/odishatv-khabar/media/post_attachments/uploadimage/library/16_9/16_9_0/Odisha-corona_1626254695.jpg)
Odisha-corona
- ରାଜ୍ୟରେ ସଂଗୀନ ହେଉଛି କରୋନା ସ୍ଥିତି
- ଛତିଶଗଡ ସୀମା ସିଲ୍ ସହ ବନ୍ଦ ହେଲା ବସ୍ ସେବା
- ରାଜ୍ୟର ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ ଜୋରଦାର
- ପଶ୍ଚିମ ଓଡ଼ିଶାରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ସଚିବ
- ରାଜ୍ୟ ବାହାରୁ ଆସିଲେ ବାଧ୍ୟତାମୂଳକ RTPCR ଟେଷ୍ଟ
ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣକୁ ଦେଖି ସିଲ୍ ହେଲା ଛତିଶଗଡ଼ ସୀମା। ଛତିଶଗଡ଼କୁ ବସ୍ ସେବା ବି ଆଜିଠାରୁ ବନ୍ଦ ହୋଇଛି। ଏହି ପଡ଼ୋଶୀ ରାଜ୍ୟରେ କରୋନା ବିସ୍ଫୋରକ ସ୍ଥିତିରେ ଥିବାରୁ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଫୋକସ୍ କରାଯାଇଛି। ଆଜି କଳାହାଣ୍ଡି ଓ ନୂଆପଡ଼ା ଯାଇ ଗ୍ରାଉଣ୍ଡ ସ୍ଥିତି ପରଖିଛନ୍ତି ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନସଚିବ। ସେପଟେ ରାଜ୍ୟରେ ଆଜି କରୋନାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତ ହୋଇଛନ୍ତି ୧୩୭୪ ଜଣ। ବିଶେଷଜ୍ଞଙ୍କ ମତରେ ରାଜ୍ୟ ସରକାର କଠୋର ପଦକ୍ଷେପ ନନେଲେ ଓଡ଼ିଶାରେ ବି ମହାରାଷ୍ଟ୍ର ଭଳି ସ୍ଥିତି ଉପୁଜିବାର ଆଶଙ୍କା ରହିଛି।
ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଛତିଶଗଡ ବର୍ଡରକୁ ଲାଗିଥିବା ଏସବୁ ଜିଲ୍ଲାର ପ୍ରବେଶ ପଥ ସିଲ୍ ହୋଇଛି। ରାସ୍ତା ଉପରେ ବାଉଁଶ ବାନ୍ଧି ସୀମା ସିଲ୍ କରିଛନ୍ତି ଜିଲ୍ଲା ପ୍ରଶାସନ। ପୋଲିସର ପଇଁତରା ସାଙ୍ଗକୁ ଚାଲିଛି କଡ଼ା ଯାଞ୍ଚ। ସେପଟେ ଆଜିଠୁ ଛତିଶଗଡ଼କୁ ବସ୍ ସେବା ବନ୍ଦ କରିଛି ଓଡ଼ିଶା। ଛତିଶଗଡ଼ରୁ ନୂଆପଡ଼ା ଆସୁଥିବା ସମସ୍ତ ବସକୁ ଅଟକା ଯାଉଛି। ଠିକ୍ ସେଭଳି ବରଗଡ଼ରୁ ରାୟପୁର ଓ ରାୟଗଡ଼କୁ ଯାଉଥିବା ବସ୍ ସବୁ ଛିଡ଼ା ହୋଇରହିଛି।
ବସଷ୍ଟାଣ୍ଡରେ ଛତିଶଗଡ଼ରୁ ବରଗଡ଼ ଅଭିମୁଖେ ଆସୁଥିବା ବସଗୁଡ଼ିକୁ ମଧ୍ୟ ସୀମାରେ ଅଟକା ଯାଉଛି। ଯାଞ୍ଚ ପରେ କେବଳ ଜରୁରୀ ଆବଶ୍ୟକତା ଥିବା ଲୋକମାନଙ୍କୁ ଛଡାଯାଉଛି। ଗାଇଡଲାଇନ୍ ଅନୁସାରେ ୭୨ ଘଣ୍ଟା ଭିତରେ ହୋଇଥିବା ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ବା ଭ୍ୟାକ୍ସିନେସନ୍ ସାର୍ଟିପିକେଟ୍ ଦେଖାଇଲେ ହିଁ ଓଡିଶା ପ୍ରବେଶକୁ ଅନୁମତି ଦିଆଯାଉଛି। ସେପଟେ ଆଜି କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ ମହାପାତ୍ର।
ସେପଟେ ଗଲା ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୩ ୭୪ ଜଣ ଆକ୍ରାନ୍ତ। କେନ୍ଦ୍ରାପଡା ଓ ବଲାଙ୍ଗିର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫୫, ଖୋର୍ଦ୍ଧାରୁ ୧୯୩ ଓ ନୂଆପଡ଼ା ଜିଲ୍ଲାରୁ ୧୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ଟିଭ କେସ୍ ସଂଖ୍ୟା ହଜାରେ ଟପିବା ପରେ ଉଭୟ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପୁଣି ରେଡ୍ ଜୋନକୁ ଫେରିଛି। ତେଣେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗାଁରୁ ସହର ସବୁଠି ୧୪ ଦିନିଆ ମାସ୍କ ପିନ୍ଧା ଅଭିଯାନ ଆରମ୍ଭ ହୋଇଛି। ତାସହିତ ପୋଲିସର ସ୍ପେଶାଲ୍ ଡ୍ରାଇଭକୁ ଅଧିକ କଡ଼ାକଡ଼ି କରାଯାଇ ସବୁଠି ଚେକିଂକୁ ଜୋରଦାର୍ କରାଯାଇଛି। ଭୁବନେଶ୍ୱର ସଂମକ୍ରଣ ବୃଦ୍ଧି ପାଉଥିବାରୁ ଏୟାରପୋର୍ଟ ଓ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖାଯାଇଛି। ସେପଟେ ରାଜ୍ୟ ସରକାର କଠୋର ପଦକ୍ଷେପ ନନେଲେ ଓ ଲୋକେ ସଚେତନ ନହେଲେ ମହାରାଷ୍ଟ୍ର ଭଳି ସ୍ଥିତି ଓଡ଼ିଶାରେ ବି ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଷେଶଜ୍ଞ।
ଏପଟେ କୋଭିଡ୍ ଗାଇଡ୍ଲାଇନ୍ ମାନୁନଥିବାରୁ ପାରଳାଖେମୁଣ୍ଡିର ୨ଟି ସିନେମା ହଲକୁ ଆଜି ସିଲ୍ କରିଛି ଜିଲ୍ଲା ପ୍ରଶାସନ। ଗତକାଲି ସିନେମା ହଲରେ ଦର୍ଶକଙ୍କ ପ୍ରବଳ ଭିଡ଼ ଯୋଗୁଁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)