/odishatv-khabar/media/media_files/2026/01/17/choudwar-jail-escape-case-2026-01-17-20-30-58.jpg)
ଲେଉଟିଲା ଚୌଦ୍ୱାର ଜେଲରୁ ବିହାରୀ କଏଦୀ ଚମ୍ପଟ ଏପିସୋଡ୍ Photograph: (OTV)
ଚାଞ୍ଚଲ୍ୟକର ତଥ୍ୟ ସହ ଲେଉଟିଲା ବିହାରୀ କଏଦୀ ଫେରାର୍ ଏପିସୋଡ୍। କାଠଗଡ଼ାରେ ଚୌଦ୍ବାର୍ ସର୍କଲ୍ ଜେଲ ସିନିୟର ସୁପରିନଟେଣ୍ଡେଣ୍ଟ୍ ସୁଜିତ କୁମାର ରାଉଳ। ଦୁଇ କଏଦୀଙ୍କୁ ଖସାଇବାରେ ସୁଜିତ ରାଉଳଙ୍କର ବଡ଼ ଭୂମିକା ଥିଲା ବୋଲି ସଂଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ତତ୍କାଳୀନ ଜେଲର୍।
କିଭଳି ଜାଲ୍ ଦସ୍ତଖତ ଓ ସର୍ଭିସ୍ ରେକର୍ଡ ଟାମ୍ପରିଂ କରି ସୁଜିତ୍ ଖେଳିଥିଲେ ବଡ଼ ଗେମ୍ ତାର ଖୁଲାସା କରିଛନ୍ତି ଜେଲର ସନ୍ତୋଷିନୀ। ଏପଟେ ଜେଲ୍ ଡିଆଇଜିଙ୍କ ରିପୋର୍ଟରେ ବି ଅଧୀକ୍ଷକଙ୍କ ବିରୋଧରେ ପୁଳାପୁଳା ପ୍ରମାଣ।
କଟକ ଚୌଦ୍ୱାର ଥାନାରେ ତତ୍କାଳୀନ ଚୌଦ୍ୱାର ଜେଲର୍ ସନ୍ତୋଷିନୀ ଦାସ ଦେଇଛନ୍ତି ଏକ ଲମ୍ବା ଏତଲା। କଏଦୀ ଫେରାର୍ ପଛରେ ଜେଲ୍ କର୍ତ୍ତୃପକ୍ଷଙ୍କ ହାତଥିବା ସନ୍ଦେହକୁ ଆହୁରି ବଳ ଯୋଗାଇଛି ସନ୍ତୋଷିନୀଙ୍କ ଏହି ସଂଗୀନ୍ FIR । ସିଧା ଆଙ୍ଗୁଠି ଉଠିଛି ଜେଲ ସିନିୟର ସୁପରିନଟେଣ୍ଡେଣ୍ଟ୍ ସୁଜିତ କୁମାର ରାଉଳଙ୍କ ଉପରକୁ। ସନ୍ତୋଷିନୀଙ୍କ ଅଭିଯୋଗ- ବିହାରୀ କଏଦୀଙ୍କୁ ଖସାଇବାରେ ରହିଛି ସୁଜିତଙ୍କର ବଡ଼ ଭୂମିକା ।
କାରଣ କଏଦୀ ଫେରାର୍ ପରେ ଗେଟ୍ ଇନ୍-ଆଉଟ୍ ରେଜିଷ୍ଟରରେ ବଡ଼ ହେରଫେର କରିଥିଲେ ସୁଜିତ। ୨୦୨୫ ଅକ୍ଟୋବର ୧,୨ ଓ ୩ ତାରିଖରେ ଅଫିସିଆଲ ଗେଟ୍ ଇନ-ଆଉଟ୍ ରେଜିଷ୍ଟରରେ ହୋଇଥିଲା ବଡ଼ ଗଫଲତି । ଜେଲ୍ ପରିସରରେ ନିଜ ଉପସ୍ଥିତିକୁ ତଥ୍ୟକୁ ଜେଲ୍ ଅଧୀକ୍ଷକ କରିଦେଇଥିଲେ ଏପଟ ସେପଟ୍।
ଡ୍ୟୁଟିରେ ନ ଥାଇ ବି ରେଜିଷ୍ଟେରରେ ନିଜେ ନିଜେ ପକାଇଦେଇଥିଲେ ପ୍ରେଜେଣ୍ଟ। ତାଙ୍କ ଦସ୍ତଖତକୁ ଜାଲିଆତି କରି ତଦନ୍ତକୁ ଦିଗହରା କରିବାକୁ ଉଦ୍ୟମ କରିଥିଲେ। ଅଫିସିଆଲ୍ ରେକର୍ଡର ଫରେନସିକ୍ ଯାଞ୍ଚ ଓ ମେନ୍ ଗେଟ୍ ସିସିଟିଭି ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ସନ୍ତୋଷିନୀ।
ସେପଟେ ଜେଲ୍ ଡିଆଇଜି ଦାଖଲ କରିଥିବା ରିପୋର୍ଟ ବି ସୁଜିତଙ୍କୁ କାଠଗଡ଼ାକୁ ଟାଣିଛି । ରିପୋର୍ଟ କହୁଛି, ଅଧୀକ୍ଷକ ସୁଜିତ ରାଉଳ ସଠିକ ଭାବେ ଡ୍ୟୁଟି କରୁନଥିଲେ । କଏଦୀ ରହୁଥିବା ହାଜତ ଲକ୍ ଓ ଅନଲକ୍ ଯାଞ୍ଚ କରୁନଥିଲେ କି ସବୁଦିନ ଜେଲ୍ ଆସୁନଥିଲେ । ହେଲେ ମିନିଟ ଟୁ ମିନିଟ ଡାଏରୀରେ ପିଛିଲା ଭାବେ ଉପସ୍ଥିତି ଦର୍ଶାଇ ଦସ୍ତଖତ କରିଦେଉଥିଲେ।
ସିସିଟିଭି ରେକର୍ଡ କହୁଛି, ସୁଜିତ୍ ଗତ ସେପ୍ଟେମ୍ବର ୨୯ ଓ ୩୦ ତାରିଖ ଛୁଟିରେ ଯାଇଥିଲେ । ଅକ୍ଟୋବର ୨ ତାରିଖ ଅର୍ଥାତ ଦଶହରା ଦିନ ସକାଳ ୮ ଟା ୩୪ ମିନିଟ ବେଳେ ଜେଲକୁ ଆସି ଘଣ୍ଟାଏ ରହି ୯ଟା ୩୦ ବେଳେ ଚାଲି ଯାଇଥିଲେ । ଆଉ ଦିନ ତମାମ ଦେଖା ନଥିଲା ସୁଜିତଙ୍କର। ହେଲେ ମାନୁଆଲ ରେକର୍ଡ କହୁଛି ସେ ଦିନ ତମାମ ଜେଲରେ ହିଁ ରହିଥିଲେ । ସଂଗୀନ କଥା ହେଲା, ସେହି ରାତିରେ ହିଁ ଫେରାର୍ ହୋଇଯାଇଥିଲେ ଦୁଇ ବିହାରୀ କଏଦୀ।
ଦୁଇ କାର୍ଡକୋର ବିହାରୀ କଏଦୀ ରାଜା ସାହାଣୀ ଓ ମଧୁକାନ୍ତ ରାଣା ଫେରାର ହେବା ନେଇ ଏହା ମଧ୍ୟରେ ବିତିଗଲାଣି ସାଢେ ୪ ମାସ । ଏଯାଏଁ ପୋଲିସ ଉଭୟଙ୍କର ଟେର୍ ପାଉନଥିବାବେଳେ ପୂର୍ବତନ ଜେଲରଙ୍କ ଏତଲା ପୁଣି ବିବାଦ ଛାଡ଼ି କରିଛି।
ଏଠାରେ ପ୍ରଶ୍ନ ଉଠୁଛି- କଏଦୀଙ୍କୁ ଫେରାର୍ କରାଇବାରେ ସିଧାସଳଖ ରହିଛି କି ସୁଜିତଙ୍କ ହାତ ? କେଉଁ ଉଦ୍ଦେଶ୍ୟରେ ଡାଏରୀରେ ତଥ୍ୟ ହେରଫେର କରିଛନ୍ତି ଅଧୀକ୍ଷକ ? ଜେଲରଙ୍କ ଦସ୍ତଖତ ଜାଲ୍ କରି କେଉଁ ସତକୁ ଲୁଚାଇବାକୁ ଉଦ୍ୟମ କରିଛନ୍ତି ? ଡ୍ୟୁଟିରେ ନ ଥାଇ ବି କାହିଁକି ରେଜିଷ୍ଟରରେ ପକାଇଥିଲେ ପ୍ରେଜେଣ୍ଟ ? କଏଦୀ ଫେରାର ଦିନ କେଉଁଠି ଥିଲେ ସୁଜିତ୍ ? ମାମଲାରେ ତାଙ୍କର ପ୍ରତ୍ୟେକ୍ଷ ସଂପୃକ୍ତି ରହିଛି କି ? ଯେଉଁଥିପାଇଁ ତଦନ୍ତକୁ ଦିଗହରା କରିବାକୁ ଉଦ୍ୟମ କରିଛନ୍ତି ? ଏସବୁ ଦିଗକୁ ତଦନ୍ତ ପରିସରଭୁକ୍ତ କରାଗଲେ ବଡ଼ ଖୁଲାସା ହେବାର ଆଶା କରାଯାଉଛି ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)