/odishatv-khabar/media/media_files/2026/01/11/bridge-becomes-death-trap-2026-01-11-19-48-20.jpg)
ସେତୁ ନା ମୃତ୍ୟୁର ଫାନ୍ଦ, ଚାରି ସାଙ୍ଗ ଦେଖାଇଲେ ମହାନତା Photograph: (OTV)
ଶୁଣିଲାଣି ପ୍ରଶାସନ। ଚାରି ସାଙ୍ଗ ଦେଖାଇଲେ ମହାନତା। ନିଜେ ଟଙ୍କା ସଂଗ୍ରହ କରି ମରାମତି କଲେ ମହାନଦୀ ସେତୁ ଉପରେ ଥିବା ଖାଲଖମା।
ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥର କିଆକଟା ସେତୁ, ଆଜି ଯାହା କେବଳ ଏକ ବ୍ରିଜ୍ ନୁହେଁ, ବରଂ ପ୍ରତିଦିନ ମୃତ୍ୟୁ ସହ ଲୋକଙ୍କ ଲୁଚକାଳିର ମଞ୍ଚ ହୋଇଛି। କଂକ୍ରିଟ୍ ରାସ୍ତା ଫାଟି ଆଁ ହୋଇଗଲାଣି, ବ୍ରିଜ୍ ଉପରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି, ଅନେକ ସ୍ଥାନରେ ଲୁହା ଛଡ଼ ବାହାରି ଭୟଙ୍କର ରୂପ ନେଲାଣି।
ଏହି ଗାତରେ ପଡ଼ି ଏପର୍ଯ୍ୟନ୍ତ ଅନେକ ମୂଲ୍ୟବାନ ଜୀବନ ଯାଇଛି। ତଥାପି ଏହି ରାସ୍ତା ଉପରେ କାହାର ନଜର ନାହିଁ। ପ୍ରତିଦିନ ଶହ ଶହ ଭାରି ଯାନବାହନ ଏହି ବ୍ରିଜ୍ ଦେଇ ବୌଦ୍ଧରୁ ସମ୍ବଲପୁର ଯାତାୟତ କରୁଛି। ଏନେଇ ପ୍ରତିଦିନ କିଛି ନା କିଛି ଛୋଟ ବଡ଼ ଦୁର୍ଘଟଣା ଘଟୁଛି, ଲୋକେ ଆହତ ହେଉଛନ୍ତି, ଜୀବନ ଯାଉଛି।
ସୂଚନା ମୁତାବକ, ସଡ଼କ ସୁରକ୍ଷା ଦିବସ ଅବସରରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଓ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ ସ୍ପଷ୍ଟ କରିଥିଲେ ଯେ, ବୌଦ୍ଧ ଜିଲ୍ଲାରେ ଦୁର୍ଘଟଣା ହାର ଚିନ୍ତାଜନକ ଭାବେ ବଢ଼ୁଛି। ବିଶେଷକରି ମହାନଦୀ ସେତୁ ଓ କିଆକଟା ବ୍ରିଜ୍ ଉପରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଥିବା ମତ ପ୍ରକାଶ କରି NH ବିଭାଗକୁ ତୁରନ୍ତ ମରାମତି ପାଇଁ କଡ଼ା ଚେତାବନୀ ଦେଇଥିଲେ।
କିନ୍ତୁ ଦୁଃଖର କଥା, ଜିଲ୍ଲାପାଳ ଓ SP ଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ NH ବିଭାଗ ପକ୍ଷରୁ କୌଣସି କାର୍ଯ୍ୟ ହୋଇ ନାହିଁ। ମରାମତି କାମ ଆରମ୍ଭ ହୋଇ ନଥିବାରୁ ବ୍ରିଜ୍ ଆଜିବି ମୃତ୍ୟୁର ଫାଶ ହୋଇ ରହିଛି।
ଏପଟେ, ମାନବିକତାର ଅଦ୍ଭୁତ ଦୃଶ୍ୟ ଦେଖାଯାଉଛି। ବୌଦ୍ଧର କିଛି ସଚେତନ ନାଗରିକ, ଯେଉଁମାନେ ପ୍ରତିଦିନ ଏହି ବ୍ରିଜ୍ ଉପରେ ମର୍ଣ୍ଣିଂ ୱାର୍କ କରିବାକୁ ଆସନ୍ତି, ସେମାନେ ନିଜ ଆଖି ଆଗରେ ଲୋକଙ୍କୁ ଦୁର୍ଘଟଣାର ଶିକାର ହେବା ଦେଖନ୍ତି। ଏହା ପରେ ସେମାନେ ନିଜେ ଖର୍ଚ୍ଚରେ ବ୍ରିଜ୍ ଉପରେ ଥିବା ଖାଲ ଓ ଗାତକୁ ଅସ୍ଥାୟୀ ଭାବେ ମରାମତି କରିଛନ୍ତି, କେବଳ ଏଥିପାଇଁ ଯେ, ଯେପରି ଏହି ଖାଲରେ ଆଉ କାହାର ଜୀବନ ନ ଯାଉ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)