/odishatv-khabar/media/post_attachments/uploadimage/library/16_9/16_9_0/cricket-stadiam_1626254186.jpg)
corona
- ଓଡ଼ିଶାରେ କରୋନାର ପୁଣି ଭୟଙ୍କର ରୂପ
- ୨୪ ଘଣ୍ଟାରେ ୪୬୧ ନୂଆ ପଜିଟିଭ୍, ଦୈନିକ ସଂକ୍ରମଣ ୫ଶହ ମୁହାଁ ହେଲାଣି
- ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ବେକାବୁ ସଂକ୍ରମଣ ରୋକିବାକୁ ତତ୍ପରତା
- ଛତିଶଗଡ଼ରୁ ଆସୁଥିବା ସବୁ ଲୋକଙ୍କ ଟେଷ୍ଟିଂ ଓ ଟ୍ରେସିଂ ଉପରେ ଗୁରୁତ୍ୱ
- ରାୟପୁରରେ ପ୍ରଦର୍ଶନୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସୁପରସ୍ପ୍ରେଡର ଆଶଙ୍କା
- ଷ୍ଟାଡିୟମ ସୁପରସ୍ପ୍ରେଡର ଶଙ୍କାକୁ ଏଡ଼ାଇଲେନି ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ କରୋନାର ପୁଣି ଭୟଙ୍କର ରୂପ। ୨୪ ଘଣ୍ଟାରେ ୪୬୧ ନୂଆ ପଜିଟିଭ୍ ଚିହ୍ନଟ ପରେ ଏବେ ଦୈନିକ ସଂକ୍ରମଣ ୫ଶହ ମୁହାଁ ହେଲାଣି। ଏଣେ ଛତିଶଗଡ଼ ସୀମାନ୍ତ ଜିଲ୍ଲାମାନଙ୍କରେ ବେକାବୁ ସଂକ୍ରମଣ ରୋକିବାକୁ ଆହୁରି ତତ୍ପର ହୋଇଛନ୍ତି ସ୍ଥାନୀୟ ପ୍ରଶାସନ। ଛତିଶଗଡ଼ରୁ ଆସୁଥିବା ସବୁ ଲୋକଙ୍କ ଟେଷ୍ଟିଂ ଓ ଟ୍ରେସିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ତେବେ ଗତ ମାସରେ ରାୟପୁରରେ ଖେଳାଯାଇଥିବା ପ୍ରଦର୍ଶନୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ହିଁ ସୁପରସ୍ପ୍ରେଡର ବୋଲି ହେଉଥିବା ଶଙ୍କାକୁ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ବି ଅସ୍ୱୀକାର ବି କରୁନାହାନ୍ତି।
କାଳ ହେଲା କି ଖେଳ ?
ସୁପର ସ୍ପ୍ରେଡର ସାଜିନି ତ କ୍ରିକେଟ୍ ମ୍ୟାଚ୍ ?
ଏଇ ଖଚାଖଚ୍ ଷ୍ଟଡିୟମରୁ ବ୍ୟାପିଛି କି ସଂକ୍ରମଣ ?
ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼ ଓ ଝାରସୁଗୁଡ଼ା ଭଳି ଛତିଶଗଡ଼ ସୀମାନ୍ତ ଜିଲ୍ଲା ମାନଙ୍କରେ ହୁ ହୁ କୋଭିଡ୍ ସଂକ୍ରମଣ ପଛରେ କୁଆଡ଼େ ଏକ କ୍ରିକେଟ୍ ମ୍ୟାଚ୍ ଦାୟୀ ବୋଲି ଆଶଙ୍କା କରାଯାଉଛି। କାରଣ ସଡ଼କ ସୁରକ୍ଷା ସଚେତନତା ଉଦ୍ଦେଶ୍ୟରେ ମାର୍ଚ୍ଚ ୧୩ରେ ରାୟପୁରର ସହିଦ ବୀର ନାରାୟଣ ସିଂ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡଙ୍କ ଖେଳ ଦେଖିବାକୁ ଗ୍ୟାଲେରିରେ ଦେହ ଲଗା ଲଗି ହୋଇ ବସିଥିଲେ ହଜାର ହଜାର ଦର୍ଶକ। କାହା ମୁହଁରେ ମାସ୍କ ବି ନଥିଲା। ମାଗଣା ଟିକେଟ୍ ଯୋଗୁଁ ଓଡ଼ିଶାରୁ ବି ଶହ ଶହ ଦର୍ଶକ ଯାଇଥିଲେ। ତେବେ ସେ ମ୍ୟାଚ୍ ଖେଳିଥିବା କ୍ରିକେଟର ସଚିନ ତେନ୍ଦୁଲକର, ୟୁସୁଫ୍ ପଠାନ୍ ଓ ଇରଫାନ୍ ପଠାନଙ୍କ ଭଳି ଖେଳାଳି ବି କରୋନା ଆକ୍ରାନ୍ତ ହେବା ପରେ ଏବେ ସେଇଠୁ ହିଁ ସଂକ୍ରମଣ ବ୍ୟାପିଥିବା ସ୍ପଷ୍ଟ ଶଙ୍କା କରୁଛନ୍ତି ନୂଆପଡ଼ାର ଦର୍ଶକ।
ତାସହ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ବି ଏଭଳି ଶଙ୍କାକୁ ଗ୍ରହଣ କରି କହିଛନ୍ତି-ନୂଆପଡ଼ା ଓ କଳାହାଣ୍ଡି ସ୍ଥିତି ଉପରେ ଏବେ କଡ଼ା ନଜର ରଖାଯାଇଛି। ଛତିଶଗଡ଼ରୁ ଆସୁଥିବା ସବୁ ଲୋକଙ୍କ ଟେଷ୍ଟିଂ ପାଇଁ କୁହାଯାଇଛି। ପଡ଼ୋଶୀ ଛତିଶଗଡ଼ରେ କରୋନାର ଭୟାନକ ରୂପ ଦେଖି ଓଡ଼ିଶା ସୀମାରେ କଡ଼ା ସତର୍କତା ଅବଲମ୍ବନ କରାଯାଇଛି। ବରଗଡ଼ ଲହୁରାଚଟିର ଚିତ୍ର ଦେଖିଲେ କେତେ ସତର୍କ ରହୁଛି ପ୍ରଶାସନ ତାହା ଆପଣ ଜାଣିପାରିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍ ନିୟମ କଡ଼ାକଡ଼଼ି ପାଳନ ପାଇଁ ପରାମର୍ଶ ବି ଦିଆଯାଉଛି। ଜାତୀୟ ରାଜପଥରେ ଲୋକଙ୍କୁ ଅଟକାଇ ଥର୍ମାଲ ସ୍କ୍ରିନିଂ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ହେଉଛି।
ଏପଟେ ଝାରସୁଗୁଡ଼ା ଜିଲ୍ଲାରେ ସବୁ ସାପ୍ତାହିକ ହାଟ ଆସନ୍ତା ୩ ସପ୍ତାହ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆଉ ଦୃତ ସଂକ୍ରମଣରେ ବ୍ରେକ୍ ଦେବାକୁ କଟକଣାକୁ ଆହୁରି କଡ଼ା କରିଛି ମାଲକାନଗିରି ପ୍ରଶାସନ। ମାସ୍କ ପିନ୍ଧିନଥିବା ଲୋକଙ୍କୁ ୫ ଶହରୁ ୧ ହଜାର ଟଙ୍କା ଯାଏଁ ଜୋରିମାନା ସହ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଅଧିକ ଭିଡ଼ ହେଲେ ସିଲ୍ କରିବାକୁ ଚେତାବନୀ ଦେଇଛି। ଗ୍ରାହକ ମାସ୍କ ନପିନ୍ଧି ଆସିଲେ ଦୋକାନୀଙ୍କଠୁ ଫାଇନ୍ ଆଦାୟ ହେବ ବୋଲି କୁହଯାଇଛି। ତାସହ ଜିଲ୍ଲାରେ ନାଚ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା ଓ ଯାନିଯାତ୍ରା ସଂପୂର୍ଣ୍ଣ ବାରଣ କରାଯାଇଛି।
ଏଣେ ରାଜ୍ୟରେ ପୁଣି କରୋନା ଲମ୍ବା ଡିଆଁ ମାରିଛି। ଦୈନିକ ସଂକ୍ରମଣ ୫ ଶହ ମୁହାଁ ହୋଇଛି। ୨୪ ଘଣ୍ଟାରେ ୪୬୧ ପଜିଟିଭ୍ ବାହାରିଛନ୍ତି। ନୂଆପଡ଼ାରୁ ସର୍ବାଧତ୍କ ୮୬, ଖୋର୍ଦ୍ଧାରୁ ୬୯, ସୁନ୍ଦରଗଡ଼ରୁ ୬୨, କଳାହାଣ୍ଡିରୁ ୩୬ ଓ ବରଗଡ଼ରୁ ୩୨ ଚିହ୍ନଟ ହୋଇଛନ୍ତି। ଛତିଶଗଡ଼ ସଂକ୍ରମଣ ଜଗିବାକୁ ସେଠୁ ଆସୁଥିବା ଲୋକଙ୍କ ଟ୍ରେସିଂ ଓ ଟେଷ୍ଟିଂ କଡ଼ାକଡ଼ି କରିବାକୁ ସୀମାନ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)