/odishatv-khabar/media/post_attachments/uploadimage/library/16_9/16_9_0/Anjana_1626250070.jpg)
Anjana
ଭୁବନେଶ୍ୱର: ବିବନ ବିଶ୍ୱାଳକୁ ଚିହ୍ନିଲେ ଅଞ୍ଜନା ମିଶ୍ର। ଆଜି ଝାରପଡ଼ା ଜେଲରେ ଅନୁଷ୍ଠିତ T.I. ପରେଡ଼ରେ ୧୯୯୯ ମସିହାର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରିିଛନ୍ତି ପୀଡ଼ିତା ଅଞ୍ଜନା। ତେବେ ଖାଲି ଅଞ୍ଜନା ନୁହଁନ୍ତି, ସେଦିନ ଅଞ୍ଜନାଙ୍କ ଗାଡ଼ି ଚଳାଉଥିବା ଡ୍ରାଇଭର୍ ବି ବିବନଙ୍କୁ ଚିହ୍ନି ପାରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସେପଟେ କାଲିଠୁ ବିବନର ୨ ଦିନିଆ ସିବିଆଇ ରିମାଣ୍ଡ ଆରମ୍ଭ ହେଉଥିବାରୁ ଅଞ୍ଜନା ଉଠାଇଥିବା ଷଡ଼ଯନ୍ତ୍ରର ଗୁମର ବି ଖୋଲିବ ବୋଲି ଆଶା କରାଯାଉଛି।
୨୨ ବର୍ଷ ପରେ ଅଭିଯୁକ୍ତ ସହ ସାମ୍ନାସାମ୍ନି ହେଲେ ପୀଡ଼ିତା। କଳଙ୍କିତ କାହାଣୀର ଖଳନାୟକ ସହ ଆମ୍ନାସାମ୍ନା ହେଲେ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ର। ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର କରାଯାଇଛି ଆଜି ଟିଆଇ ପରେଡ୍। ଅପରାହ୍ଣ ପ୍ରାୟ ୩ଟା ବେଳେ ଭୁବନେଶ୍ୱରର ଝାରପଡ଼ା ଜେଲରେ ଆରମ୍ଭ ହୋଇଥିଲା ଟିଆଇ ପରେଡ ପ୍ରକ୍ରିୟା। ସେହି ସମୟରେ ଜେଲ୍ ପରିସରରେ ଉପସ୍ଥିତ ଥିଲେ ଜେଏମ୍ଏଫ୍ସି ସୃଜାଲିନ ମହାନ୍ତି ଏବଂ ଜେଲ୍ କର୍ତ୍ତୃପକ୍ଷଙ୍କ ସମେତ ସିବିଆଇ ଅଧିକାରୀ।
ଏହାପରେ ଅଞ୍ଜନାଙ୍କ ସାମ୍ନାରେ ଛିଡ଼ା କରାଯାଇଥିଲା ଜେଲର ୧୨ ଜଣଙ୍କୁ। ଆଉ ତାମଧ୍ୟରେ ଥିଲା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ। ଏହାପରେ ଆରମ୍ଭ ହୋଇଥିଲା ଚିହ୍ନଟ ପ୍ରକ୍ରିୟା। ପ୍ରଥମେ ଅଞ୍ଜନା ମିଶ୍ର ଓ ପରେ ଘଟଣା ଦିନର ପ୍ରତ୍ୟକ୍ଷଦର୍ଶୀ ଥିବା ଅଞ୍ଜନାଙ୍କ ଡ୍ରାଇଭର ନୀଳକଣ୍ଠ ରାଉତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ। ପ୍ରାୟ ୧୦ ମିନିଟରେ ସରିଥିଲା ଚିହ୍ନଟ ପ୍ରକ୍ରିୟା। ଜେଲରୁ ବାହାରିବା ପରେ ଅଞ୍ଜନା ନିଜ ପ୍ରତିକ୍ରିୟାରେ ଏକଥାକୁ ସ୍ପଷ୍ଟ କରିଥିଲେ।
ସେପଟେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିବନର ୨ ଦିନିଆ ସିବିଆଇ ରିମାଣ୍ଡ। ଏହି ସମୟରେ ୧୯୯୯ର ସେହି କାଳରାତିର କଳଙ୍କିତ କାହାଣୀ ସମ୍ପର୍କରେ ବିବନ ମୁହଁରୁ ସତ ଉଗାଳିବ ସିବିଆଇ। ଏହି କୁତ୍ସିତ କାଣ୍ଡ ପରେ କେମିତି ରାଜ୍ୟ ବାହାରକୁ ଖସିଯାଇଥିଲା ସେ ? କେମିତି ନାଁ ବଦଳାଇ କେଉଁ କେଉଁ ସ୍ଥାନରେ ଲୁଚି ବୁଲୁଥିଲା? କାହା ପ୍ରରୋଚନାରେ ଭିଆଇଥିଲା ଜଘନ୍ୟ ଅପରାଧ? କେଉଁମାନେ ତାକୁ ଫେରାର୍ କରାଇବାକୁ ସହଯୋଗ କରିଥିଲେ ?
ଏସବୁ ଦିଗକୁ ଫୋକସରେ ରଖି ବିବନ ମୁହଁରୁ ସତ ବାହାର କରିବାକୁ ଚେଷ୍ଟା କରିବ ସିବିଆଇ। କାରଣ ଅପରାଧ ପଛରେ ଷଡ଼ଯନ୍ତ୍ର ଦିଗକୁ ଇଙ୍ଗିତ କରିବା ସହ ଏସବୁ ତଥ୍ୟ ସାମ୍ନାକୁ ଆସୁ ବୋଲି ଅଞ୍ଜନା ବି ବାରମ୍ବାର ଦାବି ଉଠାଇଛନ୍ତି। ତେବେ ବିବନକୁ ନେଇ ମାମଲାର ସିନ୍ ରିକ୍ରିଏଟ୍ କରାଇବ କି ସିବିଆଇ, ତାକୁ ନେଇ ଚର୍ଚ୍ଚା ହେଉଛି?
ସାଇଲେଣ୍ଟ ଭାଇପର ଅପରେସନ୍ ଜରିଆରେ ୨୨ ବର୍ଷ ପରେ ମହାରାଷ୍ଟ୍ରର ଆମ୍ବିଭାଲିରୁ ବିବନକୁ ଗିରଫ କରିଥିଲା କମିଶନରେଟ୍ ପୋଲିସ। ଇତିମଧ୍ୟରେ ମାମଲାର ଅନ୍ୟତମ ଅଭିଯୁକ୍ତ ପ୍ରଦୀପ ସାହୁର ମୃତ୍ୟୁ ହୋଇସାରିଥିବା ବେଳେ ବର୍ତ୍ତମାନ ଚୌଦ୍ୱାର ଜେଲରେ ଅଛିି ବିବନର ସହଯୋଗୀ ବୀରେନ୍ଦ୍ର ମହାନ୍ତି। ତେବେ ମାମଲା ଉପରେ ସାରା ରାଜ୍ୟର ନଜର ରହିଛି।
ଭୁବନେଶ୍ୱରରୁ ଅତୁଲ୍ୟ ବାଉତ ଓ ଆଲୋକ ମହାନ୍ତିଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)