/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error058_1625493226.jpg)
vlcsnap-error058
ମାଲକାନଗିରି: ଆତଙ୍କରେ ଆତଙ୍କର ସୌଦାଗର । ମହାମାରୀ ପଞ୍ଝାରେ ମାଓବାଦୀ । ଲାଲ୍ଗଡ଼ରେ ଲାଲ୍ସେନାର ଜୀବନ ନେଉଛି କରୋନା । ପୂର୍ବରୁୁ ଉଭୟ ଛତିଶଗଡ଼ ଓ ତେଲେଙ୍ଗାନା ପୋଲିସ କହୁଥିଲେ ହେଲେ ଏବେ ଆଉ ଲୁଚେଇ ନପାରି ଖୋଦ୍ ମାଓବାଦୀ ବି ମାନିଲେଣି ଏ ସତ । ଛତିଶଗଡ଼ ଦନ୍ତେଓ୍ୱାଡ଼ା ପୋଲିସ୍ର ସୂଚନା ଅନୁଯାୟୀ କେବଳ ଦଣ୍ଡକାରଣ୍ୟ ଡିଭିଜନ୍ରେ ୭ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହେବା ବିଷୟ ସ୍ୱୀକାର କରିଛନ୍ତି ମାଓବାଦୀ । ମୃତକଙ୍କ ଭିତରେ ଅଛନ୍ତି ହରିଭୂଷଣ ଓ ଶୋଭରାୟଙ୍କ ଭଳି ବଡ଼ ମାଓନେତା ।
ଜଙ୍ଗଲ ମହଲରେ କରୋନାରେ ଆକ୍ରାନ୍ତ ହୋଇ ହରିଭୂଷଣ ଓ ବୁଦ୍ରିକାଙ୍କ ମୃତ୍ୟୁ ପରେ ସଂଗଠନକୁ ଉଭୟଙ୍କ ଅବଦାନ ବର୍ଣ୍ଣନା କରି ଗତକାଲି ମାଓବାଦୀ ଜାରି ଏକ ପ୍ରେସ୍ ରିଲିଜ୍ ଜାରି କରିଥିଲେ । କେବଳ ସେତିକି ନୁହେଁ ଦଣ୍ଡକାରଣ୍ୟ ଡିଭିଜନ୍ର ମୁଖ୍ୟ ତଥା ଦୁର୍ଦ୍ଦାନ୍ତ ମାଓ ନେତା ହିଡ୍ମା ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଗୁଇନ୍ଦା ସୂତ୍ରରୁ ଜାଣିବାକୁ ପାଇଛି ପୋଲିସ୍ । ସେହିପରି ସୋନୁ, ବିନୋଦ, ରାଜେଶ, ନନ୍ଦୁ ଭଳି ମାଓନେତାଙ୍କ ସହ ଅନ୍ୟ ଅନେକ ମାଓବାଦୀ ମଧ୍ୟ କରୋନାରେ ସଂକ୍ରମିତ ହୋଇ ଜଙ୍ଗଲରେ ଦେଶୀ, ଜଡ଼ିବୁଟି ଔଷଧ ସାହାରାରେ ପଡ଼ି ରହିଛନ୍ତି । ତେଣୁ କରୋନା ବିପଦରୁ ବର୍ତ୍ତିବାକୁ ସମସ୍ତଙ୍କୁ ଶୀଘ୍ର ଆତ୍ମସମର୍ପଣ କରି ସରକାରୀ ଚିକିତ୍ସାର ସୁବିଧା ନେବାକୁ ଆହ୍ବାନ ଦେଇଛନ୍ତି ଦନ୍ତେଓ୍ୱାଡ଼ା ଏସ୍ପି ।
ଗୋଟିଏ ପଟେ ମାଓବାଦୀଙ୍କୁ କରୋନା ଗ୍ରାସିବାର ଭୟ ଘାରିଥିଲା ବେଳେ ପୋଲିସ୍ ଓ ପ୍ରଶାସନକୁ ଘାରିଛି ଅପହଞ୍ଚ ଇଲାକାରେ ଥିବା ଅନ୍ୟ ଲୋକଙ୍କ ଚିନ୍ତା । କାରଣ ଏଭଳି ସମୟରେ ବି ମାଓବାଦୀମାନେ ବିନା ମାସ୍କ, ବିନା ସାମାଜିକ ଦୂରତାରେ ବିଭିନ୍ନ ଗାଁକୁ ଯାଇ ସଭାସମିତି ଜାରି ରଖିଛନ୍ତି । ତେଣୁ ସେମାନଙ୍କ ସମ୍ପର୍କରେ ଆସୁଥିବା ସାଧାରଣ ଗାଁ ଲୋକଙ୍କ ଭିତରେ ବି ସଂକ୍ରମଣ ବ୍ୟାପିବାର ଭୟ ବଢୁଛି । ତେଣୁ ମାଓବାଦୀଙ୍କଠାରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଉଛି ପୋଲିସ୍ ପ୍ରଶାସନ । ଗତ ମେ ମାସରେ ମାଲ୍କାନଗିରି ଗସ୍ତରେ ଥିବା ବେଳେ ପୋଲିସ୍ ଡିଜି ଅଭୟ ମଧ୍ୟ ଅନୁରୂପ ପରାମର୍ଶ ଦେବା ସହ ସ୍ଥିତି ବିଗିଡ଼ିବା ଆଗରୁ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ବାନ ଦେଇଥିଲେ ।
ମାଓ ଦଲମରେ କରୋନା ସଂକ୍ରମଣ ବଢିଚାଲିଥିବାରୁ ଲାଲ୍ବାହିନୀର ଦଣ୍ଡକାରଣ୍ୟ ଡିଭିଜନ୍ର କାର୍ଯ୍ୟକଳାପ ଥିବା ମାଲ୍କାନଗିରି ଓ କୋରାପୁଟ ଜିଲ୍ଲାର ଆଦିବାସୀ ଅଞ୍ଚଳରେ ଲୋକଙ୍କ ଭିତରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବାର ଆବଶ୍ୟକତା ବଢ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)