cm-naveen
ଭୁବନେଶ୍ୱର: NEET ଓ JEE ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ସକାଳେ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଦୁଇ ପରୀକ୍ଷା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ଓ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଥିବାରୁ ବର୍ତ୍ତମାନ ପାଇଁ ପରୀକ୍ଷା ସ୍ଥଗିତ ରଖିବାକୁ ଫୋନ୍ କରି ଅନୁରୋଧ କରିଛନ୍ତି ନବୀନ।
ଏହା ପୂର୍ବରୁ ମଧ୍ୟ ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବି ଚିଠି ଲେଖିଥିଲେ ନବୀନ। କରୋନା ଯୋଗୁ ପରୀକ୍ଷା କେନ୍ଦ୍ର ଯାଇ ପରୀକ୍ଷା ଦେବା ନିରାପଦ ନୁହେଁ, ବିଭିନ୍ନ ସ୍ଥାନରେ ସଟ୍ ଡାଉନ୍ ଓ ଲକ୍ ଡାଉନ୍ ମଧ୍ୟ ଯାତାୟାତରେ ସମସ୍ୟା କରିବ ବୋଲି ନବୀନ ଚିଠି ଲେଖିଥିଲେ। ଏଥିସହିତ ଓଡ଼ିଶାର ଆଦିବାସୀ ଅଞ୍ଚଳର ପିଲାଙ୍କ ଲାଗି ପରୀକ୍ଷା ଦେବାରେ ସମସ୍ୟା ହେବ। ଦୁର୍ଗମ ଅଞ୍ଚଳରୁ ଯାଇ ଦୂରରେ ପରୀକ୍ଷା ଦେବା ଅସୁବିଧା ହେବ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ ମୁଖ୍ୟମନ୍ତ୍ରୀ।
ଅନ୍ୟପଟେ ଗତକାଲି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଜିଏସଟିର ବକେୟା ଏବଂ NEET-JEE ପରୀକ୍ଷା ଉପରେ ଚର୍ଚ୍ଚା ହୋଇଥିଲା। ବୈଠକରେ NEET-JEE ପରୀକ୍ଷା କରାଇବା ନିଷ୍ପତ୍ତି ବିରୋଧରେ ସମସ୍ତ ୭ଟି ଯାକ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁପ୍ରିମ୍ କୋର୍ଟ ଯିବାକୁ ସହମତି ପ୍ରକାଶ କରିଥିଲେ।
ସେପଟେ ଧାର୍ଯ୍ୟ ତାରିଖରେ JEE ମେନ୍ ଓ NEET ପରୀକ୍ଷା ହେବ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା NTA।
JEE (ମେନ୍) ସେପ୍ଟେମ୍ବର ୧ରୁ ୬ ତାରିଖ ଓ NEET (ୟୁଜି) ପରୀକ୍ଷା ସେପ୍ଟେମ୍ବର ୧୩ ତାରିଖରେ ହେବାକୁ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cm-naveen-2_1625388497.jpg)