/odishatv-khabar/media/post_attachments/uploadimage/library/16_9/16_9_0/5pm-pkg-study_1626249967.jpg)
5pm-pkg-study
ନୀଳଗିରି(ବିଶ୍ୱମ୍ବର): ମୂଲ ମଜୁରୀ ନଲାଗି ପାଠ ପଢି ବଡ଼ମଣିଷ ହେବାର ଇଚ୍ଛା ଥିଲା। ହେଲେ ଏବେ କରୋନା ଯୋଗୁ ଖୋଲିପାରୁନି ପ୍ରାଥମିକ ବିଦ୍ୟାଳୟ। ଅନଲାଇନ କ୍ଲାସ ବି ପାଲଟିଛି ସାତ ସପନ। ଫଳରେ ବର୍ଷେ ହେଲା ଡୋରି ବନ୍ଧା ହୋଇଛି ପାଠପଢାରେ। ନୀଳଗିରି ଉପଖଣ୍ଡ ପାହାଡ ସୀମାନ୍ତବର୍ତ୍ତୀ ଅନୁନ୍ନତ ଆଦିବାସୀ ଗାଁଗୁଡିକରେ ଅନ୍ଧାରକୁ ଠେଲି ହୋଇଯାଇଛି ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ।
ମହାମାରୀ କରୋନା ଯୋଗୁ ସ୍କୁଲ ବନ୍ଦ ହେବା ପରେ ଠପ୍ ହୋଇଯାଇଛି ପାଠପଢା। ପିଲାଏ ଘରେ ବସି ବହି ଖୋଲିବା ଦୂରର କଥା ବସ୍ତାନୀକୁ କାନ୍ଥରେ କିଏ ଟାଙ୍ଗିଦେଲାଣି କିଏ ବାଉଁଶରେ ଧନୁ ତୀର, ନଟୁ ଧରି ଖେଳିଲାଣି ତ ଆଉ କିଏ ସାଙ୍ଗମାନଙ୍କ ସହ ବସି ରୋଷେଇ ଖେଳ ଖେଳିଲାଣି । ପୁଣି ଘରକାମ ସହ ଗୋରୁ ଚରାଇବାକୁ କିଏ ପଡିଆକୁ ବାହାରିଗଲାଣି । ଏହାସହ ଏଭଳି ଅନୁନ୍ନତ ଗାଁଗୁଡିକରେ ଅନଲାଇନ୍ କ୍ଲାସ ବି ସାତସପନ ଥିବାରୁ ପାଠପଢା ଭୁଲି ଏଠି ସମସ୍ତେ ମାତିଛନ୍ତି ଖେଳକୁଦରେ। କରୋନା ପରଠୁ ନୀଳଗିରି ଉପଖଣ୍ଡର ପାହାଡ ସୀମାନ୍ତବର୍ତ୍ତୀ ଗାଁ ଗୁଡିକରେ ଏଇଭଳି ବିତୁଛି ପିଲାଙ୍କ ଜୀବନ।
ସେପଟେ ସ୍ଥାନୀୟ ଛାତ୍ର କହିଛନ୍ତି ଯେ, ନଟୁ ଖେଳୁଛି...କାହାର ଗାଈ ଗୋରୁ କିମ୍ବା ଛେଳି ମଧ୍ୟ ଚରାଉଛୁ। ସ୍କୁଲ ବନ୍ଦ ହେବା ପରେ ପରେ କିଛି ଦିନ ବହି ଖୋଲିଥିଲୁ କିନ୍ତୁ ଏବେ ଆଉ ଖୋଲୁନୁ ବୋଲି ଛାତ୍ର ଜଣକ କହିଛନ୍ତି। ଏବେ କେବଳ ଗାଁରେ ଖେଳୁଛନ୍ତି ପିଲା।
ସେପଟେ ଶିକ୍ଷକ କହିଛନ୍ତି ଯେ, ଏହି ସ୍କୁଲକୁ ପିଲାମାନେ ପାଠ ପଢିବାକୁ ଆସୁନାହାନ୍ତି। ତେଣୁ ଆମେ ସେମାନଙ୍କ ଘରକୁ ଯାଇ ସ୍କୁଲକୁ ଆଣୁଛୁ। ସକାଳୁ ଉଠି ପିଲାମାନଙ୍କ ବାପା ମାଆ କାମକୁ ପଳାଉଛନ୍ତି ପିଲାଙ୍କ କଥା କିଛି ବୁଝୁନାହାନ୍ତି। କିନ୍ତୁ ପିଲାଙ୍କୁ ପୁଣି ଥରେ ସ୍କୁଲକୁ ଆଣିବାକୁ ଆମେ ଚେଷ୍ଟା କରୁଛୁ ବୋଲି ଶିକ୍ଷକ କହିଛନ୍ତି।
ନୀଳଗିରି ଉପଖଣ୍ଡ ଔପଦା ବ୍ଲକର ଗୁଡିଖୋଳା ପ୍ରାଥମିକ ବିଦ୍ୟାଳୟରେ ପାଠ ପଢନ୍ତି ଗରିବ ଆଦିବାସୀ ପିଲା। ଉପାନ୍ତ ଗାଁ ଗୁଡିକରେ ସ୍କୁଲକୁ ପିଲାଏ ସହଜରେ ଆସିନଥାନ୍ତି। କିନ୍ତୁ ଏମାନଙ୍କୁ ବୁଝାଇ ସ୍କୁଲକୁ ଆଣି ପାଠ ପଢାଇବାକୁ ଶିକ୍ଷକଙ୍କୁ କରିବାକୁ ପଡେ ଅକ୍ଲାନ୍ତ ପରିଶ୍ରମ। ତେବେ ଏତେ ଦିନ ସ୍କୁଲ ବନ୍ଦ ପରେ ପିଲାଙ୍କୁ ଆଣିବା ସେମାନଙ୍କ ପାଇଁ ବଡ ଚ୍ୟାଲେଂଜ ବୋଲି କୁହନ୍ତି ସ୍କୁଲର ଶିକ୍ଷକ। ସେପଟେ ବିଇଓ ଏବଂ ଡିଇଓଙ୍କ ସହ ଆଲୋଚନା କରି ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ଉପଜିଲ୍ଲାପାଳ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)