/odishatv-khabar/media/post_attachments/uploadimage/library/16_9/16_9_0/hyder-5_1626945442.jpg)
hyder
ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ତେଲାଙ୍ଗାନାରୁ ଗିରଫ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କମିଶନରେଟ ପୋଲିସ ହାଇଦରକୁ ଓଡ଼ିଶା ଆଣିବା ପରେ ତାକୁ କୋର୍ଟରେ ହାଜର କରଯାଇଛି। ଏହାସହ ହାଇଦରକୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଥିଲା। ତେବେ ହାଇଦରକୁ ୭ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। କଟକ ସିଟି JMFC କୋର୍ଟ ଏହି ଅନୁମତି ଦେଇଛନ୍ତି। ଶନିବାରଠାରୁ ହାଇଦରକୁ ରିମାଣ୍ଡରେ ନେବ କଟକ ମଙ୍ଗଳାବାଗ ପୋଲିସ। ଶୁକ୍ରବାର ହାଇଦରକୁ ଚୌଦ୍ୱାର ଜେଲ୍ ପଠାଯାଇଛି। ଶନିବାର ସକାଳ ୭ଟାରୁ ୨୩ ତାରିଖ ସକାଳ ୭ ପର୍ଯ୍ୟନ୍ତ ରିମାଣ୍ଡରେ ଯିବ ହାଇଦର।
ପୋଲିସକୁ ଚକ୍ମା ଦେଇ ଏପ୍ରିଲ ୧୦ ତାରିଖରେ କଟକ ଏସ୍ସିବି ମେଡିକାଲରୁ ଖସି ପଳାଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେଖ୍ ହାଇଦର। ୧୨୦ ଘଣ୍ଟାର ଅପରେସନ ପରେ ଶେଷରେ ଗୁରୁବାର ଧରାପଡ଼ିଥିଲା ହାଇଦର। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ପୋଲିସ ତାକୁ ଗିରଫ କରିଥିଲା। ଏନେଇ ତେଲେଙ୍ଗାନା ପୋଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।
ତେବେ ହାଇଦର କିପରି ଡାକ୍ତରଖାନାରୁ ଫେରାର ହେଲା ? ଫେରାର ପଛରେ କାହା ହାତ ଥିଲା ? ଏନେଇ ଶୁକ୍ରବାର ତଥ୍ୟ ରଖିଛନ୍ତି କମିଶନରେଟ ପୋଲିସ। ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ, ଏସ୍ସିବି ମେଡିକାଲ୍ରୁ ଏକ ଗାଡ଼ିରେ ଫେରାର ହୋଇଥିଲା ହାଇଦର୍। କଟକରୁ ବାହାରି ଆନ୍ଧ୍ର ଦେଇ ତେଲେଙ୍ଗାନାକୁ ପଲାଇଥିଲା। ଏସ୍ସିବିରୁ ଚମ୍ପଟ୍ ମାରିବାର ୩ ଘଣ୍ଟା ପରେ କମିଶନରେଟ୍ ପୋଲିସ୍କୁ ଖବର ଦିଆଯାଇଥିଲା। ଯାହା ହାଇଦରକୁ ଧରିବାରେ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।
ହାଇଦ୍ରାବାଦ୍ରେ ହାଇଦରର ପୁଅ ରହୁଥିବାରୁ ଏ ଦିଗରେ ସନ୍ଦେହ ବଢ଼ିଥିଲା। ଏହାପରେ ବାଦାମବାଡ଼ି, ଚାଉଳିଆଗଞ୍ଜ ଥାନା ଆଇଆଇସି ତେଲେଙ୍ଗାନାରେ ତଦନ୍ତ କରିଥିଲେ। ମଟର୍ ସାଇକେଲ୍ରେ ତେଲେଙ୍ଗାନାରେ ହାଇଦର ଚଳପ୍ରଚଳ କରୁଥିବା ଖବର ମିଳିଥିଲା। ସାଇବର୍ ଟିମ୍ର ସହାୟତରେ ହାଇଦରର ସଠିକ୍ ଠିକଣା ଜଣାପଡ଼ିଥିଲା। ପରେ ହାଇଦ୍ରାବାଦ୍ ପୋଲିସ୍ ସହାୟତରେ ହାଇଦରକୁ ଟ୍ରାପ୍ କରାଯାଇଥିଲା।
ଏହାପରେ ବାଦାମବାଡ଼ି ଥାନା IIC କହିଛନ୍ତି ଯେ, ସିପି, ଡିସିପିଙ୍କ ନିର୍ଦ୍ଦେଶରେ ୨ଟି ଟିମ୍ ତେଲେଙ୍ଗାନା ଯାଇଥିଲା। ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ପୋଲିସ ବାଇକରେ ବୁଲିଥିଲା। ଅନ୍ୟପଟେ ଟେକ୍ନିକାଲ ଟିମ୍ ପରାମର୍ଶ ଦେଉଥିଲା। ନିଜକୁ ଲୁଚେଇବା ପାଇଁ ହାଇଦର ପ୍ରାୟ ଏକୁଟିଆ ବୁଲୁଥିଲା ବୋଲି ପୋଲିସ କହିଛି। ଗୁରୁବାର ସଂଧ୍ୟା ବେଳେ ବାଇକରେ ଯିବାବେଳେ ତାକୁ ଗିରଫ କରାଯାଇଥିଲା।
ହାଇଦର ଗିରଫ ହେବା ପରେ ୮ ଜଣଙ୍କୁ ଉଠାଇଛି କମିଶନରେଟ୍ ପୋଲିସ୍। ହାଇଦର ଫେରାର ଘଟଣା ରେ ଏମାନଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଏହି ୮ ଜଣଙ୍କ ମଧ୍ୟରେ ୩ ଜଣ ଯୁବତୀ ବି ରହିଥିବା ଜଣାପଡ଼ିଛି । ଏହି ୮ ଜଣଙ୍କୁ ପଚରାଉଚରା କରାଯାଉଛି। ସୂଚନା ଅନୁସାରେ, ହାଇଦର ସହ ଏମାନେ ନିୟମିତ ଯୋଗାଯୋଗରେ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)