/odishatv-khabar/media/media_files/2026/02/16/shuddhi-completed-a-year-ago-now-returned-2026-02-16-20-37-37.jpg)
ବର୍ଷେ ତଳେ ଶୁଦ୍ଧି ସରିଥିଲା, ଏବେ ଘରେ ପହଞ୍ଚିଲେ Photograph: (OTV)
ବର୍ଷେ ତଳେ ଯାହାର ଶୁଦ୍ଧି ସରିଥିଲା, ଏବେ ସେ ଘରେ ପହଞ୍ଚିଲେ। ବର୍ଷେ ତଳେ ଯାହାଙ୍କ ମୃତ୍ୟୁ ହୋଇଥିବା ଭାବିଥିଲେ ସେ ବାହାରିଲେ ଜୀବିତ। ଦାଦନ ଦୁଃଖର କାହାଣୀ ଭିତରେ ସୁବର୍ଣ୍ଣପୁର ଜିଲ୍ଲରୁ ଆସିଛି ଏମିତି କିଛି ଘଟଣା। ପରିଣତ ବୟସରେ ଦାଦନ ଖଟିବାକୁ ଯାଇ କେମିତି ଦୁର୍ଘଟଣାର ଶିକାର ହେଲେ, କେମିତି ରକ୍ତ ଜୁଡ଼ୁବୁଡ଼ୁ ଫଟୋ ଦେଖାଇ ଲକ୍ଷାଧିକ ଟଙ୍କା ବ୍ଲାକମେଲିଂ କରାଗଲା...ସବୁକିଛି କୌଣସି ଫିଲ୍ମର କାହାଣୀଠୁ କମ୍ ନୁହେଁ।
ଯାହାକୁ କାଲି ଯାଏ ଭାବୁଥିଲେ ମୃତ, ଆଜି ସେ ଜୀବିତ...ସାରି ଦେଇଥିଲେ ଶୁଦ୍ଧି, ଆସି ପହଞ୍ଚିଲେ ସ୍ବାମୀ। ଅବିଶ୍ବାସ ଲାଗୁଥିଲେ ବି ବିଲକୁଲ୍ ସତ ଘଟଣା। ଦାଦନ ଦୁଃଖର ଅନେକ କାହାଣୀ ଭିତରେ ଏକ ଭିନ୍ନ ଘଟଣା ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ମୁତାବକ, ଘରର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ୫୮ ବର୍ଷ ବୟସରେ ଦାଦନ ଖଟିବାକୁ ଗୋଡ଼ କାଢ଼ିଥିଲେ ଡୁଙ୍ଗୁରିପାଲି ଅଞ୍ଚଳର କମ୍ପନ ବଗର୍ତ୍ତି। ବର୍ଷେ ତଳେ ତେଲେଙ୍ଗାନାକୁ ଯାଇଥିଲେ। ହେଲେ ଦୁଇ ଦିନ ପରେ ଘଟିଥିଲା ଏକ ବଡ଼ ଦୁର୍ଘଟଣା। ଆହତ ହୋଇଥିଲେ କମ୍ପନ ଆଉ ନିଜ ସାଥୀ ସହଯୋଗୀଙ୍କଠୁ ଅଲଗା ହେଇଯାଇଥିଲେ। ଅଜଣା ରାଜ୍ୟରେ ନା ସେ କାହାକୁ ଚିହ୍ନିଥିଲେ। ଆଉ ଯିଏ ତାଙ୍କୁ ଚିହ୍ନିଥିଲା, ସେ ସେଠୁ ମାରିଲା ଚମ୍ପଟ। ବାସ୍ ଏଇଠୁ ସବୁ କିଛି ବଦଳି ଯାଇଥିଲା। କମ୍ପନଙ୍କ ରକ୍ତ ଜୁଡ଼ୁବୁଡ଼ୁ ଫଟୋକୁ ନେଇ କିଛି ଖଳ ପ୍ରକୃତିର ଲୋକେ ଆରମ୍ଭ କରିଥିଲେ ମୁଲଚାଲ୍। କମ୍ପନଙ୍କ ମୃତ୍ୟୁ ହୋଇଛି, ଆଉ ମୃତଦେହ ନେବାକୁ ୨ ଲକ୍ଷ ୨୦ ହଜାର ଦେବାକୁ ପଡ଼ିବ, ଆମ୍ବୁଲାନ୍ସ ଖର୍ଚ୍ଚ ୭୦ ହଜାର। ଗରିବ ଘର, ଦିନେ ମୁଲ ଲାଗିଲେ ଆର ଦିନ ଚଳିବେ, ଏଭଳି ଅବସ୍ଥାରେ ଲକ୍ଷାଧିକ ଟଙ୍କା ଦେବା ସମ୍ଭବ ନଥିଲା। ତେଣୁ ବାଧ୍ୟ ହୋଇ ସବୁ ଘରେ ଶୁଦ୍ଧି ହେଇଥିଲେ, ନିଜ ମନର କଷ୍ଟ ମନରେ ଚାପି ଦେଇଥିଲେ।
ହେଲେ ବର୍ଷେ ପରେ ଏକଦମ୍ ସୁସ୍ଥ ଅବସ୍ଥାରେ ଘରକୁ ଫେରିଛନ୍ତି କମ୍ପନ। ଆଖି ଆଗରେ ପୁଅକୁ ଦେଖି ମାଆର ଖୁସି କହିଲେ ନସରେ। ଯେଉଁ ପୁଅକୁ ବର୍ଷେ ଧରି ଝୁରୁଥିଲେ ସେ ଏବେ ଫେରିଛି ତା ପୁଣି ଜୀବିତ। ଆଉ ଏପଟେ ସ୍ତ୍ରୀର ମଥାର ସିନ୍ଦୂର ବି। ଘରେ ସମସ୍ତେ ଖୁସ୍, କମ୍ପନ ଯେମିତି ପୁଣି ଥରେ ଜୀବନ ପାଇଛନ୍ତି। ତେଣୁ ବାଜା ବଜାଇ, ମାଳ ପକାଇ, ନୂଆ କପଡ଼ା କମ୍ପନ ପାଇଁ କିଣା ଯାଇଛି।
ସେ ଦିନ ଦୁର୍ଘଟଣାରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ଥିଲେ କମ୍ପନ। ସୁସ୍ଥ ହେବା ପରେ ଏଣେତେଣେ ମୁଣ୍ଡ ଗୁଞ୍ଜି ଷ୍ଟେସନ୍ ପାଇଁ ବାଟ ଖୋଜି ଖୋଜି ବର୍ଷେ ପରେ ଘରେ ପହଞ୍ଚିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)