/odishatv-khabar/media/post_attachments/uploadimage/library/16_9/16_9_0/corona-increase_1624600358.jpg)
corona-increase
ଭୁବନେଶ୍ୱର: ପୁଣି କରୋନା ଗ୍ରାଫ୍ ଉପରମୁହାଁ। ୨୨ ଜୁନ୍- ୨୯୫୭, ୨୩ ଜୁନ୍- ୩୪୫୬, ୨୪ ଜୁନ୍-୩୬୫୦। ରାଜ୍ୟରେ ପୁଣି ଧୀରେ ଧୀରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା। ଗତ ୨୪ ଘଣ୍ଟାରେ ୬୯ ହଜାର ୪୮୦ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ଟେଷ୍ଟ ପଜିଟିଭିଟି ରେଟ୍ ରହିଛି ୫.୨୫ ପ୍ରତିଶତ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥିତିରେ ସୁଧାର ଆସିଥିଲେ ବି ଉଦବେଗଜନକ ସ୍ଥିତିରେ ରହିଛି ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର ଓ ପୁରୀ ଜିଲ୍ଲା। ଖୋର୍ଦ୍ଧାରେ ୫୨୫୬ ଆକ୍ଟିଭ କେସ୍, କଟକରେ ୩୫୮୦, ଯାଜପୁର ୩୨୩୪, ବାଲେଶ୍ୱର ୨୮୨୨ ଓ ପୁରୀରେ ୧୮୯୪ ଆକ୍ଟିଭ କେଶ୍ ରହିଥିବା ବେଳେ ୧୨ ପ୍ରତିଶତ ଟିପିଆର୍ ସହ ଆଗରେ ରହିଛି ପୁରୀ। ଖୋର୍ଦ୍ଧା, କଟକ, ଯାଜପୁରରେ ବି ୯ ପ୍ରତିଶତ ଉପରେ ରହିଛି ଟିପିଆର୍।
ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟର ସମୁଦାୟ ପଜିଟିଭ୍ କେଶ୍ ମଧ୍ୟରୁ ଉପକୂଳ ଓ ଉତ୍ତର ଓଡ଼ିଶାର ୯ଟି ଜିଲ୍ଲାରୁ ହିଁ ୬୮.୭ ପ୍ରତିଶତ କେଶ୍ ଆସୁଛି। ଏବେ ୧୬ଟି ଜିଲ୍ଲା ଲୋ ରିସ୍କ, ୧୧ ଜିଲ୍ଲା ମଡରେଟ୍ ବା ମଧ୍ୟମ ଏବଂ ୩ଟି ଜିଲ୍ଲା ହାଇରିସ୍କ ତାଲିକାରେ ରହିଛି। ହାଇରିସ୍କ ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ପୁରୀ ଓ ଯାଜପୁର। ଏଭଳି ସ୍ଥିତିକୁ ଦେଖି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଜିଲ୍ଲାପାଳ, ମ୍ୟୁନିସିପାଲଟି କମିଶନରମାନଙ୍କୁ ଚିଠି ରଖି କେଉଁଠି ସଂକ୍ରମଣ ବଢୁଛି ତା ଉପରେ ତୀକ୍ଷଣ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନ୍ କୋହଳ କରାଯାଇଥିଲେ ମଧ୍ୟ କୋଭିଡ ନିୟମ୍, ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଓ ଭ୍ୟାକସିନେସନ୍ ଉପରେ ଫୋକସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେପଟେ ରାଜଧାନୀ ଭୁବନେଶ୍ୱର ଓ ବାଲେଶ୍ୱର ସହରରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଦୋକାନଗୁଡ଼ିକରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ବାଲେଶ୍ୱର ସହରର ପରିବା ମାର୍କେଟ୍, ମୋତିଗଂଜ ବଜାର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏ ଦୃଶ୍ୟ ହିଁ ବୟାନ କରୁଛି ଲୋକେ କେତେଦୂର କୋଭିଡ୍ ନିୟମକୁ ମାନୁଛନ୍ତି। ଭୁବନେଶ୍ୱରରେ ମଧ୍ୟ ବଜାର, ରାସ୍ତାଘାଟ ସବୁଠି ଭିଡ଼ ଜମୁଛି। ଏପରିକି ଟ୍ରାଫିକ୍ ଜାମ୍ ସ୍ଥିତି ଉପୁଜିଲାଣି। ୧ ନମ୍ବର ମାର୍କେଟରେ ଏଭଳି ଅଧା ସଟର୍ ଖୋଲି ବେପାର ଚଳାଇଛନ୍ତି ବ୍ୟବସାୟୀ। କଟକରେ ବି ସମାନ ସ୍ଥିତି। ବିଶେଷକରି ସଂକ୍ରମଣ ବଢୁଥିବା ସତ୍ତ୍ୱେ ପୋଲିସ୍ କଡ଼ା ଆଭିମୁଖ୍ୟ ନ ଆପଣାଇବା ଅମାନିଆଙ୍କୁ ସୁହାଉଥିବା ଚର୍ଚ୍ଚା ହେଉଛି।
କୋଭିଡ୍ ନିୟମର ଧଜିଆ ଉଡୁଥିବା ବେଳେ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ବିିଭିନ୍ନ ରାଜ୍ୟରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଥିବାରୁ ଆଗକୁ ସ୍ଥିତି ପୁଣି ଜଟିଳ ହେବାର ଆଶଙ୍କା ପ୍ରକାଶ ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)