Advertisment

Charter Plane Crashes: ମଝି ଆକାଶରୁ ଖସିପଡ଼ିଲା ଚାର୍ଟର୍ ପ୍ଲେନ୍; ବଞ୍ଚିଗଲେ ସମସ୍ତ ଯାତ୍ରୀ ଓ ପାଇଲଟ୍

ରାଉରକେଲା ଆକାଶରୁ ଖସିପଡ଼ିଲା ବିମାନ। ମଝି ଗହିରରେ ଫୋର୍ସ ଲ୍ୟାଣ୍ଡିଂ। ଚାର୍ଟର୍ ପ୍ଲେନ୍ ଛିନ୍ ଛତର୍। ଅଳ୍ପକେ ବଞ୍ଚିଗଲେ ସବୁ ଯାତ୍ରୀ ଆଉ ପାଇଲଟ୍। କାହିଁକି ଦୁର୍ଘଟଣା ଘଟିଲା, ଆରମ୍ଭ ହେଲା ତନାଘନା।

author-image
Pramod Behera
Charter Plane Crashes

ମଝି ଆକାଶରୁ ଖସିପଡ଼ିଲା ଚାର୍ଟର୍ ପ୍ଲେନ୍ Photograph: (OTV)

ମଝି ଆକାଶରୁ ଖସିପଡ଼ିଲା ଚାର୍ଟର୍ ପ୍ଲେନ୍। ମେ ଡେ' କଲ୍ ପରେ ପାଇଲଟ୍ କଲେ ଫୋର୍ସ ଲ୍ୟାଣ୍ଡିଂ। ରାଉରକେଲାରେ ବିମାନ ଦୁର୍ଘଟଣାକୁ ନେଇ ହଇଚଇ। ସୌଭାଗ୍ୟକୁ ବଞ୍ଚିଯାଇଛନ୍ତି ସମସ୍ତ ଯାତ୍ରୀ ଓ ପାଇଲଟ। ତେବେ କାହିଁକି ଦୁର୍ଘଟଣା ଘଟିଲା, ତାକୁ ନେଇ ଆରମ୍ଭ ହୋଇଯାଇଛି ଖୋଳତାଡ଼। ଡିଜିସିଏ ଆରମ୍ଭ କରିଦେଇଛି ତନାଘନା। ରବିବାର ଆସି ଯାଞ୍ଚ କରିବ ଏୟାରକ୍ରାପ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ ବା AAIB। ତଦନ୍ତର ତଦାରଖ ପାଇଁ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ସହ ଆହତ ଯାତ୍ରୀଙ୍କ ସମ୍ପର୍କୀୟଙ୍କ ନିମନ୍ତେ ମୋବାଇଲ୍ ନମ୍ବର ଜାରି କରାଯାଇଛି। ସେପଟେ ମୃତ୍ୟୁମୁଖରୁ କିଭଳି ୬ ଜଣଙ୍କୁ ବଞ୍ଚାଇ ମାନବିକତାର ଶ୍ରେଷ୍ଠ ପରିଚୟ ଦେଲେ ସ୍ଥାନୀୟ ବାସିନ୍ଦା।

Advertisment

ଇଣ୍ଡିଆ ଓ୍ୱାନ୍ ଏୟାରର ୯ ସିଟର୍ ଏୟାରକ୍ରାପ୍ଟ VT-KSS। ଦୃଶ୍ୟ ହିଁ ବୟାନ୍ କରୁଛି ବିମାନ ଦୁର୍ଘଟଣାର ଭୟବହତା କେତେ। ମାଟିରେ ଲୋଟି ଚେପା ହୋଇଯାଇଛି ଫ୍ଲାଇଟ୍ ହେଡ୍, ଭାଙ୍ଗିଯାଇଛି ୱିଙ୍ଗ୍।


ରନୱେ ଥିଲା ଆଉ ମାତ୍ର ୮ ନଟିକାଲ୍ ମାଇଲ୍ ଅର୍ଥାତ ପ୍ରାୟ ୧୪ କିଲୋମିଟର୍। ହେଲେ ତା’ପୂର୍ବରୁ ଭାରସାମ୍ୟ ହରାଇସାରିଥିଲା ବିମାନ। ମଧ୍ୟାହ୍ନ ସାଢେ ଗୋଟାଏରୁ ୨ଟା ମଝିରେ ମଝି ଆକାଶରେ ଘଟିଯାଇଥିଲା ବଡ଼ ଗଡ଼ବଡ଼। ଶେଷରେ ରାଉରକେଲା ଜଲଦା ନିକଟ ଖୋଲାସ୍ଥାନରେ ଖସିପଡ଼ିଥିଲା ଚାର୍ଟର୍ ପ୍ଲେନ୍। ଅବତରଣର ମାତ୍ର ୧୫ ମିନିଟ୍ ପୂର୍ବରୁ କରିଥିଲା ଫୋର୍ସ ଲ୍ୟାଣ୍ଡିଂ। 

Advertisment

ସୌଭାଗ୍ୟକୁ ବିମାନ ଖସିଥିବା ସ୍ଥାନର ନିକଟରେ ଥିଲା ଜନବସତି। ଏଣୁ ଦେବଦୂତ ଭଳି ତୁରନ୍ତ ଘଟଣାସ୍ଥଳକୁ ଆସିଯାଇଥିଲେ ସ୍ଥାନୀୟ ଲୋକେ। ବିସ୍ଫୋରଣ, ନିଆଁ ଲାଗିବା ଆଶଙ୍କାକୁ ଖାତିର ନକରି ଦେଖାଇଥିଲେ ମାନବିକତାର ଶ୍ରେଷ୍ଠ ପରିଚୟ । ନିଜ ଜୀବନକୁ ବାଜିରେ ଲଗାଇ ବିମାନ ପାଖକୁ ଯାଇ ପାଇଲଟ୍ ଓ ଅନ୍ୟ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ। ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବାର ବ୍ୟବସ୍ଥା କରିଥିଲେ। 


ମଧ୍ୟାହ୍ନ ୧୨ଟା ୨୭ ମିନିଟ୍। ଭୁବନେଶ୍ୱର ବିମାନବନ୍ଦରରୁ ରାଉରକେଲା ଅଭିମୁଖେ ଉଡ଼ାଣ ଭରିଥିଲା ଚାର୍ଟର୍ ପ୍ଲେନ୍। ବିମାନରେ ଥିଲେ ପାଇଲଟ୍ ନବୀନ କାଡ଼ାଙ୍ଗା ଓ ସହପାଇଲଟ୍ ତରୁଣ ଶ୍ରୀବାସ୍ତବଙ୍କ ସମେତ ୪ ଯାତ୍ରୀ- ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ ଓ ସବିତା ଅଗ୍ରୱାଲ। ପାଇଲଟଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। 

ତେବେ ତାଙ୍କରି ଉପସ୍ଥିତି ବୁଦ୍ଧି ଓ ଉଦ୍ୟମ ଯୋଗୁ ହିଁ ସମସ୍ତଙ୍କ ଜୀବନ ସୁରକ୍ଷିତ ରହିଥିବା କୁହାଯାଉଛି। କେଉଁ ପରିସ୍ଥିତିରେ ଫୋର୍ସ ଲ୍ୟାଣ୍ଡିଂ ହେଲା ସେନେଇ କୌଣସି ସ୍ପଷ୍ଟ କାରଣ ଜଣାପଡ଼ିନଥିବାବେଳେ, ଅଘଟଣ ନେଇ DGCA ଓ ମନ୍ତ୍ରାଳୟକୁ ଅବଗତ କରିଛି ଡାଇରେକ୍ଟୋରେଟ୍ ଅଫ୍ ସିଭିଲ ଆଭିଏସନ। ଶନିବାର ଡିଜିସିଏ ଟିମ୍ ଓ ରବିବାର AAIB ଟିମ୍ ରାଉରକେଲା ଆସି ତଦନ୍ତ କରିବ। ଏଥିରେ ସମନ୍ୱୟ ପାଇଁ ଭୁବନେଶ୍ୱରରୁ ୨ ବେସାମରିକ ବିମାନ ଚଳାଚଳ କର୍ମଚାରୀ ସାମିଲ ହୋଇଛନ୍ତି। 

ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳ ପରିଦର୍ଶନ କରିବା ସହ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ଘଟଣାର ତଦାରଖ କରାଯାଉଛି। ଆବଶ୍ୟକ ପଡ଼ିଲେ ଆହତଙ୍କୁ ଏୟାରଲିପ୍ଟ କରାଯାଇପାରେ ବୋଲି କହିଛନ୍ତି ରାଉରକେଲା ଏସପି ନୀତେଶ ଓ୍ୱାଧଓ୍ୱାନି । 


ତେବେ କାହିଁକି ଆକାଶରେ ଭାରସାମ୍ୟ ହରାଇଲା ଟାର୍ଟର୍ ପ୍ଲେନ୍ ? କାହିଁକି ଫୋର୍ସ ଲ୍ୟାଣ୍ଡିଂ କରିବାକୁ ବାଧ୍ୟ ହେଲେ ପାଇଲଟ୍ ? ଫ୍ଲାଇଟରେ କଣ ଓ କେଉଁଠି ରହିଲା ତ୍ରୁଟି ? ବିମାନ ଉଡ଼ାଣ ଆଗରୁ ଭଲଭାବେ ଯାଞ୍ଚ କରାଯାଇଥିଲା ତ ? ବିମାନର ଇଞ୍ଜିନରେ ତ୍ରୁଟି ଥିଲା କି ? ଯେଉଁଥିପାଇଁ ପାଇଲଟଙ୍କୁ କରିବାକୁ ପଡ଼ିଲା ଫୋର୍ସ ଲ୍ୟାଣ୍ଡିଂ ? ନିୟମିତ ଭାବେ ହେଉଥିଲା ତ ବିମାନର ଚେକିଂ ? 

ଓଡ଼ିଶାରେ ଉଡ଼ାଣ ଯୋଜନାରେ ରାଉରକେଲା ସମେତ ଉତକେଲା ଓ ଜୟପୁରକୁ ଏହି ୯ ସିଟର୍ ବିମାନ ଚଳାଚଳ କରୁଛି। ରାଉରକେଲାରେ ବିମାନ ଦୁର୍ଘଟଣା ଯାତ୍ରୀଙ୍କ ମଧ୍ୟରେ ଛନକା ଭରିଛି। ସେପଟେ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ଘଟଣାର ତଦନ୍ତ ପରେ କାରଣ ସାମ୍ନାକୁ ଆସିବ।


ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହାପ୍ରଭୁଙ୍କ କୃପାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ରହିବା ଆଶ୍ବସ୍ତିକରଣ ଖବର । ଆହତଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଏମ୍ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଆହତଙ୍କର ଶୀଘ୍ର ସୁସ୍ଥତା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Rourkela Accident Plane Crash
Advertisment
Advertisment