Advertisment

ରାଜ୍ୟର କରୋନା ସ୍ଥିତି ସଙ୍ଗୀନ। ଟିକା ନେଲେ ବି କରୋନା ହେବ, ସେପଟେ ୫ ହଜାର ମୁହାଁ ଦୈନିକ ସଂକ୍ରମଣ ଟ୍ରେଣ୍ଡ୍‌

କରୋନାକୁ ନେଇ ବିଗି଼ଡିଚାଲିଛି ସ୍ଥିତି। ୩ ଦିନ ଧରି ରାଜ୍ୟରେ ୩ ହଜାର ଟ୍ରେଣ୍ଡରେ ଥିବା ସଂକ୍ରମଣ ଆଜି ୪ ହଜାର ଡେଇଁଯାଇଛି। ଖାଲି ୪ ହଜାର ପାର୍ କରିନିି, ଦୈନିକ ସଂକ୍ରମଣ ସଂଖ୍ୟାରେ ଗତ ବର୍ଷ ସେପ୍ଟେମ୍ବର ପିକକୁ ବି ଟପିଯାଇଛି। ସପ୍ତାହାନ୍ତ ଲକଡାଉନ୍‌ ଓ ନାଇଟକର୍ଫ୍ୟୁ କଟଣା ସତ୍ତ୍ୱେ ମଧ୍ୟ ଏଭଳି ଦ୍ରୁତ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି

author-image
Sarbeswar
ରାଜ୍ୟର କରୋନା ସ୍ଥିତି ସଙ୍ଗୀନ। ଟିକା ନେଲେ ବି କରୋନା ହେବ, ସେପଟେ ୫ ହଜାର ମୁହାଁ ଦୈନିକ ସଂକ୍ରମଣ ଟ୍ରେଣ୍ଡ୍‌

corona

  • କରୋନାର ଭୟଙ୍କର ରୂପ
  • ରାଜ୍ୟରେ ସେପ୍ଟେମ୍ବର ପିକକୁ ଟପିଗଲା ଦୈନିକ ସଂକ୍ରମଣ
  • ୨୦ ଦିନରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୧ ଗୁଣା ହେଲା ବୃଦ୍ଧି
  • ଦିନକରେ ୪୪୪୫ ନୂଆ ପଜିଟିଭ୍, ୪ ମୃତ
  • ଟିକା ନେଲେ ବି ହେବ କରୋନା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
  • ଚେନ୍ ଭାଙ୍ଗିବାକୁ ହେଲେ ମାନିବାକୁ ପଡିବ ଗାଇଡ୍ଲାଇନ୍
Advertisment

ଭୁବନେଶ୍ୱର:  ସପ୍ତାହାନ୍ତ ଲକଡାଉନ୍‌ ଓ ନାଇଟକର୍ଫ୍ୟୁ କଟଣା ସତ୍ତ୍ୱେ ମଧ୍ୟ ଏଭଳି ଦ୍ରୁତ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ଏପରିକି ଟିକା ନେଲେ ବି କୋଭିଡରେ ଆକ୍ରାନ୍ତ ହେବାର ସମ୍ଭାବନା ଥିବାରୁ ସଂକ୍ରମଣର ଚେନ୍ ଭାଙ୍ଗିବାକୁ କୋଭିଡ୍ ନିୟମର କଡ଼ାକ଼ଡି ପାଳନ ହିଁ ଏକମାତ୍ର ବାଟ ପାଲଟିଛି।

କରୋନା ଦେଖାଉଛି ଭୟଙ୍କର ରୂପ। ରାଜ୍ୟରେ ଗତବର୍ଷର ସେପ୍ଟେମ୍ବର ପିକକୁ ବି ଟପିଗଲା ଦ୍ୱିତୀୟ ଲହରର ଦୈନିକ ସଂକ୍ରମଣ।ଗତ ବର୍ଷ ସର୍ବାଧିକ ସେପ୍ଟେମ୍ବର ୨୬ରେ ଚିହ୍ନଟ ହୋଇଥିଲେ ୪୩୫୬ କରୋନା ଆକ୍ରାନ୍ତ। ଆଉ ଆଜି ୪୪୪୫ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବି ୪ ରହିଛି। ସବୁଠୁ ବଡ଼ କଥା ହେଉଛି ଏବେକାର ସଂକ୍ରମଣର ଗତି ଏତେ ଦ୍ରୁତ ଯେ, ମାତ୍ର ୨୦ ଦିନରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଗୁଣା ବଢ଼ିଗଲାଣି। ଏପ୍ରିଲ୍ ପହିଲାରୁ ସଂକ୍ରମଣ ଉପରମୁହାଁ ରହିଛି। ସଂକ୍ରମଣର ଗ୍ରାଫ୍ ଏପ୍ରିଲ୍ ପହିଲାରେ ୪ ଶହ ପାଖାପାଖିଥିବା ବେଳେ ୯ ତାରିଖ ବେଳକୁ ହଜାରେ ଡେଇଁଲା, ୧୪ରେ ୨ ହଜାର, ୧୬ରେ ୩ ହଜାର ଆଉ ଆଜି ୪ ହଜାର ପାର୍ ହୋଇଛି। ଆଉ ଦ୍ୱିତୀୟ ଲହରରେ ରକେଟ୍ ଭଳି ସଂକ୍ରମଣର ଏ ଦ୍ରୁତ ହାର ହିଁ ବର୍ତ୍ତମାନ ସମୟର ସବୁଠୁ ବଡ଼ ଚ୍ୟାଲେଞ୍ଜ। ଏପରିକି କୋଭି଼ଡ ଟିକା ନେଲେ ବି ସଂକ୍ରମଣ ହେବାର ସମ୍ଭାବନା ରହିଥିବା ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ତେଣୁ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ହେଲେ କୋଭିଡ୍ ନିୟମ ମାନିବା ହିଁ ମୂଳ ଅସ୍ତ୍ର।

Advertisment

ସପ୍ତାହନ୍ତ ଲକଡାଉନ୍‌ ଓ ନାଇଟ୍ କର୍ଫ୍ୟୁ ଭଳି କଟକଣା ସତ୍ତ୍ୱେ ବି ମାଡ଼ି ଚାଲିଛି କରୋନା। ସବୁଠୁ ଅଧିକ ଚିନ୍ତା ସୁନ୍ଦରଗଡ଼, ଖୋର୍ଦ୍ଧା ଓ ନୂଆପଡ଼ାକୁ ଜିଲ୍ଲାକୁ ନେଇ। ସୁନ୍ଦରଗଡ଼ରେ ଆଜି ସର୍ବାଧିକ ୭୨୨ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ତା ପଛକୁ ଖୋର୍ଦ୍ଧାରେ ୫୮୭ ଓ ନୂଆପଡ଼ାରେ ଆଜି ଚିହ୍ନଟ ହୋଇଛନ୍ତି ୪୩୭ ରୋଗୀ। କଳାହାଣ୍ଡି, କଟକ, ସମ୍ବଲପୁର, ଝାରସୁଗୁଡା ଓ ପୁରୀ ଜିଲ୍ଲାରେ ବି ଦୁଇ ଶହ ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦ୍ରୁତ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି।

ସ୍ଥିତିର ମୁକାବିଲା ଲାଗି ପୂର୍ବ ବର୍ଷ ଭଳି ଏଥର ମଧ୍ୟ ସମାନ ରଣକୌଶଳ ଆପଣାଯାଇଛି। ଜନ ସମାଗମ ଓ ଭିଡ଼ ନିୟନ୍ତ୍ରଣ ପାଇଁ ହାଟ ବାଜରର ବିକେନ୍ଦ୍ରୀକରଣ କରିବା ଆରମ୍ଭ କରିଛି ବିଏମସି। ଏହାସହ ହାଟ ବଜାରରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଇଛି। ଖିଲାପ ଦେଖିବାକୁ ମିଳିଲେ ଦୋକାନ ସିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜିଠୁ ନୀଳାଚଳ ଓ ହାଇଟେକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଇଛି। ଏହାସହ ଆସନ୍ତାକାଲି ବ୍ଲୁ ହ୍ୱିଲ୍‌ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ସହ ଖୁବଶୀଘ୍ର ସ୍ପର୍ଶ ଓ କିମ୍ସ କୋଭିଡ ହସ୍ପିଟାଲକୁ ସଚଳ କରାଯିବ ଏବଂ କିମ୍ସ କୋଭିଡ ହସ୍ପିଟାଲକୁ ୫୦୦ ଶଯ୍ୟା ବିଶିଷ୍ଟ କରାଯିବ ବୋଲି ବିଏମ୍ସି କମିଶନର କହିଛନ୍ତି।

ଏପଟେ କରୋନା ସ୍ଥିତିର ମୁକାବିଲା ଲାଗି ରାଜ୍ୟରେ ସରକାରୀ ଓ ଘରୋଇ ହସ୍ପିଟାଲରେ ଏବେ କୋଭିଡ୍ ରୋଗୀଙ୍କ ପାଇଁ ୯୦୦୮ଟି ବେଡ୍ ରହିଛି ଏବଂ ବିଭିନ୍ନ ହସ୍ପିଟାଲରେ ଥିବା ଆଇସିୟୁରେ ଏବେ ସୁଦ୍ଧା ପ୍ରାୟ ୨୧ ପ୍ରତିଶତ ରୋଗୀ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ରାଜ୍ୟରେ ଥିବା ମୋଟ୍ ୭୮୨ ଭେଣ୍ଟିଲେଟରରୁ ମାତ୍ର ୫୯ଟିରେ ରୋଗୀ ଅଛନ୍ତି ବୋଲି କୁହାଯାଇଛି।

ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା, ଭୁବନେଶ୍ୱରରୁ ଅର୍ଚ୍ଚନା ଶତପଥୀଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ

Corona News Today
Advertisment
Advertisment