/odishatv-khabar/media/post_attachments/uploadimage/library/16_9/16_9_0/bjp-dharana_1624606567.jpg)
bjp dharana
ଭୁବନେଶ୍ୱର: ରାଜ୍ୟରେ ମଣ୍ଡିରେ ଧାନ ସଂଗ୍ରହ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ୱରର ୟୁନିଟ-୮ରେ ଥିବା ଯୋଗାଣ ନିଗମ ମୁଖ୍ୟ କାର୍ଯ୍ୟାଳୟ ଆଗରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଉଛି ।
କୃଷକ ମୋର୍ଚ୍ଚାର ଅଭିଯୋଗ, ଚାଷୀମାନେ ଟୋକନ ପାଇ ଧାନ ବିକ୍ରି ଲାଗି ମଣ୍ଡିକୁ ଆଣିଥିଲେ ବି ଧାନ ବିକ୍ରି ହୋଇପାରୁନାହିଁ । ଏହାଛଡ଼ା ଅନେକ ଚାଷୀଙ୍କ ଟୋକନ ଲାପ୍ସ କରିଯାଇଛି। କେବଳ ଏତିକି ନୁହେଁ, ମିଲରମାନେ ମଣ୍ଡିକୁ ଆସି କ୍ୱିଣ୍ଟାଲ ପିଛା ୮ରୁ ୧୦ କିଲୋ କଟନି ଛଟନି କରୁଛନ୍ତି । ମିଲରମାନେ ଧାନ ଉଠାଇବାକୁ ଟ୍ୟାଗ ହୋଇଥିଲେ ବି ଧାନ ଉଠାଉ ନାହାନ୍ତି ।
ଏହିସବୁ ସମସ୍ୟା ଯୋଗୁଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ମଣ୍ଡିଗୁଡ଼ିକରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଛି। ବର୍ଷା ଯୋଗୁଁ କେତେକ ମଣ୍ଡିରେ ଧାନ ଗଜା ମଧ୍ୟ ହୋଇଗଲାଣି । ଏସବୁ ସମସ୍ୟା ନେଇ ଯୋଗାଣ ବିଭାଗ ସଚିବଙ୍କୁ ଚିଠି ଲେଖାଯାଇଥିଲା। ତିନି ଦିନ ମଧ୍ୟରେ ପଦକ୍ଷେପ ନେବାକୁ କୁହାଯାଇଥିଲା।
ହେଲେ ସଚିବ ନିରବଦ୍ରଷ୍ଟା ସାଜିବାରୁ ବିଜେପି କୃଷକ ମୋର୍ଚ୍ଚା ଆଜି ବିକ୍ଷୋଭ କରୁଛି ବୋଲି ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି । ସଚିବ କିମ୍ବା ବରିଷ୍ଠ ଅଧିକାରୀ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।
ସୂଚନାଥାଉ କି, ମଣ୍ଡିରେ ଧାନବିକ୍ରି ଅବ୍ୟବସ୍ଥା ପ୍ରତିବାଦରେ ଆଜି ୧୧ ଘଣ୍ଟିଆ ବିନିକା ବନ୍ଦ ପାଳନ କରୁଛି କଂଗ୍ରେସ । ସକାଳ ୭ଟାରୁ ସା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି । ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି କଂଗ୍ରେସ କର୍ମୀ।
ବିନିକା ବ୍ଳକ୍ ଅଂଚଳର ଅନେକ ଚାଷୀଙ୍କ ଟୋକନ ଲାପ୍ସ ହେବାରୁ ମଣ୍ଡିରେ ଧାନ ବିକ୍ରି କରିବାରୁ ସେମାନେ ବଞ୍ଚିତ ହୋଇଛନ୍ତି । ଫଳରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଦୁଇ ଦିନ ହେଲା ଟ୍ରାକ୍ଟରରେ ଧାନ ଲୋଡ କରି ବିନିକା ତହସିଲ କାର୍ଯ୍ୟାଳୟରେ ବ୍ଳକ୍ କଂଗ୍ରେସ ଏବଂ ଜିଲ୍ଲା କଂଗ୍ରେସ କୃଷକ କମିଟି ପକ୍ଷରୁ ପ୍ରତିବାଦ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)