/odishatv-khabar/media/post_attachments/uploadimage/library/16_9/16_9_0/5pm-water-problem_1626251666.jpg)
5pm-water-problem
ଭଞ୍ଜନଗର(ଜଗନ୍ନାଥ ସାହୁ): ପାଇପ୍ ଲାଇନ୍ ଅଛି, ଘର ଦୁଆର ମୁହଁରେ ଟ୍ୟାପ୍ ବି ଲାଗିଛି, ମାତ୍ର ପାଣି ବାହାରିବାରେ ନା ଧରୁନାହିଁ। ବାଧ୍ୟ ହୋଇ ନଳକୂଅ ଓ କୂଅରୁ ପାଣି ନେବାକୁ ଭିଡ଼ ଲଗାଇଛନ୍ତି ଲୋକେ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁରଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା ଲୋଚାପଡ଼ା ଗାଁରେ। ରାସ୍ତା କାମ ଯୋଗୁଁ ପାଇପ୍ ଲାଇନ୍ ଛିଡ଼ି ଯାଇଥିବାରୁ ୨ ମାସ ହେବ ଆସୁନି ପାଣି। ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଗାଁରେ ଥିବା ନଳକୂଅ ଓ କୂଅରୁ ମଧ୍ୟ ଦୂଷିତ ପାଣି ବାହାରୁଥିବା ଅଭିଯୋଗ ହୋଇଛି। ନଳକୂଅ ପାଖରେ ଥିବା ନାଳ ନର୍ଦ୍ଦମା ସଫା ହେଉନଥିବାରୁ ହଇଜା ବ୍ୟାପିବା ନେଇ ଆଶଙ୍କା କରୁଛନ୍ତି ଗ୍ରାମବାସୀ।
ସ୍ଥାନୀୟ ଲୋକ କହିଛନ୍ତି ଯେ, ପାଖାପାଖି ୨ ମାସ ହେବ ଗାଁରେ ପାଣି ଆସୁନାହିଁ। ପାଣି ଲାଗି ଆମେ ନାନା ଅସୁବିଧାର ସମ୍ମୁଖୀନ ହେଉଛୁ। ଖରାଦିନ ଆସିଲାଣି, କୂଅରୁ ଧୀରେ ଧୀରେ ପାଣି ବି ଶୁଖିଲାଣି। ଗାଁରେ ଥିବା ନଳକୂପ ମଧ୍ୟ ସଠିକ ଭାବରେ କାମ କରୁନାହିଁ। ପିଇବା ପାଣି ଟୋପାଏ ଲାଗି ଆମେ ୨ ରୁ ୩ କିଲୋମିଟର ପର୍ଯ୍ୟନ୍ତ ଯାଉଛୁ ବୋଲି ଗାଁ ଲୋକେ ଅଭିଯୋଗ ମଧ୍ୟ କରିଛନ୍ତି।
ସେପଟେ ଅନ୍ୟ ଜଣେ ଗ୍ରାମବାସୀ କହିଛନ୍ତି ଯେ, ପାଣି ପାଇପ୍ ପି ଡବ୍ଲୁ ଡ଼ି ବାଲା ଭାଙ୍ଗି ଦେଇଛି। ତେଣୁ ଟ୍ୟାବ୍ରେ ପାଣି ଆସୁନାହିଁ। ଏବେଠୁ ଏମିତି ଭାବରେ ଖରା ହେଉଛି ଯେ, ଘରୁ ବାହାରିବା ମୁସ୍କିଲ ହେଲାଣି। କିନ୍ତୁ ଏମିତି ସମୟରେ ପାଣି ପାଇଁ ଅନେକ ଅସୁବିଧା ହେଉଛି। ଏହାସହ ସେମାନେ କହିଛନ୍ତି ଯେ, ଟାଉନ ଅଂଚଳରେ ଗୋଟିଏ ଘଂଟା ପାଣି ନଆସିଲେ ଅଫିସର ମାନେ ପହଂଚି ଯାଉଛନ୍ତି କିନ୍ତୁ ଗାଁରେ ଏତେ ଦିନ ହେଲାଣି କେହି ଆସୁନାହାନ୍ତି। ସହରରେ ମଣିଷ ରହୁଛନ୍ତି ଗାଁରେ କଣ ପଶୁ ରହୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଗାଁ ଲୋକେ।
ପାଣି ସମସ୍ୟା ନେଇ ପୂର୍ବରୁ ଆନ୍ଦୋଳନ ମଧ୍ୟ କରିଛନ୍ତି ଗ୍ରାମବାସୀ। ମାତ୍ର ଏଯାଏ ସମସ୍ୟାର ସମାଧାନ ହୋଇନାହିଁ। ଅନ୍ୟପଟେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି, ସପ୍ତାହେ ଭିତରେ ପାଇପ୍ ଲାଇନ୍ ମରାମତି କରାଯାଇ ପାଣି ଯୋଗାଇ ଦିଆଯିବ ବୋଲି ବ୍ରହ୍ମପୁର ଉପଜିଲ୍ଲାପାଳ କହିଛନ୍ତି। ଦୁର୍ଗମ ଅଞ୍ଚଳ କଥା ଦୂରର କଥା ସହର ଉପକଣ୍ଠରେ ମଧ୍ୟ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବଢିବାରେ ଲାଗିଛି ଅସନ୍ତୋଷ।
ପାଇପ୍ ଲାଇନ ଅଛି କିନ୍ତୁ ପାଣି ଆସୁନାହିଁ, ହେଲେ କାହିଁକି?#Odisha#WaterProblems#Bhanjanagarpic.twitter.com/O104LPau9P
— ଓଟିଭି (@otvkhabar) March 5, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)