ଲାର ସଂକ୍ରମଣ।
ଗତ ୨୪ ଘଣ୍ଟାରୁ ଖୋର୍ଦ୍ଧାରେ ୬୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ କଟକରୁ ଚିହ୍ନଟ ହୋଇଛନ୍ତି ୫୦୧ ଜଣ। ତେବେ ସ୍ବାସ୍ଥ୍ୟ ବିଭାଗର କହିବା କଥା ରାଜ୍ୟର ଯେଉଁ ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି। ସେଠି ସର୍ଭେଲାନ୍ସଠୁ ନେଇ ଟିକାକରଣ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ହେଲେ ବିଶେଷଜ୍ଞଙ୍କ କହିବା କଥା, କୋଭିଡ୍ ନିୟମ ନମାନିଲେ ସ୍ଥିତି ସ୍ୱାଭାବିକ ହେବାରେ ବିଳମ୍ବ ହେବ।
ଆଇଏଲ୍ଏସ୍ ନିର୍ଦ୍ଦେଶକଙ୍କ ଆଶ୍ୱସ୍ତବାଣୀ ସତ୍ତ୍ୱେ ଦେଶରେ ଏପର୍ଯ୍ୟନ୍ତ ୩ ଜଣଙ୍କ ଜୀବନ ନେଇଥିବା କୋଭିଡ୍ ୧୯ର ଚିନ୍ତାଜନକ ପ୍ରଜାତି ଡେଲ୍ଟା ପ୍ଲସ୍ ଓଡିଶାରୁ ଠାବ ହେବା ଏବଂ ଏବେ ପୁଣି ସାମାନ୍ୟ ଉପରମୁହାଁ ହୋଇଥିବା ଦୈନିକ ସଂକ୍ରମଣ ଛନକା ସୃଷ୍ଟି କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)