/odishatv-khabar/media/post_attachments/uploadimage/library/16_9/16_9_0/cyclone-yaas_1626259903.jpg)
cyclone yaas
ଭୁବନେଶ୍ୱର : ଏବେ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଥିବା ବାତ୍ୟାର ନାଁ ‘ୟାସ୍’ କାହିଁକି? ଏହି ନାଁ କିଏ ଦେଇଛି, ଏହାର ଅର୍ଥ କ’ଣ? କଥା ହେଉଛି, ବଙ୍ଗୋପସାଗର ଓ ଆରବ ସାଗର ସମେତ ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହେବାକୁଥିବା ଘୂର୍ଣ୍ଣିଝଡ଼ର ନାମକରଣ ପାଇଁ ୧୩ଟି ଦେଶ ଦ୍ୱାରା ପ୍ରସ୍ତାବିତ ଏକ ନିର୍ଦ୍ଦିଷ୍ଟ ତାଲିକା ରହିଛି ।
୨୦୨୦ରେ ଆସିଥିବା ବାତ୍ୟା ଅମ୍ଫନ୍ ପରେ, କାର୍ଯ୍ୟକାରୀ ହେଉଥିବା ନୂଆ ତାଲିକାରେ ରହିଛି ୧୬୯ଟି ବାତ୍ୟାର ନାଁ । ତାଉତେକୁ ମିଶାଇ ଏଥିରୁ ୫ଟି ନାଁ ପୂର୍ବରୁ ବ୍ୟବହାର ହୋଇସାରିଥିବା ବେଳେ, ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ନାଁକୁ ଓମାନର ପ୍ରସ୍ତାବ ଅନୁସାରେ ‘ୟାସ୍’ ରଖାଯାଇଛି । ଏହାର ଅର୍ଥ ଯାଶ୍ମିନ୍ ବା ଯୁଇ ଭଳି ଏକ ସୁଗନ୍ଧୀ ବୃକ୍ଷ। ଉତ୍ତର ଭାରତ ମହାସାଗରରେ ସୃଷ୍ଟିହେବାକୁ ଥିବା ପରବର୍ତ୍ତୀ ଝଡ଼ର ନାଁ ପାକିସ୍ତାନର ପ୍ରସ୍ତାବ ଅନୁସାରେ ଗୁଲାବ୍ ରହିବ । ତେବେ ଭାରତ ପକ୍ଷରୁ ପ୍ରସ୍ତାବିତ ପ୍ରଥମ ନାଁ ‘ଗତି’ ପୂର୍ବରୁ ବ୍ୟବହାର ହୋଇସାରିଥିବା ବେଳେ, ପରବର୍ତ୍ତୀ ୧୨ଟି ନାଁ ହେଉଛି ତେଜ୍, ମୁରସୁ, ଆଗ୍, ବ୍ୟୋମ, ଝର, ପ୍ରବାହ, ନୀର, ପ୍ରଭଞ୍ଜନ, ଘୂର୍ଣ୍ଣି, ଅମ୍ବୁଦ, ଜଳଧି ଓ ବେଗ।
ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ
ତେବେ ମାଡ଼ି ଆସୁଥିବା ଏହି ସାମୁଦ୍ରିକ ବାତ୍ୟା ୟାସର ମୁକାବିଲା ପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତରଣ କରାଯାଉଛି। ଉପକୂଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକ, ବୟସ୍କ, ଗର୍ଭବତୀ ଏବଂ ଶିଶୁଙ୍କୁ ବାତ୍ୟା ଆଶ୍ରୟସ୍ଥଳିରେ ନେଇ ରଖାଯାଉଛି। ଆଜି ସୁଦ୍ଧା ପ୍ରାୟ ୧୫ ହଜାରଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା।
ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର ଜିଲ୍ଲା ପ୍ରତି ଅଧିକ ବିପଦ ଆଶଙ୍କା କରି ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରହିଛି। ବାତ୍ୟା ପୂର୍ବ ଓ ପରବର୍ତ୍ତି ସମୟରେ କ୍ଷୟକ୍ଷତିର ମୁକାବିଲା ପାଇଁ ୫୨ ଏନଡିଆରଏଫ୍, ୬୦ ଓଡ୍ରାଫ୍, ୨୦୬ ଫାୟାର ଟିମ୍ ସମେତ ବିଭିନ୍ନ ବିଭାଗର ମୋଟ୍ ୪୦୪ଟି ରେସକ୍ୟୁ ଟିମ୍, ସ୍ୱତନ୍ତ୍ର ଇଂଜିନିୟର୍ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ମୁତୟନ କରାଯାଇଛି । ବାତ୍ୟା ବେଳେ ବିଶେଷ ଭାବେ ବିଦ୍ୟୁତ୍ ସେବା ପ୍ରଭାବିତ ହେବା ଆଶଙ୍କା ରହିଛି । ଏନେଇ ୧୨ ହଜାର କର୍ମଚାରୀଙ୍କୁ ତୁରନ୍ତ ବିଦ୍ୟୁତ୍ ସରବରାହକୁ ସ୍ୱାଭାବିକ କରିବା ନେଇ ନିର୍ଦ୍ଦେଶ ରହିଛି। ରାସ୍ତାରେ ଗଛ କାଟିବା ପାଇଁ ବନ ବିଭାଗର ଟିମ୍, ପାନୀୟ ଜଳ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ବି ଦାୟିତ୍ୱ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)